ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାରେ ଜଣକ ପରେ ଜଣକର ନାଁ ସାମିଲ ହେବାରେ ଲାଗିଛି। ଏକ ମେମୋରୀ ଚିପ୍କୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ତେବେ ଏହି ମେମୋରୀ ଚିପ୍ରେ କ’ଣ ଏମିତି ରହିଛି ଯାହା ମାନସଙ୍କ ହତ୍ୟାର କାରଣ ପାଲଟିଲା ବୋଲି ପ୍ରଶ୍ନ ଉଠିଛି।
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାକାଣ୍ଡର ଗୁମର ଧୀରେ ଧୀରେ ଖୋଲୁଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପୋଲିସ୍ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଜଣେ ଅବସର ପ୍ରାପ୍ତ ସରକାରୀ ବାବୁ। ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତ ଫେରାର ଥିବାବେଳେ ଆଉ ଦୁଇଜଣ ମନ୍ତ୍ରୀଙ୍କ ନାଁ ଏହି ଅଡ଼ୁଆ ସୁତାରେ ଏବେ ଛନ୍ଦି ହୋଇଛି।
କ୍ୟାମେରାମ୍ୟାନ ମାନସ ହତ୍ୟାର ଘଟଣାକ୍ରମ
ଫେବ୍ରୁଆରି ୭ ତାରିଖ: ଏକ ବାହାଘର ଭିଡିଓ ସୁଟିଂ କରିବାକୁ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳକୁ ଯାଇଥିଲେ। ସେହିଦିନ ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତା କୁହାଯାଉଥିବା ଶର୍ମିଷ୍ଠା ରାଉତ ଆଉ ୩ ଜଣଙ୍କ ସହ ପ୍ରେସ୍ ଲେଖାଥିବା ଏକ ଗାଡ଼ିରେ ଚାନ୍ଦବାଲିରେ ପହଞ୍ଚି ଥିଲେ। ଶର୍ମିଷ୍ଠା ଓ ତାଙ୍କ ସହ ଯୋଗୀମାନେ ମାନସ ସୁଟିଂ କରୁଥିବା ସ୍ଥାନରେ ପହଞ୍ଚିଥିଲେ। ଏକ ମେମୋରୀ ଚିପ୍କୁ ନେଇ ଉଭୟ ଶର୍ମିଷ୍ଠା ଏବଂ ମାନସଙ୍କ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ ମାନସଙ୍କୁ ଶର୍ମିଷ୍ଠା ଦୁଇ ଚାପୁଡ଼ା ମାରିଥିଲେ।
ପୂର୍ବରୁ ମାନସ ଶର୍ମିଷ୍ଠା ରାଉତଙ୍କ ଓ୍ଵେବପୋର୍ଟାଲ ‘ସମ୍ପୂର୍ଣ୍ଣା’ ପାଇଁ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାରୁ ମାନସ ଚାକିରି ଛାଡ଼ି ଦେଇଥିଲେ। କିନ୍ତୁ ସାଙ୍ଗରେ କୌଣସି ଏକ ମେମୋରୀ ଚିପ୍ ନେଇଯାଇଥିଲେ। ଯାହାକୁ ଆଣିବାକୁ ମାନସଙ୍କ ପଛେ ପଛେ ଶର୍ମିଷ୍ଠା ଚାନ୍ଦବାଲିରେ ପହଞ୍ଚିଥିଲେ। ଦୀର୍ଘ ସମୟ ପାଟିତୁଣ୍ଡ ପରେ ଶର୍ମିଷ୍ଠା ଏବଂ ଅନ୍ୟ ସହଯୋଗୀମାନେ ମାନସଙ୍କୁ ସେଠାରୁ ଉଠାଇ ଆଣିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।
ଫେବ୍ରୁଆରି ୮ ତାରିଖ: କ୍ୟାମେରାମ୍ୟାନ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ଵର ଉପକଣ୍ଠର କୁହାକଣ୍ଟିଲୋରେ ଥିବା ଏକ ବୃଦ୍ଧାଶ୍ରମକୁ ଅଣାଯାଇଥିଲା। ଗତ ଫେବ୍ରୁଆରି ୮ ତାରିଖରେ ମାନସଙ୍କୁ ସେଠାରେ ହତ୍ୟା କରାଯାଇଥିବା ପୋଲିସ କହିଛି। ୮ ତାରିଖ ମାନସଙ୍କୁ ମେମୋରୀ ଚିପ୍ ବିଷୟରେ ପଚରା ଯାଇଥିଲା। ସେ କୌଣସି ସୂଚନା ଦେଇନଥିଲେ। ଏଥିରେ ରାଗି ଯାଇ ନିରଞ୍ଜନ ସେଠୀ ତାଙ୍କୁ ମାଡ଼ ମାରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ମାନସଙ୍କର ମୃତ୍ୟୁ ହେବା ପରେ ସେହିଦିନ ରାତିରେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ବଧିପାଟଣା ନିକଟ ଏକ ପାହାଡ଼ ତଳେ ତାଙ୍କ ଶବକୁ ପୋତି ଦିଆଯାଇଥିବା ପୋଲିସ୍ ସୂଚନା ଦେଇଛି।
