ଓଡ଼ିଶାଲାଇଭ୍ ବ୍ୟୁରୋ

କୃଷି, ପଶୁପାଳନ, କୁକୁଡ଼ା ଚାଷ ସମେତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ତଥା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଗରିବ ପରିବାରଙ୍କୁ ଅନ୍ତର୍ଭୁକ୍ତ କରି ରୋଜଗାରକ୍ଷମ କରାଯାଉଛି। ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନଗୁଡ଼ିକର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଆମେରିକା ସ୍ଥିତ ଅନ୍ତର୍ଜାତୀୟ ସାମାଜିକ ସଂସ୍ଥା ଟ୍ରିକିଲ ଅପ୍‌ ସହଯୋଗରେ ଜିଲ୍ଲାର ମୁରିବାହଲ ଓ ବଙ୍ଗମୁଣ୍ଡା ବ୍ଲକରେ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ଲୋକଦୃଷ୍ଟି, ନିଧି ଓ ମହାଶକ୍ତି ଫାଉଣ୍ଡେସନ ବିଭିନ୍ନ ଗ୍ରାମରେ ଗରିବ ପରିବାରମାନଙ୍କୁ ଚିହ୍ନଟ କରି ଦୀର୍ଘ ଦିନ ହେବ ଏ ଦିଗରେ କାର୍ଯ୍ୟ କରିଆସୁଛନ୍ତି।

ଗ୍ରାମର ଅତି ଗରିବ ବର୍ଗର ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାରେ ସାମିଲ କରାଯାଉଛି। ବଶ୍ୟକୀୟ ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ କରାଯାଉଛି। ଏହା ସହ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀରେ ଏମାନଙ୍କୁ ସାମିଲ କରାଯାଇଛି। ପ୍ରକଳ୍ପ ସହଭାଗୀମାନେ ଜୀବିକାର ଯୋଜନା ପ୍ରସ୍ତୁତ କରି ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି।

ବିଭିନ୍ନ ପ୍ରକଳ୍ପ ସହ ଯୋଡ଼ି ହୋଇ ଅଞ୍ଚଳର ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ଵ ଅତି ଗରିବ ପରିବାର ନିଜ ଗ୍ରାମରେ ରୋଜଗାର ସୁବିଧା ପାଇପାରୁ ଛନ୍ତି। ଏମାନଙ୍କୁ ଏବେ ବାହାର ରାଜ୍ୟ କିମ୍ବା ଦେଶକୁ ରୋଜଗାର କରିବା ପାଇଁ ଯିବାକୁ ପଡ଼ୁନାହିଁ। ଦୁଇ ପଇସା ରୋଜଗାର କରି ନିଜ ପିଲାଙ୍କୁ ଉଚ୍ଚଶିକ୍ଷା ଦେବାକୁ ସକ୍ଷମ ହୋଇପାରୁଛନ୍ତି। ପ୍ରକଳ୍ପ ଅନ୍ତର୍ଗତ ଅତି ଗରିବ ପରିବାରର ମହିଳାମାନଙ୍କୁ ନେଇ ଗଠିତ ୨୧ଟି ଇଚ୍ଛୁକ କୃଷକ ଦଳ(ଏଫ୍‌ଆଇଜି) ଛତୁ ଚାଷ, କୁକୁଡ଼ା ପାଳନ ଓ ପନିପରିବା ଚାଷ ଆଦି କରି ଲାଭବାନ ହୋଇପାରୁଛନ୍ତି। 

ପୂର୍ବରୁ ରାୟପୁର ଯାଇ କାମ କରୁଥିବା ପିତାପଡ଼ାର ସୁକାନ୍ତି ପ୍ରଧାନ କୁହନ୍ତି, “ଆମ ଗାଁରେ କିଛି କାମ ଧନ୍ଦା ନଥିଲା, ଗାଁର ଅନ୍ୟମାନଙ୍କ ଭଳି ଆମେ ସ୍ଵାମୀ ସ୍ତ୍ରୀ ରାୟପୁର କାମ କରିବାକୁ ଯାଉଥିଲୁ। ପିଲାଙ୍କ ପାଠପଢ଼ା ଦୂର କଥା ସେମାନଙ୍କୁ ଭଲ ପରିବେଶ ମିଳିପାରୁନଥିଲା। ବର୍ତ୍ତମାନ ଆମେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଚାଷ କାମ ସହ ଛେଳି ଓ ମେଣ୍ଢା ପାଳନ, ବତକ ଓ କୁକୁଡା ଚାଷ କରୁଛୁ। ଜବ୍‌କାର୍ଡ ପାଇ ପଞ୍ଚାୟତରେ କାମ କରି ରୋଜଗାର କରିପାରୁଛୁ। ଆଉ କାମ ଖୋଜିବାକୁ ବାହାରକୁ ଯିବାକୁ ପଡ଼ୁନାହିଁ”।

ବଲାଙ୍ଗୀର ଜିଲ୍ଲାର ବିଜଘାଟ, ପିତାପଡ଼ା ଓ ମନିଗାଁ ଆଦି ପରିଦର୍ଶନ କରି ଟ୍ରିକିଲ ଅପର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନାଥାଲି କାଟ୍ରିନା, ଉପ-ସଭାପତି ବାରବରା ଜାକସନ, ନିର୍ଦ୍ଦେଶକ ଅଞ୍ଜୁମ ଖାଲିଦି, ଏସିଆ ଆଞ୍ଚଳିକ ଶାଖା ମୁଖ୍ୟ ସୁଶାନ୍ତ ବର୍ମା, ଏସିଆ ଆଞ୍ଚଳିକ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗନ୍ତ ମହାନ୍ତି ପ୍ରମୁଖ ପ୍ରକଳ୍ପ ଦ୍ଵାରା ଅତି ଗରିବ ପରିବାରମାନଙ୍କ ଉନ୍ନତି ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ।

ଆମେରିକାରୁ ଆସିଥିବା ଏହି ଦଳକୁ ଗ୍ରାମବାସୀମାନେ ହୁଳହୁଲ ପକାଇ ଚନ୍ଦନ ଟୋପି ଲଗାଇବା ସହ ଫୁଲମାଳ ପିନ୍ଧାଇ ସ୍ଵାଗତ କରିଥିଲେ। ଜୀବିକା ବିବିଧିକରଣ ଦ୍ଵାରା ଅତି ଗରିବ ପରିବାରମାନେ ଉପକୃତ ହୋଇପାରିଛନ୍ତି। ଦଳଗତ ବ୍ୟବସାୟ ଦ୍ଵାରା ସେମାନେ ଆର୍ଥିକ ଭାବେ ଆହୁରି ସୁଦୃଢ ହେବେ ବୋଲି କହିଛନ୍ତି ନାଥାଲି କାଟ୍ରିନା।

Tags: #Balangir #Agriculture #AnimalHusbandry #Employment #PoorPeople

Comment