ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନ ଧରି ନିର୍ବାଚନକୁ ନେଇ ଲାଗି ରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। କିଏ ହେବ ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର, ତାକୁ ନେଇ ସମସ୍ତଙ୍କ ମନରେ ଉଠିଥିବା ପ୍ରଶ୍ନର ଉତ୍ତର ମିଳିଗଲା। ଭୁବନେଶ୍ଵର ଭୋଟରଙ୍କ ମନ ଜିଣିବାରେ ସଫଳ ହେଲେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ।

ରାଜ୍ୟରେ ୧୦୬ ପୌରାଞ୍ଚଳ ଏବଂ ୩ ମହାନଗର ନିଗମ ପାଇଁ ନିର୍ବାଚନ ହୋଇଥିଲା। ଗତ ମାର୍ଚ୍ଚ ୨୪ ତାରିଖ ନିର୍ବାଚନ ଶେଷ ହୋଇ ଆଜି ଅର୍ଥାତ୍ ମାର୍ଚ୍ଚ ୨୬ ତାରଖ ଭୋଟ ଗଣତି ହୋଇଥିଲା। ପ୍ରାର୍ଥୀ, ନେତା ଏବଂ ଜନତାଙ୍କ ନଜର ଅଟକି ରହିଥିଲା ମହାନଗର ନିଗମର ମେୟର ପଦବୀ ଉପରେ। ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲେ।

ବିଜେଡି ସୁଲୋଚନା ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ପ୍ରାର୍ଥୀ ହୋଇଥିଲେ ରାଜନୀତିରେ ଅଭିଜ୍ଞତା ନଥିବା ଡକ୍ଟର ସୁନୀତି ମୁଣ୍ଡଙ୍କୁ। କଂଗ୍ରେସର ବିଏମସି ମେୟର ପ୍ରାର୍ଥୀ ହୋଇଥିଲେ ମଧୁସ୍ମିତା ଆଚାର୍ଯ୍ୟ।

ନିର୍ବାଚନ ପୂର୍ବରୁ ତିନି ଦଳର ମେୟର ପ୍ରାର୍ଥୀ ଭୁବନେଶ୍ଵରର ବିଭିନ୍ନ ସମସ୍ୟାକୁ ପ୍ରସଂଗ କରି ସହରୀ ଭୋଟରଙ୍କ ମନ କିଣିବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ଦଳର ହେଭିଓ୍ଵେଟ ନେତାମାନେ ନିଜ ନିଜର ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ପ୍ରଚାର କରୁଥିଲେ। ଶେଷରେ ଦଳର ସମ୍ମାନ ରକ୍ଷା କରିଛନ୍ତି ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ।

ସୁଲୋଚନା ଦାସ ହେଲେ ବିଏମସିର ପ୍ରଥମ ମହିଳା ମେୟର

ଭୁବନେଶ୍ଵର ମହାନଗର ନିଗମର ମେୟର ଆସନରେ ବାଜିମାତ୍ କରିଛନ୍ତି ବିଜେଡିର ସୁଲୋଚନା ଦାସ। ମୋଟ ୬୧,୧୪୩ ଖଣ୍ଡ ଭୋଟ ବ୍ୟବସାଧନରେ ମେୟର ଆସନରେ ବିଜୟୀ ହୋଇଛନ୍ତି ସୁଲୋଚନା। ସୁଲୋଚନାଙ୍କୁ ୧,୭୪,୫୬୧ ଖଣ୍ଡ ଭୋଟ ହାସଲ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ୧,୧୩,୪୧୯ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ୧୧,୦୦୬ ଖଣ୍ଡ ଭୋଟ ମିଳିପାରିଛି। ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ବିଏମସି ମେୟର ପଦବୀ ପାଇଁ ଲଢ଼େଇ ହୋଇଥିଲା। ବିଜୟ ହସଲ ପରେ ବିଏମ୍‌ସିର ପ୍ରଥମ ମହିଳା ମେୟର ହୋଇଛନ୍ତି ସୁଲୋଚନା ଦାସ।

ସାମ୍ବାଦିକତାରୁ ରାଜନୀତି

ସୁଲୋଚନା ଦାସ ମୂଳରୁ ରାଜନୀତିରେ ନଥିଲେ। ପ୍ରଥମେ ସେ ସାମ୍ବାଦିକତା କରୁଥିଲେ। ସାମ୍ବାଦିକତାରୁ ସେ ରାଜନୀତି କ୍ଷେତ୍ରକୁ ଓହ୍ଲାଇଥିଲେ। ୧୪ ବର୍ଷ ଧରି ସାମ୍ବାଦିକତା କରିବା ପରେ ରାଜନୀତିରେ ପାଦ ଦେଇଥିଲେ ସୁଲୋଚନା ଦାସ। ପ୍ରଥମେ ସେ କଂଗ୍ରେସର ମୁଖପାତ୍ର ଭାବେ ନିଯୁକ୍ତ ହୋଇଥିଲେ। ପରେ କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ଵ ନେଇଥିଲେ।

ଆଗେ କଂଗ୍ରେସ, ପରେ ବିଜେଡିରେ ସାମିଲ ହୋଇଥିଲେ

ସୁଲୋଚନା ଦାସ ପ୍ରଥମେ କଂଗ୍ରେସରେ କିଛି ଦିନ କାମ କରୁଥିଲେ। ଏହା ପରେ ସେ ୨୦୧୭ରେ ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ବିଜେଡିର ମୁଖପାତ୍ର ଦାୟିତ୍ଵ ଦିଆଯାଇଥିଲା। ଏବେ ସେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଦାୟିତ୍ଵ ତୁଲାଉଥିଲେ। ସୁଲୋଚନା ଦାସଙ୍କ ମୁଣ୍ଡରେ ବଡ଼ ଦାୟିତ୍ୱ ରହିଥିଲା ଭୁବନେଶ୍ୱରରୁ ଜିତି ଦଳର ସମ୍ମାନ ରକ୍ଷା କରିବା। ଆଜିର ଫଳଫଳ ଆସିବା ପରେ ସୁଲୋଚନାଙ୍କ ମନୋବଳ ଆହୁରି ମଜବୁତ ହୋଇଯାଇଥିବା ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେ ସୁଲୋଚନା

ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମେୟର ଆସନ ଜିତି ଥିବା ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛନ୍ତି। ଏହା ସହ ଭୋଟରମାନଙ୍କୁ ଦଳ ପ୍ରତି ରହିଥିବା ସେମାନଙ୍କ ବିଶ୍ଵାସ ଏବଂ ଭଲପାଇବା ପାଇଁ ଧନ୍ୟବାଦ ଦେଇଥିଲେ। ଭୁବନେଶ୍ଵରରେ ରହିଥିବା ସମସ୍ୟାର ସମାଧାନ ଦିଗରେ କାମ କରିବାକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି ସୁଲୋଚନା।

Tag: #MunicipalElection #BMC #CMC #BeMC #MunicipalElectionResult #MeyorElection #BJDWins #BJP #Congress #SulochanaDas

Comment