ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ମେଣ୍ଟେନାନ୍ସ ଦାୟିତ୍ଵ ତୁଲାଇବେ ବିଲ୍‌ଡର
  • ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) ପକ୍ଷରୁ ଅନ୍ତରୀଣ ରାୟରେ ବିଲ୍‌ଡରଙ୍କୁ ନିର୍ଦ୍ଦେଶ
  • ଜାଣନ୍ତୁ, ଓରେରାର ଭୂମିକା କ’ଣ?
  • ଅକ୍ୟୁପାନ୍ସି ସାର୍ଟିଫିକେଟ କ’ଣ ଓ କାହିଁକି ଜରୁରୀ?
  • ରିୟଲ ଇଷ୍ଟେଟ କାରବାରକୁ ସ୍ଵଚ୍ଛ, ନିୟନ୍ତ୍ରିତ ଏବଂ ଗ୍ରାହକଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ଆଇନ

କୌଣସି ରିୟଲ ଇଷ୍ଟେଟ ପ୍ରୋଜେକ୍ଟରେ ଘର କିଣିଥିବା ଗ୍ରାହକମାନଙ୍କୁ ନେଇ ପଞ୍ଜୀକୃତ ସୋସାଇଟି ଗଢ଼ା ନ ହେବା ଯାଏଁ କିମ୍ଵା ଅକ୍ୟୁପାନ୍ସି ସାର୍ଟିଫିକେଟ ବା ଦଖଲ ପ୍ରମାଣପତ୍ର ନ ମିଳିବା ପର୍ଯ୍ୟନ୍ତ ସଂପୃକ୍ତ ପ୍ରକଳ୍ପର ସଂପୂର୍ଣ୍ଣ ରକ୍ଷଣାବେକ୍ଷଣ କରିବାକୁ ବିଲ୍‌ଡର ବାଧ୍ୟ। ଏମିତି ଏକ ଐତିହାସିକ ରାୟ ଶୁଣାଇଛନ୍ତି ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା)। ଭୁବନେଶ୍ଵରର ସୁନ୍ଦରପଦାସ୍ଥିତ ଏକ ହାଉସିଙ୍ଗ ସୋସାଇଟି ପକ୍ଷରୁ ହୋଇଥିବା ଅଭିଯୋଗର ବିଚାର କରି ଓରେରା କୋର୍ଟ ନିକଟରେ ଏହି ରାୟ ଦେଇଛନ୍ତି।

ରିୟଲ ଇଷ୍ଟେଟ୍ ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ ଆକ୍ଟ ୨୦୧୬ (ରେରା ଆକ୍ଟ – ୨୦୧୬)ର ସେକ୍ସନ ୧୧(୪)(ବି) ଏବଂ ସେକ୍ସନ ୧୧(୪)(ଇ)କୁ ଆଧାର କରି ଓରେରା କୋର୍ଟ ଏହି ରାୟ ଦେଇଛନ୍ତି।ରେରା ଆଇନ ଅନୁଯାୟୀ ଅକ୍ୟୁପାନ୍ସି ସାର୍ଟିଫିକେଟ ପ୍ରଦାନ କିମ୍ଵା ପଞ୍ଜୀକୃତ ସୋସାଇଟି ଗଠନ ହେବା ପର୍ଯ୍ୟନ୍ତ ସଂପୃକ୍ତ ବିଲ୍‌ଡରଙ୍କୁ ପ୍ରକଳ୍ପର ରକ୍ଷଣାବେକ୍ଷଣ ସହ ଏହାର ବାସିନ୍ଦାଙ୍କୁ ଜରୁରିକାଳୀନ ସେବା ଯୋଗାଇବାକୁ ପଡ଼ିବ। ତେବେ ଏହି ସେବା ଲାଗି ବିଲ୍‌ଡର ବାସିନ୍ଦାମାନଙ୍କଠାରୁ ସର୍ବନିମ୍ନ ଦେୟ ନେଇପାରିବେ।

ବାସଗୃହ କିଣିବା କ୍ଷେତ୍ରରେ ଓଡ଼ିଶାରେ ପ୍ରଥମକରି ଏପରି ଏକ ରାୟ ପ୍ରକାଶ ପାଇଛି। ସଂପୃକ୍ତ ବିଲ୍‌ଡର ସଂସ୍ଥାକୁ ଓରେରା ପକ୍ଷରୁ ନୋଟିସ କରାଯାଇଛି। ସେହିପରି ଏହି ମାମଲାରେ ଖୁବଶୀଘ୍ର ଚୂଡ଼ାନ୍ତ ପ୍ରକାଶ ପାଇବା ନେଇ ଓରେରା ପକ୍ଷରୁ ସୂଚନା ଦିଆଯାଇଛି।       ଅକ୍ୟୁପାନ୍ସି ସାର୍ଟିଫିକେଟ କ’ଣ ଓ କାହିଁକି ଜରୁରୀ?

