ଓଡ଼ିଶାଲାଇଭ୍ ବ୍ୟୁରୋ

 

ରାତି ପାହିଲେ ପୌର ନିର୍ବାଚନ। ସହରୀ ଭୋଟର ନିଜ ନିଜର ନେତା ବାଛିବେ। ମାର୍ଚ୍ଚ ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ବୁଧବାର ସୂଚନା ଦେଇଛନ୍ତି।

ରାଜ୍ୟର ମୋଟ ୧୦୬ଟି ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ଓ ୩ଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ମୋଟ ୪୦ଲକ୍ଷ ୫୫ହଜାର ୫୩ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଲାଗି ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନିର୍ବାଚନ ନିମନ୍ତେ ସମସ୍ତ ପୋଲିଂ ପାର୍ଟି ଆଜି ନିଜ ନିଜ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି। ପୌର ନିର୍ବାଚନ ସୁପରିଚାଳନା ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ପ୍ରତି ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୪ ଜଣ ପୋଲିଂ ଅଧିକାରୀ ରହିବେ ବୋଲି ନିର୍ବାଚନ କମିଶନର କହିଛନ୍ତି।

ନିର୍ବାଚନ ଶାନ୍ତିଶୃଙ୍ଖଳାରେ ସାରିବାକୁ ୧୯୫ ପ୍ଲାଟୁନ ପୋଲିସ୍ ଫୋର୍ସ ବିଭିନ୍ନ ମତଦାନ କେନ୍ଦ୍ରରେ ମୁତୟନ ହେବେ। ଭୁବନେଶ୍ଵର ମହାନଗର ନିଗମ ପାଇଁ ୩୦ ପ୍ଲାଟୁନ, କଟକ ମହାନଗର ନିଗମ ପାଇଁ ୨୦ ପ୍ଲାଟୁନ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ୧୦ ପ୍ଲାଟୁନ ତଥା ଅନ୍ୟ ସହର ପାଇଁ ବାକି ପୋଲିସ୍ ଫୋର୍ସ ମୁତୟନ ହେବେ। ଭୁବନେଶ୍ଵରର ୧୧୫ଟି ବୁଥ୍ ସମ୍ବେଦଳଶୀଳ ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯିବା ସହ ଅଧିକ ସଜାଗ ରହିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥର ବାରମ୍ବାର ମତଦାନ କରୁଥିବା ଭୋଟରଙ୍କ ଉପରେ ତୀକ୍ଷ୍ନ ନଜର ରଖାଯିବ। ଏଥିପାଇଁ ପୂର୍ବରୁ ପ୍ରସ୍ତୁତି ସରିଛି। ଯଦି କୌଣସି ଭୋଟର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିବେ ଏବଂ ପୁନର୍ବାର ପୌର ନିର୍ବାଚନରେ ଭୋଟ ଦେବେ। ତେବେ ଏହି ଘଟଣାର ଯାଞ୍ଚ କରାଯିବା ସହ ତାଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସତର୍କ କରିଛନ୍ତି।

Tags: #Election #MunicipalElection #MunicipalElection2022 #BMC #CMC #BeMC #BJD #BJP #Congress

Comment