ଓଡ଼ିଶାଲାଇଭ୍ ବ୍ୟୁରୋ

ପୌର ନିର୍ବାଚନ ପାଇଁ ଏବେ ପ୍ରସ୍ତୁତି ଜୋରଦାର ହେବା ସହ ସବୁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋର ଚାଲିଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଉଦ୍ୟମ ଜାରି ରଖିଛନ୍ତି। ପ୍ରଚାର ପାଇଁ ହାତରେ ମାତ୍ର କେଇ ଘଣ୍ଟାର ସମୟ। ପୌର ନିର୍ବାଚନ ପାଇଁ ଆସନ୍ତା ୨୨ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଚାର କାର୍ଯ୍ୟ ଶେଷ ହେବ।

ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ମୋଟ ୧୦୬ଟି ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବ। ମୋଟ ୪୦ଲକ୍ଷ ୫୫ହଜାର ୫୩ଜଣ ଭୋଟର ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏନେଇ ସୋମବାର ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ। ନିର୍ବାଚନ ଲାଗି ସମସ୍ତ ପ୍ରସ୍ତୁତି ହୋଇଥିବା ସେ କହିଛନ୍ତି।

ପୌର ନିର୍ବାଚ ସୁପରିଚାଳନା ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଆସନ୍ତା ୨୩ ତାରିଖ ଅପରାହ୍ଣ ସୁଦ୍ଧା ନିଜ ନିଜ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚିବେ। ମାର୍ଚ୍ଚ ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଆସନ୍ତା ମାର୍ଚ୍ଚ ୨୬ ତାରିଖ ସକାଳ ୮ଟାଠାରୁ ଶେଷ ହେବା ପର୍ଯ୍ୟନ୍ତ ଭୋଟ ଗଣତି ହେବ। ନିର୍ବାଚନ ଶାନ୍ତିଶୃଙ୍ଖଳାରେ ସାରିବାକୁ ୧୯୫ ପ୍ଲାଟୁନ ପୋଲିସ୍ ଫୋର୍ସ ବିଭିନ୍ନ ମତଦାନ କେନ୍ଦ୍ରରେ ମୁତୟନ ହେବେ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

ପ୍ରତି ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୪ ଜଣ ପୋଲିଂ ଅଧିକାରୀ ରହିବେ। ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

Tags: #Election #OdishaElection #MunicipalElection #MunicipalElection2022 #OdishaElection2022 #BMC #CMC #BeMC #Mayor #Corporater #Councillor

Comment