ଶୁଭଶ୍ରୀ ନାୟକ

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଦୀର୍ଘଦିନର ନୃତ୍ୟ ଯାତ୍ରା ବିଷୟରେ ଜାଣନ୍ତୁ ଓଡ଼ିଶାଲାଇଭ୍ ଏହି ସ୍ୱତନ୍ତ୍ର ସାକ୍ଷାତକାରରେ

ଓଡ଼ିଶାର ଜଣେ ବଳିଷ୍ଠ ଯୁବ ପ୍ରତିଭା ଶାଶ୍ୱତ ଯୋଶୀ। ଓଡ଼ିଶାର ଟିଟିଲାଗଡ଼ରୁ ଆସି ପୃଥିବୀର ବିଭିନ୍ନ ମଞ୍ଚରେ ନୃତ୍ୟକଳା ପାଇଁ ଆଜି ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ଜୀବନ ଯାତ୍ରାରେ ଅନେକ ସଂଘର୍ଷକୁ ସାମ୍ନା କରି ନିଜ ସ୍ୱପ୍ନକୁ ପୂରା କରିବା ସହିତ ସଫଳତା ପାଇଛନ୍ତି।

ଶାଶ୍ୱତ ଯୋଶୀ, ୧୮ ଡିସେମ୍ବର ୧୯୮୪ରେ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ। ସେ ମାତ୍ର ୫ ବର୍ଷ ବୟସରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ପାଖରେ କେହି ଗୁରୁଜୀ ନଥିଲେ, ଟିଭିରୁ ବିଭିନ୍ନ କାର୍ଯ୍ୟକ୍ରମ ଦେଖି ସେ ନୃତ୍ୟ କରିବା ଆରମ୍ଭ କରିଥିଲେ।

ଶାଶ୍ୱତ ଯୋଶୀ, ଘରେ ଘରେ ପରିଚିତ ନାଁ ଟିଏ। ଖୁବ୍ କମ୍ ବୟସରେ ଶାଶ୍ୱତଙ୍କୁ ଅନେକ ସଫଳତା ମିଳିଛି। ଶାଶ୍ୱତଙ୍କର ଏହି ଲମ୍ବା ଯାତ୍ରା କେମିତି ରହିଛି?

ଯାତ୍ରା ତ ବହୁତ ଲମ୍ବା, ଯାହାର ଅନ୍ତ ନାହିଁ। ଯାତ୍ରା ଆଗକୁ ବି ଜାରି ରହିବ। ମୁଁ ଭାବେ ମତେ ଯେତେବେଳେ ନବେ ବର୍ଷ ହୋଇଥିବ ସେତେବେଳେ ବି ଯଦି ଲୋକେ ମତେ ମଞ୍ଚରେ ଦେଖିବାକୁ ଚାହିଁବେ, ତେବେ ମୁଁ ନିଶ୍ଚୟ ପାଦରେ ଘୁଙ୍ଗୁର ବାନ୍ଧି ମଞ୍ଚକୁ ଆସିବି।

ଓଡ଼ିଶୀ ନୃତ୍ୟରେ ପୁଅମାନେ ଅଛନ୍ତି। କିନ୍ତୁ ସମସ୍ତଙ୍କ ମଧ୍ୟରୁ ଆପଣ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଲୋକପ୍ରିୟତା ହାସଲ କରିଛନ୍ତି। ସଫଳତାକୁ କେମିତି ବର୍ଣ୍ଣନା କରିବେ?

ମୁଁ କେବେ ବି ନିଜକୁ ଅନ୍ୟମାନଙ୍କଠୁ ଭିନ୍ନ ଭାବିନି। କିନ୍ତୁ ହଁ ନିଜକୁ ମୁଁ ସ୍ୱତନ୍ତ୍ର ବୋଲି ଭାବେ। ପିଲାବେଳୁ ମୁଁ ଗୋଟିଏ ଏମିତି ପରିବେଶରେ ବଢ଼ିଛି ଯେ, ଯେଉଁଠି ସବୁବେଳେ ମୁଁ ନିଜକୁ ସ୍ୱତନ୍ତ୍ର ଅନୁଭବ କରିଛି। ବାକି ରହିଲା ସଫଳତା, ମୁଁ କେବେ ସଫଳତାକୁ ଲକ୍ଷ୍ୟ ଭାବେନି ବରଂ ଗୋଟିଏ ଯାତ୍ରା ଭାବେ। ଏହି ଯାତ୍ରା ସବୁବେଳେ ଜାରି ରହିବ।