କୌଣସି ରିୟଲ ଇଷ୍ଟେଟ ପ୍ରୋଜେକ୍ଟର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ବିଲ୍‌ଡର ବା ପ୍ରମୋଟରଙ୍କୁ ନିର୍ଦ୍ଧାରିତ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ (ଯାହାଙ୍କଠାରୁ ନିର୍ମାଣ ଲାଗି ପ୍ରକଳ୍ପର ପ୍ଲାନ ଅନୁମୋଦନ କରାଯାଇଥାଏ) ଅକ୍ୟୁପାନ୍ସି ସାର୍ଟିଫିକେଟ ଆଣିବାକୁ ପଡ଼ିଥାଏ। ଏହାର ଅର୍ଥ ହେଉଛି ସଂପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷ ସେହି ନିର୍ମାଣ ପ୍ରକଳ୍ପକୁ ବାସ ଉପଯୋଗୀ ବା ବ୍ୟବହାର ଉପଯୋଗୀ ଘୋଷଣା କରିଥାନ୍ତି।

ପ୍ରତ୍ୟେକ ପ୍ରକଳ୍ପ ଅନୁମୋଦନ ବେଳେ ବିଲ୍‌ଡରଙ୍କୁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ନିର୍ମାଣ କାର୍ଯ୍ୟ ଲାଗି ଏକ ବିସ୍ତୃତ ପ୍ଲାନ ଜମା କରିବାକୁ ପଡ଼ିଥାଏ। ସରକାରୀ ନିୟମ ଆଧାରରେ ଏହି ପ୍ଲାନକୁ ଉନ୍ନୟନ କର୍ତ୍ତୃପକ୍ଷ ଅନୁମୋଦନ କରିଥାନ୍ତି। ଏହି ଆବେଦନ ବେଳେ ପ୍ରକଳ୍ପ ଅଧୀନରେ ପରିକଳ୍ପିତ ପ୍ରତ୍ୟେକ କୋଠାବାଡ଼ିର ବିଲ୍‌ଡିଂ ପ୍ଲାନ ସହିତ ରାସ୍ତାଘାଟ, ବିଜୁଳି ସଂଯୋଗ ଯୋଜନା, ଅଗ୍ନି ନିର୍ବାପକ ଯୋଜନା ସହ କମ୍ୟୁନିଟି ଏରିଆ (କମ୍ୟୁନିଟି ହଲ୍, ଅଫିସ, ଜିମ୍, ସ୍ଵିମିଂ ପୁଲ୍, ପାର୍କିଂ ଇତ୍ୟାଦି) ଏବଂ ଓପନ ସ୍ପେସ୍ (ପାର୍କ, ଲନ୍ ଇତ୍ୟାଦି) ଆଦି ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇଥାଏ।ସଂପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷ ବିଲ୍‌ଡର ସଂସ୍ଥାକୁ କୌଣସି ପ୍ରକଳ୍ପ ପାଇଁ ଅକ୍ୟୁପାନ୍ସି ସାର୍ଟିଫିକେଟ ଦେବା ବେଳେ ଦେଖିଥାନ୍ତି ଯେ, ସଂପୃକ୍ତ ପ୍ରକଳ୍ପ ମୂଳ ଯୋଜନା ଅନୁଯାୟୀ ହୋଇଛି କି ନାହିଁ। ଅନୁମୋଦିତ ପ୍ଲାନରେ କୌଣସି ପ୍ରକାର ବ୍ୟତିକ୍ରମ ଥିଲେ ଉନ୍ନୟନ କର୍ତ୍ତୃପକ୍ଷ ତା’ର ସମୀକ୍ଷା କରିଥାନ୍ତି। ସେହିପରି ସାମଗ୍ରିକ ଭାବେ ପ୍ରକଳ୍ପଟି ସରକାରୀ ନିୟମ ଅନୁଯାୟୀ ହୋଇଥିବା ଦରକାର। ଏହିସବୁ ବିଷୟକୁ ଆଧାର କରି କୌଣସି ପ୍ରଜୋକ୍ଟକୁ ଅକ୍ୟୁପାନ୍ସି ସାର୍ଟିଫିକେଟ ଦିଆଯାଇ ତାକୁ ବାସ ଉପଯୋଗୀ ବା ବ୍ୟବହାର ଉପଯୋଗୀ ଘୋଷଣା କରାଯାଇଥାଏ।