ଫେବ୍ରୁଆରି ୧୪ ତାରିଖ: ଫେବ୍ରୁଆରି ୭ ତାରିଖରୁ ମାନସ କୌଣସି ଏକ ବାହାଘର ସୁଟିଂ ପାଇଁ ଚାନ୍ଦବାଲି ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ମାନସଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ଦିନ ପରେ ଦିନ ଗଡ଼ି ଚାଲିଲା। ମାନସଙ୍କର କୌଣସି ଖୋଜ ଖବର ନମିଳିବାରୁ ପରିବାର ଲୋକେ ଫେବ୍ରୁଆରି ୧୪ ତାରିଖରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା।
ମାର୍ଚ୍ଚ ୮ ତାରିଖ: ଚାନ୍ଦବାଲି ଥାନା ପୋଲିସର ତଦନ୍ତ ବେଳେ ମାନସଙ୍କ ଅପହରଣରେ ବ୍ୟବହାର କରାଯାଇଥିବା ଗାଡ଼ିକୁ ପୋଲିସ ଗତ ମାର୍ଚ୍ଚ ୮ ତାରିଖରେ ଜବତ କରିଥିଲା। ଗାଡ଼ିର ଡ୍ରାଇଭର ଭାଗ୍ୟଧର ନାୟକକୁ ପୋଲିସ୍ ଥାନାକୁ ନେଇ ପଚରା ଉଚରା କରିଥିଲା। ପୋଲିସ୍ ଆଗରେ ସବୁ ସତ ଓଗାଳି ଦେଇଥିଲା ଡ୍ରାଇଭର ଭାଗ୍ୟଧର।
ମାର୍ଚ୍ଚ ୧୦ ତାରିଖ: କ୍ୟାମରେମ୍ୟାନ ମାନସ ହତ୍ୟା ମାମଲାରେ ପୋଲିସ୍ ମାନସ ଅପହରଣରେ ବ୍ୟବହୃତ ଗାଡ଼ିର ଡ୍ରାଇଭର ଭାଗ୍ୟଧର ନାୟକ, ରଣପୁର ଥାନା ଧମା ଗାଁର ବିବେକ ନାୟକ ଏବଂ ପୁରୁଣା ଭୁବନେଶ୍ଵର ମଙ୍ଗଳା ସାହିର କୃଷ୍ଣଚନ୍ଦ୍ର ନାୟକଙ୍କୁ ଗିରଫ କରିଥିଲା।
ମାର୍ଚ୍ଚ ୧୨ ତାରିଖ : ଗିରଫ ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ପୋଲିସ ମାନସଙ୍କ ମୃତଦେହ ପାଖରେ ପହଞ୍ଚିଥିଲା। ଗତ ମାର୍ଚ୍ଚ ୧୨ ତାରିଖରେ ପୁଲିସର ଏକ ଟିମ୍ ନୟାଗଡ଼ ଜିଲ୍ଲା ଯାଇଥିଲେ। ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ବଧିପାଟଣା ନିକଟ ଏକ ପାହାଡ଼ ତଳେ ପୋତା ଯାଇଥିବା ମାନସଙ୍କ ଶବକୁ ଉଦ୍ଧାର କରିଥିଲେ ପୋଲିସ ଟିମ୍।
ମାର୍ଚ୍ଚ ୨୧ ତାରିଖ: ବହୁ ଚର୍ଚ୍ଚିତ ମାନସ ହତ୍ୟା ଘଟଣାରେ ପୂର୍ବରୁ ପୋଲିସ୍ ତିନି ଜଣକୁ ଗିରଫ କରିଥିବାବେଳେ ମାର୍ଚ୍ଚ ୨୧ ତାରିଖ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ଟେକ୍ନିକାଲ) ନିରଞ୍ଜନ ସେଠୀ। ମାନସଙ୍କୁ ଅପହରଣଠାରୁ ଆରମ୍ଭ କରି ଦୟାଲ ଆଶ୍ରମରେ ମାଡ଼ ମାରିବା, ମାରଣାସ୍ତ୍ରରେ ଆକ୍ରମଣ, ହତ୍ୟା ଯୋଜନା, ଶବ ପୋତିବା ଏବଂ ପ୍ରମାଣ ନଷ୍ଟ କରିବା ପର୍ଯ୍ୟନ୍ତ ସମସ୍ତ ବ୍ଲୁ ପିଣ୍ଟ ନିରଞ୍ଜନ ସେଠୀ ପ୍ରସ୍ତୁତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଭଦ୍ରକ ଅତିରିକ୍ତ ଏସ୍ପି ଯତୀନ ପଣ୍ଡା। ଏହି ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ରାଜ କମ୍ୟୁନିକେସନର ମାଲିକ ରଂଜନ ନାୟକ।
କେମିତି ଧରାପଡ଼ିଲେ ବାବୁ ନିରଞ୍ଜନ?
