ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବ୍ୟବସାୟ ଜଗତରେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି ଉଦ୍ୟୋଗୀ ଦମ୍ପତି ଆଶିଷ ମହାପାତ୍ର ଏବଂ ରୁଚି କାଲ୍‌ରା। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଉଭୟଙ୍କ ଷ୍ଟାର୍ଟଅପ୍ ୟୁନିକର୍ନ (ଅନ୍ତର୍ଜାତୀୟ ବଜାର ଭାଷାରେ ‘ୟୁନିକର୍ନ’ ହେଉଛି ସେହି ସଂସ୍ଥା, ଯାହାର ମୂଲ୍ୟାୟନ ୧୦୦ କୋଟି ଆମେରିକୀୟ ଡଲାରରୁ ଅଧିକ।) ତାଲିକାରେ ସାମିଲ ହୋଇଛି। ଏଭଳି ସଫଳତା ପାଇବାରେ ସେମାନେ ହେଉଛନ୍ତି ଦେଶର ପ୍ରଥମ ଦମ୍ପତି।

ଯୁବ ଓଡ଼ିଆ ଉଦ୍ୟୋଗୀ ଆଶିଷ ମହାପାତ୍ର ହେଉଛନ୍ତି ‘ଅଫ୍‌ବିଜିନେସ୍‌’ ନାମକ ଷ୍ଟାର୍ଟଅପ୍‌ କମ୍ପାନିର ସହ ପ୍ରତିଷ୍ଠାତା ଏବଂ ସିଇଓ। ସେହିପରି ତାଙ୍କ ପତ୍ନୀ ରୁଚି କାଲ୍‌ରା ହେଲେ ‘ଅକ୍ସିଜୋ ଫାଇନାନ୍ସିଆଲ୍ ସର୍ଭିସେସ୍‌’ ନାମକ ଏକ ଷ୍ଟାର୍ଟଅପ୍‌ ସଂସ୍ଥାର ସହ ପ୍ରତିଷ୍ଠାତା ତଥା ଚିଫ୍ ଫାଇନାନ୍ସ ଅଫିସର। ଅଫ୍‌ବିଜିନେସ୍ ୨୦୨୧ ମସିହାରେ ୟୁନିକର୍ନ ତାଲିକାରେ ସାମିଲ ହୋଇଥିବା ବେଳେ ଚଳିତ ବର୍ଷ ଅକ୍ସିଜୋ ଫାଇନାନ୍ସିଆଲ୍ ସର୍ଭିସେସ୍‌ ବିଶ୍ଵର ଏକ ୟୁନିକର୍ନ ହୋଇପାରିଛି।  କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଷ୍ଟାର୍ଟଅପ୍‌ଗୁଡ଼ିକୁ ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ାଇବା ଲାଗି ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ଅଫ୍‌ବିଜିନେସ୍। ଏହି ସଂସ୍ଥା ଛୋଟ ଛୋଟ ଷ୍ଟାର୍ଟଅପ୍‌ଗୁଡ଼ିକୁ ସୁଲଭ ମୂଲ୍ୟରେ କଞ୍ଚାମାଲ, ପୁଞ୍ଜି ଏବଂ ବିଭିନ୍ନ ବ୍ୟବସାୟ ଭିତ୍ତିକ ସୂଚନା ଯୋଗାଇଥାଏ। ସେହିପରି ୨୦୧୭ ମସିହାରେ ଆରମ୍ଭ ହୋଇଥିଲା ‘ଅକ୍ସିଜୋ ଫାଇନାନ୍ସିଆଲ୍ ସର୍ଭିସେସ୍‌’। ଏହା ହେଉଛି ଏକ ଡିଜିଟାଲ୍‌ ଋଣ ପ୍ରଦାନକାରୀ ସଂସ୍ଥା।

Tag: #Oxyzo #ofBusiness #RuchiKalra #AsishMohapatra #Unicorn #StartupIndia

Comment