ଟିଟିଲାଗଡ଼ରେ ଆପଣଙ୍କ ଜନ୍ମ। ସେଇଠି ପଢ଼ିଛନ୍ତି, ବଢ଼ିଛନ୍ତି। କିନ୍ତୁ କେବେଠୁ ଓ କାହିଁକି ଏହି ଆପଣ ଡ୍ୟାନ୍ସ କରିବେ ବୋଲି ଭାବିଲେ?

ପିଲାବେଳୁ ଜିଦ୍‌ ଥିଲା ମୁଁ ନୃତ୍ୟ କରିବି। କିନ୍ତୁ ଘରେ ଓଡ଼ିଶୀ ପାଇଁ ଆଦୌ ରାଜିନଥିଲେ। ସେଇଟା ଝିଅମାନଙ୍କ ନାଚ ବୋଲି କହି ମତେ ବାରଣ କରୁଥିଲେ। କିନ୍ତୁ ମୁଁ ଗୁରୁ କେଳୁଚରଣ ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ଦେଖିଥିଲି। ତାଙ୍କୁ ଦେଖି ମତେ ଲାଗିଥିଲା ଯେ ଯଦି ସେ କରିପାରୁଛନ୍ତି ତାହେଲେ ମୁଁ କାଇଁ କରିପାରିବିନି। ସେହି ଜିଦ୍‌ ଯୋଗୁଁ ମୁଁ ନୃତ୍ୟ କରିପାରିଲି।

ଘୁଙ୍ଗୁର ଯାହାର ବନ୍ଧୁ ହୋଇଯିବ, ସେ ଆଉ କାହାକୁ ଭଲ ପାଇପାରିବ ନାହିଁ। ପିଲାବେଳୁ ଘୁଙ୍ଗୁର ଓ ଦର୍ପଣ ମୋର ବନ୍ଧୁ ହୋଇଗଲେ।  ବାପା, ମା’ ମନା କରୁଥିଲେ କିନ୍ତୁ ମୋ ଜିଦ ଆଗରେ ସେମାନଙ୍କୁ ହାର୍‌ ମାନିବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ସେମାନେ ହୃଦୟରୁ ସମର୍ଥନ ଦେଇଥିଲେ।

ଆପଣଙ୍କର ଓଡ଼ିଶୀ ଡ୍ୟାନ୍ସକୁ ଆସିବାରେ ଗୋଟିଏ ଭଲ କାହାଣୀ ରହିଛି। ସ ବିଷୟର କ’ଣ କହିବେ?

ମୁଁ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ନୃତ୍ୟ କରୁଥିଲି। ସେହି କାର୍ଯ୍ୟକ୍ରମରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟ ଅତଥି ଥିଲେ। ସେ ମୋ ନୃତ୍ୟ ଦେଖି କହିଥିଲେ ଯେ ମୁଁ ବଡ଼ ହେଲେ ଜଣେ ବଡ଼ ନୃତ୍ୟଶିଳ୍ପୀ ହେବି। ସେ ହିଁ ମତେ ଭୁବନେଶ୍ୱର ଆଣିଥିଲେ।

୨୦୦୦ ପ୍ରଥମ ଥର ଭୁବନେଶ୍ୱର ଆସିଲେ। ପ୍ରଥମେ ପ୍ରଥମେ ଶାଶ୍ୱତଙ୍କୁ ରାଜଧାନୀରେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ସଂଘର୍ଷର ସେହି ଦିନକୁ ଶାଶ୍ୱତ କେମିତି ମନେ ପକାଇବେ?

