ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବ୍ୟବସ୍ଥାକୁ ଆଇନତଃ ଶୃଙ୍ଖଳିତ କରିବା ଲାଗି ଆସିଛି ‘ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ ୨୦୨୩’। ଏହି ଅଧ୍ୟାଦେଶକୁ ଜୁନ ୨୧ ତାରିଖରେ ରାଜ୍ୟପାଳଙ୍କ ସ୍ଵୀକୃତି ମିଳିବା ପରେ ରାଜ୍ୟ ସରକାର ଏହାକୁ ଗେଜେଟରେ ପ୍ରକାଶ କରିଛନ୍ତି।

‘ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ ୨୦୨୩’ କେବଳ ଆପାର୍ଟମେଣ୍ଟ କ୍ଷେତ୍ରରେ ଲାଗୁ ହେବ। ତେଣୁ ରାଜ୍ୟରେ ରିୟଲ୍ ଇଷ୍ଟେଟ୍ ବା ଜମିଜମା ସହ ଘରବାଡ଼ି କିଣାବିକା କ୍ଷେତ୍ରରେ ଏହି ଆଇନ ବ୍ୟାପକ ଭାବେ ଲାଗୁ ହେବ ବୋଲି ଯେଉଁମାନେ ଆଶା ରଖିଥିଲେ ତାହା ମଉଳି ଯାଇଛି।

‘ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ ୨୦୨୩’କୁ ନେଇ ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତୁତ ବିଲକୁ ଗତ  ବିଧାନସଭା ଅଧିବେଶନରେ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଅଧିବେଶନର ଶେଷ ଦିନରେ ସରକାର ଏହାକୁ ପ୍ରତ୍ୟାହାର କରିନେଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହାକୁ କ୍ୟାବିନେଟରେ ମଞ୍ଜୁର କରି ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇଥିଲେ।

ରାଜ୍ୟପାଳଙ୍କ ଅନୁମୋଦନ ପରେ ଜୁନ ୨୮ ତାରିଖ ପରେ ଏହା ଆଇନ ବିଭାଗ ଦ୍ଵାରା ବିଧିବଦ୍ଧ ଭାବେ ଗେଜେଟରେ ପ୍ରକାଶ ପାଇଛି। ଓଡ଼ିଶା ଅର୍ଡିନାନ୍ସ-୨ (୨୦୨୩) ଭାବେ ଏହା ଗେଜେଟ ନମ୍ବର ୧୪୯୯ ରୂପେ ଏହାକୁ ସର୍ବସାଧାରଣଙ୍କ ସୂଚନା ନିମନ୍ତେ ପ୍ରକାଶ କରାଯାଇଛି।

ଓଡ଼ିଶାରେ ଆପାର୍ଟମେଣ୍ଟ କିଣାବିକା ଓ ମାଲିକାନା ବ୍ୟବସ୍ଥାକୁ ଆଇନଗତ ବାଟ ଦେଖାଇବାକୁ ରାଜ୍ୟ ସରକାର ପ୍ରଚଳନ କରିଥିଲେ ‘ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ ୧୯୮୨’। ଏହା ୧ ମେ’ ୧୯୮୪ ମସିହାରୁ ଲାଗୁ ହୋଇଥିଲା। ଏହି ମୂଳ ଆଇନକୁ ଆଧାର କରି ପରବର୍ତ୍ତୀ ସମୟରେ ‘ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ରୁଲ୍‌ସ ୧୯୯୨’, ‘ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ (ଆମେଣ୍ଡମେଣ୍ଟ) ଆକ୍ଟ ୨୦୧୫’ ଏବଂ ‘ରିୟଲ ଇଷ୍ଟେଟ(ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ) ଆକ୍ଟ ୨୦୧୬’ ଅଣାଯାଇଥିଲା।

ପରବର୍ତ୍ତୀ ସମୟରେ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ (ଆମେଣ୍ଡମେଣ୍ଟ) ରୁଲ୍ସ ୨୦୨୧ ଜାରି କରାଯାଇଥିଲା। ତେବେ ଏହି ଆଇନ ଏବଂ ଭାରତ ସରକାରଙ୍କ ଦ୍ଵାରା ଅଣାଯାଇଥିବା ‘ରିୟଲ ଇଷ୍ଟେଟ (ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ) ଆକ୍ଟ ୨୦୧୬’ ମଧ୍ୟରେ ତାଳମେଳ ରହୁନଥିବା ଦର୍ଶାଇ ଓଡ଼ିଶା ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ ୨୦୨୩’ ଅଣାଯାଇଥିଲା, ଯାହାକୁ ଏବେ ଶେଷରେ ‘ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ ୨୦୨୩’ ଭାବେ ପ୍ରକାଶ ପାଇଛି।

ରାଜ୍ୟରେ ବ୍ୟବସାୟିକ ଢାଞ୍ଚାରେ ଆପାର୍ଟମେଣ୍ଟ ବା ବହୁତଳ ପ୍ରାସାଦ ନିର୍ମାଣ, କିଣାବିକା ତଥା ପ୍ରତ୍ୟେକ ଆପାର୍ଟମେଣ୍ଟରେ ଆଇନଗତ ଭାବେ ମାଲିକ ସଂଘ ବା ହାଉସିଂ ସୋସାଇଟି ଗଠନକରି ଏହାର ଦୀର୍ଘକାଳୀନ ସୁପରିଚାଳନା କ୍ଷେତ୍ରରେ ଏହି ନୂତନ ଆଇନ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

Tags: #OdishaApartmentBill #OdishaApartmentOrdinance #GazetteNotice #Apartments #HousingAndUrbanDevelopmentDept #Odisha #ORERA

Comment