ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଦୀର୍ଘ ଦିନ ଧରି ଲାଗି ରହିଥିବା ଲଢ଼େଇରେ ଆଜି ପୂର୍ଣ୍ଣଛେଦ ପଡ଼ିଲା। ଶେଷରେ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ହାତେଇବାରେ ସଫଳ ହେଲେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ।

ରାଜ୍ୟରେ ୧୦୬ ପୌରାଞ୍ଚଳ ଏବଂ ୩ ମହାନଗର ନିଗମ ପାଇଁ ନିର୍ବାଚନ ହୋଇଥିଲା। ଗତ ମାର୍ଚ୍ଚ ୨୪ ତାରିଖ ନିର୍ବାଚନ ଶେଷ ହୋଇ ଆଜି ଅର୍ଥାତ୍ ମାର୍ଚ୍ଚ ୨୬ ତାରଖ ଭୋଟ ଗଣତି ଚାଲିଥିଲା। ପ୍ରାର୍ଥୀ, ନେତା ଏବଂ ଜନତାଙ୍କ ନଜର ଅଟକି ରହିଥିଲା ନିର୍ବାଚନ ଫଳାଫଳ ଉପରେ। ଖାସ କରି ମହାନଗର ନିଗମର ମେୟର ପଦବୀକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା। ସବୁ ଆଶା ଆଶଙ୍କାର ଅନ୍ତ ହୋଇ ଶେଷରେ ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମହିଳା ମେୟର ପଦବୀ ଜିତିବାରେ ସଫଳ ହୋଇଛି ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ।

ସଂଘମିତ୍ରା ମୋଟ ୨୦,୨୮୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ବ୍ରହ୍ମପୁର ମହାନଗର ନିଗମରେ ତିନି ପ୍ରମୁଖ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ସଂଘମିତ୍ରା ଦଳାଇ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ପ୍ରାର୍ଥୀ ହୋଇଥିଲେ ସବିତା ସୁଆର ଏବଂ କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥ। ମେୟର ନିର୍ବାଚନରେ ବିଜେଡି ଏବଂ ବିଜେପି ମଧ୍ୟରେ ନିର୍ବାଚନ ଲଢ଼େଇ ହୋଇଥିଲା।

ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ମୋଟ ୬୬,୦୬୮ ଖଣ୍ଡ ଭୋଟ ପାଇଁ ବିଜୟ ହାସଲ କରିଛନ୍ତି। ଏହି ନିର୍ବାଚନରେ ବିଜେପିକୁ ୪୫,୭୮୨ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସକୁ ମିଳିଛି ମାତ୍ର ୬,୭୬୮ ଖଣ୍ଡ ଭୋଟ।

ଚଳିତ ପୌର ନିର୍ବାଚନରେ ଭୁବନେଶ୍ଵର ଏବଂ ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀ ମହିଳାଙ୍କ ଲାଗି ସଂରକ୍ଷିତ ରହିଥିଲା। ଏହି ଘୋଷଣା ପରଠାରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥିଲା ଏହି ଦୁଇ ମହାନଗର ନିଗମର କିଏ ହେବ ପ୍ରଥମ ମହିଳା ମେୟର।

ବ୍ରହ୍ମପୁରର ପ୍ରଥମ ମହିଳା ମେୟର ହେଲେ ସଂଘମିତ୍ରା ଦଳାଇ

ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀ ପାଇଁ ତିନି ପ୍ରମୁଖ ଦଳ ବଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଥିଲେ। ନିଜ ଦଳର ସମ୍ମାନ ରକ୍ଷା କରିବା ଏବଂ ମେୟର ପଦବୀ ହାସଲ କରିବାକୁ ପ୍ରସ୍ତୁତ ହୋଇଥିଲେ ପ୍ରାର୍ଥୀ। ପ୍ରଚାର ଜୋରସୋର କରିବା ସହ ସ୍ଥାନୀୟ ସମସ୍ୟାକୁ ପ୍ରସଂଗ କରି ବାହାରିଥିଲେ ସହରୀ ଭୋଟରଙ୍କ ମନ ଜିଣିବାକୁ। ଆଜିର ଫଳାଫଳକୁ ନେଇ ସମସ୍ତଙ୍କ ମନରେ ଉତ୍ସହ ଦେଖାଦେଇଥିଲା। ସହରୀ ଭୋଟରଙ୍କ ସମର୍ଥନ ପରେ ସଂଘମିତ୍ରାକୁ ମେୟର ପଦବୀରେ ବିଜୟ ମିଳାଲା। ଏବେ ସଂଘମିତ୍ରା ହୋଇଛନ୍ତି ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମହିଳା ମେୟର।

କଂଗ୍ରେସରୁ ବିଜେଡିକୁ ଆସିଥିଲେ ସଂଘମିତ୍ରା

ସଂଘମିତ୍ରା କଂଗ୍ରେସ ଦଳରେ କିଛି ବର୍ଷ ରହିବା ପରେ ବିଜେଡିରେ ଯୋଗ ଦେଇଥିଲେ। ସେ ୨୦୦୩ ମସିହାରେ କଂଗ୍ରେସ ଟିକେଟରେ କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ୨୦୦୮ରେ କଂଗ୍ରେସ ଟିକେଟରେ କାଉନସିଲର ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ। ସଂଘମିତ୍ରା ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ଥିଲେ।

ତେବେ ୨୦୧୧ ମସିହାରେ ସଂଘମିତ୍ରା କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୧୩ ମସିହାରେ ବିଜେଡି ଟିକେଟରୁ ବିଜୟୀ ହୋଇ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର୍ ଭାବେ ନିର୍ବାଚିତ ହୋଇଥିଲେ। ଏବେ ସଂଘମିତ୍ରା ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ଅଛନ୍ତି। ବିଜେଡି ଯେଉଁ ଭରସା ସଂଘମିତ୍ରାଙ୍କ ଉପରେ ରଖିଥିଲା ସେଥିରେ ସେ ନିଜକୁ ଉପଯୁକ୍ତ ସାବ୍ୟସ୍ତ କରିଛନ୍ତି।

Tag: #MunicipalElection #BehhampurMunicipalCorporation #BeMC #MunicipalElectionResult #MeyorElection #BJDWins #SanghamitraDalei

Comment