୨୦୦୦ ମସିହାରେ ମୁଁ ଟିଟିଲାଗଡ଼ ଛାଡ଼ିକି ଭୁବନେଶ୍ୱର ଆସିଥିଲି। ସେତେବେଳେ ମୋ ସାମ୍ନାରେ ବହୁତ ଚାଲେଞ୍ଜ ଥିଲା। ନା ମୁଁ ଇଂରାଜୀ କହିପାରୁଥିଲି ନା ମତେ ଭଲରେ ଓଡ଼ିଆ କହି ଆସୁଥିଲା। ତେଣୁ ମୁଁ କାହା ସହ କଥା ମଧ୍ୟ ହୋଇପାରୁନଥିଲି। ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ଆସୁଥିବା ଗୁରୁ କିମ୍ବା ବିଦେଶୀ ଛାତ୍ରଛାତ୍ରୀଙ୍କ ସହ ମୋର କଥାବାର୍ତ୍ତା ହେଉନଥିଲା। ତେଣୁ ପ୍ରଥମେ ଡ୍ୟାନ୍ସ ଶିଖିବା ସହିତ ମୁଁ ଇଂରାଜୀ ଓ ଓଡ଼ିଆରେ କଥା ହେବା ଶିଖିଲି।  ଏ ସବୁର ସମାଧାନ ହୋଇଗଲା ସିନା ମୋର ଯେଉଁ ଆର୍ଥିକ ସମସ୍ୟା ଥିଲା ତାକୁ କେମିତି ସମାଧାନ କରିବି ଭାବିଲି। ସାଇକେଲ ଧରି ଛୋଟ ଛୋଟ ପିଲାଙ୍କୁ ଡ୍ୟାନ୍ସ ଶିଖାଇବାକୁ ଗଲି। ଏମିତିକି ହୋଟେଲରେ କାମ କରିଲି। ବେଳେ ବେଳେ କଷ୍ଟ ଲାଗେ କିନ୍ତୁ ପରେ ଭାବେ ସେହି ସଂଘର୍ଷ ମତେ ଦୃଢ଼ କଲା।

ଆପଣ ଗୁରୁ କେଳୁଚରଣ ମହାପାତ୍ର ରିସର୍ଚ୍ଚ ସେଣ୍ଟରରେ ଓଡ଼ିଶୀ ଶିଖିଲେ। ତାପରେ ଗୁରୁ ଇଲିଆନା ଚିତାରିସ୍ତିଙ୍କୁ ଭେଟିଲେ। ତାଙ୍କ ସହିତ ପ୍ରଥମ ଥର ଲାଗି ସାଉଥ୍ କୋରିଆରେ ଡ୍ୟାନ୍ସ କରିବାର ସୁଯୋଗ ପାଇଲେ। କେମିତି ଏହି ସଂଯୋଗ ହୋଇଥିଲା?

ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମୋର ଟ୍ରେନିଂ ସରିବା ପରେ ମୁଁ କ’ଣ କରିବି ଭାବି ଭାରି ଚିନ୍ତାରେ ଥାଏ। ସେତିକିବେଳେ ଗୁରୁ ଇଲିଆନା ଚିତାରିସ୍ତଙ୍କୁ ତାଙ୍କର ଏକ କାର୍ଯ୍ୟକ୍ରମ ପାଇଁ ଜଣେ ପୁରୁଷ ନୃତ୍ୟଶିଳ୍ପୀ ଦରକାର ଥିଲା। ମୁଁ ଏ କଥା ଜାଣିବା ପରେ ତାଙ୍କୁ ଭେଟିଥିଲି। ପ୍ରଥମେ ସେ ମତେ ଦେଖି ଛୋଟପିଲା କହି ମନା କରିଦେଇଥିଲେ। କିନ୍ତୁ ପରେ ମୋ ନୃତ୍ୟ ଦେଖି ସେ ମତେ ତାଙ୍କ ସାଙ୍ଗରେ ନୃତ୍ୟ କରିବାକୁ ସୁଯୋଗ ଦେଇଥିଲେ। ମୁଁ ତାଙ୍କ ସହିତ ସାଉଥ କୋରିଆରେ ପ୍ରଥମ ଥର ନୃତ୍ୟ କରିବାର ସୁଯୋଗ ପାଇଥିଲି। ତା’ ପରେ ଆଉ କେବେ ପଛକୁ ଚାହିଁନି। ଏବେ ଯାଏଁ ପ୍ରାୟ ୬୦ରୁ ଅଧିକ ଦେଶରେ ମୁଁ ନୃତ୍ୟ ପରିବେଷଣ କରିସାରିଛି।