କ୍ୟାମେରାମ୍ୟାନ ମାସନ ହତ୍ୟା ଘଟଣା ସମ୍ନାକୁ ଆସିବା ପରେ ପୋଲିସ ଗତ ଫେବ୍ରୁଆରି ୧୬ ତାରିଖ ଦୟାଲ ବୃଦ୍ଧାଶ୍ରମରେ କାମ କରୁଥିବା ଝୁନା ଭୋଇ ଏବଂ ଅନ୍ୟମାନଙ୍କୁ ଚାନ୍ଦବାଲି ପୋଲିସ୍ ଥାନାକୁ ଡାକି ପଚରା ଉଚରା କରିଥିଲା। କିନ୍ତୁ ସେମାନେ ପୋଲିସକୁ ମାନସ ହତ୍ୟା ସମ୍ପର୍କରେ କିଛି କହି ପାରିନଥିଲେ। ଏହା ପରେ ମାର୍ଚ୍ଚ ୧୦ ତାରିଖରେ ପୋଲିସ ଡ୍ରାଇଭର ଭାଗ୍ୟଧର ନାୟକ, ବିବେକ ନାୟକ ଏବଂ କୃଷ୍ଣ ନାୟକଙ୍କୁ ଗିରଫ କରି ପଚରା ଉଚରା କରିଥିଲା। ଏହି ହତ୍ୟା ଘଟଣାରେ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ପୋଲିସ୍ ଜାଣିବାକୁ ପାଇଥିଲା।
ନିରଞ୍ଜନ ସେଠୀଙ୍କ ଗିରଫର ଦୁଇ ଦିନ ପୂର୍ବରୁ ପୋଲିସର ଏକ ଟିମ୍ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଡୋଭଲାରେ ଥିବା ତାଙ୍କ ପୈତୃକ ଘର ଏବଂ ଆଉ ଏକ ଟିମ୍ ଭୁବନେଶ୍ଵର ଇନଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତବିହାର ଘରେ ଚଢ଼ଉ କରିଥିଲେ। କିନ୍ତୁ ନିରଞ୍ଜନଙ୍କୁ ପାଇନଥିଲେ। ମାର୍ଚ୍ଚ ୨୧ ତାରିଖ ନିରଞ୍ଜନ ସେଠୀ କଟକ ମାଲଗୋଦାମ ଅଞ୍ଚଳରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ପୋଲିସ୍ ଖବର ପାଇ ସେଠାରେ ଚଢ଼ଉ କରିଥିଲା। ସେଠାରୁ ନିରଞ୍ଜନଙ୍କୁ ଗିରଫ କରିବାରେ ପୋଲିସ୍ ସଫଳ ହୋଇଥିଲା।
ମାନସ ହତ୍ୟା ଘଟଣାରେ ପୋଲିସ୍ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତଙ୍କର ଟେର ପାଇପାରୁ ନାହିଁ ପୋଲିସ୍। ଅନ୍ୟ ପକ୍ଷରେ ମଙ୍ଗଳବାର ମୃତ ମାନସଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ତାଙ୍କ ସ୍ଵାମୀର ହତ୍ୟା ପଛରେ ମନ୍ତ୍ରୀ ପ୍ରତାପ ଜେନା ଏବଂ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ହାତ ରହିଛି। ସେ ମଧ୍ୟ ମେମୋରୀ କାର୍ଡକୁ ନେଇ କଥା ଉଠାଇଛନ୍ତି। ଉକ୍ତ ମେମୋରୀ ଚିପ୍ରେ କିଛି ଅଶ୍ଳୀଳ ଭିଡିଓ ରହିଥିବା ମାନସଙ୍କ ପତ୍ନୀ କହିବା ସହ ଦୁଇ ମନ୍ତ୍ରୀଙ୍କ ଗିରଫ ପାଇଁ ଦାବି କରିଛନ୍ତି।
Tags: #MurderCase #CameramanManasSwain #Arrest #SarmisthaRout #NirajanSwain #FormerOISOfficer