ତେଣୁ ପ୍ରତ୍ୟେକ ରିୟଲ ଇଷ୍ଟେଟ ପ୍ରଜୋକ୍ଟର କାର୍ଯ୍ୟ ସମାପ୍ତି କ୍ଷେତ୍ରରେ ସଂପୃକ୍ତ ବିଲ୍‌ଡର ଅକ୍ୟୁପାନ୍ସି ସାର୍ଟିଫିକେଟ ଆଣିବାକୁ ବାଧ୍ୟ। ସେହିପରି ପ୍ରକଳ୍ପର ପ୍ରତ୍ୟେକ କ୍ରେତାଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ କରିବା ବିଲ୍‌ଡରଙ୍କର ଆଇନଗତ ଦାୟିତ୍ଵ।  ରେସିଡେନସିଲ ହେଉ ବା କମର୍ସିଆଲ, ପ୍ରତ୍ୟେକ କୋଠାବାଡ଼ି ବା ଘର ବ୍ୟବହାର ଉପଯୋଗୀ ଏବଂ ନିରାପଦ ଏହାର ଆଇନଗତ ପ୍ରମାଣ ହେଉଛି ଅକ୍ୟୁପାନ୍ସି ସାର୍ଟିଫିକେଟ। ତେଣୁ ଯେପରି ଆପଣ ଜମିର ପଟ୍ଟାକୁ ଅତି ଗୁରୁତ୍ଵପୂର୍ଣ୍ଣ ମନେକରି ସାଇତି ରଖିଥାନ୍ତି ଘର କିଣୁଥିବା ବ୍ୟକ୍ତି ଏହି ଅକ୍ୟୁପାନ୍ସି ସାର୍ଟିଫିକେଟ ସଂଗ୍ରହ କରିବା ଆବଶ୍ୟକ। କାରଣ ଏହି ସାର୍ଟିଫିକେଟ ବିନା ଘର ମାଲିକ ଭବିଷ୍ୟତରେ ଘରକୁ ଅନ୍ୟତ୍ର ବିକ୍ରି କରିପାରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ଅନେକ ସମୟରେ ବିଲ୍‌ଡରମାନେ ଅକ୍ୟୁପାନ୍ସି ସାର୍ଟିଫିକେଟ ଆଣିବାରେ ହେଳା କରିଥାନ୍ତି। କିନ୍ତୁ ନୂତନ ଆଇନ ଫଳରେ ଏବେ ସେମାନେ ଆଉ ଏହି ଦାୟିତ୍ଵରୁ ଖସି ପାରିବେନି। ଓରେରାର ଏହି ରାୟ ଏହିଭଳି କ୍ଷେତ୍ରରେ ଏକ ମାର୍ଗଦର୍ଶିକା ଭାବେ କାମ କରିବ ବୋଲି ଆଶା କରାଯାଉଛି।ଓରେରାର ଭୂମିକା କ’ଣ?

ଭାରତରେ ରିୟଲ ଇଷ୍ଟେଟ କ୍ଷେତ୍ରକୁ ନିୟନ୍ତ୍ରିତ କରିବା ସହ ଗ୍ରାହକମାନଙ୍କ ସ୍ଵାର୍ଥକୁ ସୁରକ୍ଷିତ କରିବା ଲାଗି ରିୟଲ ଇଷ୍ଟେଟ୍ ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ ଆକ୍ଟ ୨୦୧୬ (ରେରା ଆକ୍ଟ – ୨୦୧୬) ପ୍ରଣୟନ କରାଯାଇଛି। ୧ ମେ’ ୨୦୧୭ରୁ ଦେଶରେ ଏହି ଆଇନ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେଲା। ଏହାର ଆଧାରରେ ବିଭିନ୍ନ ପ୍ରଦେଶରେ ରେରା କର୍ତ୍ତୃପକ୍ଷ ଗଠନ କରାଯାଇଛି। ଓଡ଼ିଶାରେ ୭ ଅକ୍ଟୋବର ୨୦୧୭ରୁ ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) କାର୍ଯ୍ୟକ୍ଷମ ହୋଇଆସୁଛି।

ଅବସରପ୍ରାପ୍ତ ଆଇଏଫଏସ ଅଫିସର ସିଦ୍ଧାନ୍ତ ଦାସ ବର୍ତ୍ତମାନ ଓରେରାର ଅଧ୍ୟକ୍ଷ ଭାବେ କାମ କରୁଛନ୍ତି। ସେହିପରି ଅବସରପ୍ରାପ୍ତ ଆଇଏଏସ ଅଫିସର ପ୍ରଦୀପ ବିଶ୍ଵାଳ ଏହାର ପ୍ରଶାସନିକ ସଦସ୍ୟ ଥିବା ବେଳେ ଅବସରପ୍ରାପ୍ତ ବିଚାରପତି ରାମନାଥ ପଣ୍ଡା ଏହାର ନ୍ୟାୟିକ ସଦସ୍ୟ ଭାବେ ବିଭିନ୍ନ ମାମଲାର ପରିଚାଳନା କରୁଛନ୍ତି। ଭୁବନେଶ୍ଵର ସତ୍ୟନଗରସ୍ଥିତ ତୋଷାଳୀ ଭବନରେ ଓରେରାର କାର୍ଯ୍ୟାଳୟ ରହିଛି।

Tag : #ORERA #RERA #RealEstateRegulatoryAuthority #Property #RealEstateOdisha #Housing #DevelopmentAuthority #CREDAI #REDA #ଓରେରା #ରିୟଲଇଷ୍ଟେଟ୍ #ରେରା

Comment