ଦୀର୍ଘଦିନର କ୍ୟାରିୟର ଭିତରେ ଆପଣ ଆମେରିକା, ଲଣ୍ଡନ, ପ୍ୟାରିସ୍ ଭଳି ସ୍ଥାନରେ ଡ୍ୟାନ୍ସ କରି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଯେତେବେଳେ ବିଦେଶରେ ଓଡ଼ିଶୀ କିମ୍ବା ସମ୍ବଲପୁରୀ ପରିବେଷଣ କରନ୍ତି। ସେହି ସମୟର ଅନୁଭୂତି ଟିକେ କହନ୍ତୁ।

ଯେତେବେଳେ ପ୍ୟାରିସ୍‌ ଯାଇଥିଲି, ସେତେବେଳେ ମୋର ବ୍ୟାଗ ଚୋରି ହୋଇଯାଇଥିଲା। ସେଠାରେ ମତେ ମାସେ ରହିବାର ଥିଲା। କିନ୍ତୁ ମୋ ପାଖରେ ଟଙ୍କା ନଥିଲା, କ’ଣ କରିବି କିଛି ଭାବି ପାରୁନଥିଲି। ଚଳିବା ପାଇଁ ମୁଁ ପ୍ୟାରିସ୍‌ର ରାଜରାସ୍ତା ଉପରେ ନାଚିଥିଲି। ସେହିଦିନ ମୁଁ ସଂକଳ୍ପ ନେଇଥିଲି ଯେ ମୁଁ ନିଜକୁ ଏମିତି ଦିନେ ଗଢ଼ି ତୋଳିବି ଯେ ଫ୍ରାନ୍ସ ସରକାର ଦିନେ ମତେ ପୁରସ୍କୃତ କରିବେ। ତାହା ହିଁ ହେଲା। ବିଦେଶରେ ଓଡ଼ିଶାର କଳା ସଂସ୍କୃତିକୁ ଉପସ୍ଥାପନ କରିବାର ଖୁସି ଆଉ କ’ଣ ହୋଇପାରେ।

ପ୍ରଥମ ଥର ଯେତେବେଳେ ଫ୍ରାନ୍ସର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରେଡ୍ କାର୍ପେଟ ଉପରେ ଚାଲିଥିଲେ, ସେ ଦିନର ଅନୁଭୂତି କେମିତି ଥିଲା?

ଯେତେବେଳେ ଫ୍ରାନ୍ସର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରେଡ୍‌ କାର୍ପେଟ ଉପରେ ଚାଲିବାର ସୁଯୋଗ ମିଳିଥିଲା, ମନରେ ଯେତିକି ଉତ୍ସାହ ଥିଲା ସେତିକି ଡର ମଧ୍ୟ ଥିଲା। ମୁଁ ଗୋଟିଏ ସମ୍ବଲପୁରୀ ଡ୍ରେସ୍‌ ପିନ୍ଧିଥିଲି। ସେଦିନର ଅନୁଭୂତି ମୁଁ ମୋ ଜୀବନରେ କେବେ ଭୁଲିପାରିବିନି।

ଆପଣଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଆମେ ଦେଖି ଆସୁଛୁ। ସେ ରିଆଲିଟି ସୋ ହେଉ କି ଆଓ୍ୱାର୍ଡ ସୋ’ ଆପଣଙ୍କ ଗେଟ୍ ଅପ୍ ପାଇଁ ସେଠି ଆପଣ ବାରି ହୋଇପଡ଼ନ୍ତି। ଏହି ନିଆରା ଗେଟଅପ୍ ପଛର କାରଣ କ?

