ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ମହାନଗର ନିଗମରେ ବିଜେଡି ଆଉ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଚାଲିଛି। ଘଣ୍ଟାକେ ଦୁଇ ଦଳର ଭୋଟ୍ ଗଣିତ ଏପାଖ ସେପାଖ ହେଉଛି। ଇତି ମଧ୍ୟରେ କଂଗ୍ରେସକୁ ଚେକ୍ ଦେଇ ପୁଣି ଆଗେଇଛି ବିଜେଡି। ଅପରାହ୍‌ଣ ୧ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ୨୪,୦୫୪ ଖଣ୍ଡ ଭୋଟରେ ଆଗରେ ଥିବା ବେଳେ ତାଙ୍କ ପଛକୁ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୧୭,୧୯୬ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି।ହେଲେ କଟକରେ ଏଥର ପଛରେ ପଡ଼ିଯାଇଛି ବିଜେପି। ଅପରାହ୍‌ଣ ୧ଟା ସୁଦ୍ଧା ବିଜେପି ମେୟର ପ୍ରାର୍ଥୀ ଶ୍ରୀତମ ଦାସଙ୍କ ଖାତାରେ ମାତ୍ର ୭,୮୪୯ ଖଣ୍ଡ ଭୋଟ୍ ପଡ଼ିଛି। ତେଣୁ କଟକରେ ଏଥର ବିଜେପିର ପ୍ରଦର୍ଶନ ଏତେ ଖାସ୍ ରହିବନି ବୋଲି ସ୍ପଷ୍ଟ ସଙ୍କେତ ମିଳୁଛି। ହେଲେ କଂଗ୍ରେସର ପ୍ରଦର୍ଶନରୁ ଯାହା ଜଣାପଡୁଛି କଟକ ଭୋଟରମାନେ ଏଥର କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ତେବେ କଟକ ମେୟର ଆସନକୁ ଏଥର କିଏ ଅକ୍ତିଆର କରିବ ସବୁ ରାଉଣ୍ଡ ଭୋଟ୍ ଗଣତି ପରେ ତାହା ସ୍ପଷ୍ଟ ହୋଇଯିବ।  ସାରା ରାଜ୍ୟର ୧୦୬ଟି ପୌରାଞ୍ଚଳ ଏବଂ ୩ଟି ମହାନଗର ନିଗମ ପାଇଁ ଏଥର ନିର୍ବାଚନ ହୋଇଥିଲା, ଆଉ ଆଜି ଭୋଟ୍ ଗଣତି ପାଳି। ଭଦ୍ରକର ଧାମନଗର ଏନଏସିକୁ ଛାଡ଼ି ବାକି ୧୦୫ଟି ପୌରାଞ୍ଚଳ ଏବଂ ୩ଟି ମହାନଗର ନିଗମ ପାଇଁ ଆଜି ଭୋଟ୍ ଗଣତି ଚାଲିଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ଗଣତି ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

Tag; #OdishaMunicipalElection2022 #Cuttack #CMC #BJD #BJP #Congress #କଟକମହାନଗରନିଗମ

Comment