ମୁଁ ସବୁବେଳେ ଚାହେଁ ଓଡ଼ିଶା ଗୋଟିଏ ଫ୍ୟାଶନ କ୍ୟାପିଟାଲ ହେଉ। ସେଥିପାଇଁ ମୁଁ ସବୁବେଳେ ମୋ ବେଶ ପୋଷାକରେ ଭିନ୍ନତା ରଖେ। ଓଡ଼ିଶାର କଳା, ସଂସ୍କୃତିର ଝଲକ ସେଥିରେ ଥାଏ। ମୁଁ ଯେତେବେଳେ ରାଜ୍ୟ ବାହାରେ ସେମିତି କିଛି ପୋଷାକ ପିନ୍ଧି ଯାଏ ତା’ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। କିଛି ଲୋକ ସମାଲୋଚନା କରନ୍ତି। କିନ୍ତୁ ମୁଁ ଶୁଣେ ନାହିଁ।

ଆପଣ ଲୋକପ୍ରିୟ। ଓଡ଼ିଶା ତଥା ଓଡ଼ିଶା ବାହାରେ ଓ ଦେଶ ବିଦେଶରେ ପରିଚିତ। କିନ୍ତୁ ଅନେକ ସମୟରେ ବିଭିନ୍ନ ବିବାଦରେ ଶାଶ୍ୱତ ଛନ୍ଦି ହୋଇପଡ଼ିଛନ୍ତି। କିଛି ଲୋକ ଆପଣଙ୍କୁ ବିଭିନ୍ନ ନାଁରେ ଡାକନ୍ତି। ଏ ବାବଦରେ କଣ କହିବେ?

ବିବାଦ ସଫଳତାର ଆଉ ଏକ ପାହାଚ। ଅନେକ ସମୟରେ ମୁଁ ବିବାଦରେ ଛନ୍ଦି ହୋଇପଡ଼ିଛି। ବିଭିନ୍ନ ଲୋକଙ୍କଠାରୁ ବିଭିନ୍ନ କଥା ଶୁଣିଛି। କିନ୍ତୁ ପୁଣି ଭାବେ ମତେ ନେଇ ସମସ୍ତେ ଯେ ଖୁସି ହେବେ ତା’ର କିଛି ମାନେ ନାହିଁ। ତେଣୁ ମତେ ବିବାଦ ପ୍ରଭାବିତ କରିପାରନାହିଁ।

ଆପଣଙ୍କ ବାହାଘର ଗୋଟିଏ ନାଟକୀୟ ଢଙ୍ଗରେ ହୋଇଥିଲା। ଆପଣଙ୍କର ଯିଏ ଜୀବନସାଥୀ ତାଙ୍କୁ ଆପଣ ହାଇଦ୍ରାବାଦରେ ଭେଟିଥିଲେ। କେମିତି ଲଭଷ୍ଟୋରି ଆରମ୍ଭ ହୋଇଥିଲା?

ମୋର ବାହାଘର ଭାରି ମଜାଳିଆ ଢଙ୍ଗରେ ହୋଇଥିଲା। ମୁଁ ପ୍ରଥମ ଥର ଯେତେବେଳେ ହାଇଦ୍ରାବାଦରେ ସୁଚରିତାଙ୍କୁ ଭେଟିଥିଲି ପ୍ରଥମ ନଜରରେ ହିଁ ପ୍ରେମ ହୋଇଯାଇଥିଲା। ଘରେ ଯେମିତି ଝିଅ ମୋ ପାଇଁ ଖୋଜୁଥିଲେ ସୁଚରିତା ସମ୍ପୂର୍ଣ୍ଣ ସେମିତି ଥିଲେ। ମୁଁ ଘରେ କହିଲି। ତା’ପରେ ଆମର ବାହାଘର ହେଲା। ଏବେ ମୋର ଗୋଟିଏ ଝିଅ। ସେ ମଧ୍ୟ ଡ୍ୟାନ୍ସରେ ବେଶ୍‌ ରୁଚି ରଖେ।

Tags: SaswatJoshi #Odisha #OdissiDance #OdishaCulture #ଶାଶ୍ୱତଯୋଶୀ #ଓଡ଼ିଶୀ #ଓଡ଼ିଶୀନୃତ୍ୟଶିଳ୍ପୀ

Comment