ପ୍ରଫେସର ସଞ୍ଜୟ ଶତପଥୀ
‘ତୃଣାଦପି’ – ‘ବିନମ୍ରତାର ବିଭବ’ ପ୍ରଫେସର ସଞ୍ଜୟ ଶତପଥୀଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ପ୍ରଫେସର ଶତପଥୀ ତାଙ୍କ ଜୀବନର ବିଭିନ୍ନ ସ୍ମୃତି ଉପସ୍ଥାପନ କରୁଛନ୍ତି।
(ଭାଗ – ୬)
ଦେଖି ଦେଖିବା, ଦେଖି ନ ଦେଖିବା, ନ ଦେଖି ଦେଖିବା ଏମିତି କେତେ ପ୍ରକାରର ଦୃଶ୍ୟ। ଖୋଲା ଆଖିରେ ପ୍ରକାରେ, ମୁଜିଲା ଆଖିରେ ପ୍ରକାରେ। ଆଖିକୁ ଦେଖାରଖା କରେ ପିଛଡ଼ା। ଛାଇ କେଉଁଠି ଅଶ୍ରା ଦିଏ ଓ କେଉଁଠି ଭୟ। ଗଛ ଲଗେଇଲା ଲୋକକୁ ଛାଇ, ଗଛ କାଟିଲା ଲୋକକୁ ବି ଛାଇ। ବାଛ ବିଚାର ନାହିଁ। ଡୁଡୁ, ଲୁଡୁ, କବାଡ଼ି, ପଶା ଖେଳରେ ‘କା’ର କେତେବେଳେ ବାଜିମାତ୍ ତ କେତେବେଳେ ପରାଜିତ। ନିଜଠୁ ‘କା’ ଟି କେତେ ଦୂର? ସକାଳେ ମଣିଷର ଛାଇ ଖରାବେଳକୁ ସଂକୁଚିତ। ଦର୍ପଣରେ ମୁହଁ ଦିଶେ, ମନ ଦିଶେନି।
ଦର୍ପଣର କାଚ ଠିକଣା ନଥିଲେ ମୁହଁ ବିକୃତିଆ ଦିଶେ। ଗାଡ଼ିରେ ଗଲା ବେଳକୁ ଦର୍ପଣରେ ଦୂରରେ ଦିଶୁଥିବା ଯାନ, ସେତେ ଦୂରରେ ନଥାଏ। ଜଗନ୍ନାଥଙ୍କ ଦର୍ପଣୀ ସ୍ନାନ, ବିମ୍ବ ସ୍ନାନ। ମଣିଷର ଜଳ ସ୍ନାନ। ଜଳରେ ଛାଇ, ଦର୍ପଣଠୁ ପୁରୁଣା। ଝରଣାର ସ୍ଥିର ଜଳରେ ନିଜର ଛାଇ ଦେଖିଥିଲା ଗ୍ରୀକ୍ ପୁରୁଷ ‘ନାରସି ସସ୍’। ଏମିତି ମୁଗ୍ଧ ହେଲା ଯେ ସେଇ ରୂପ ଚିନ୍ତାରେ ଦିନେ ନିଃଶେଷ ହେଇଗଲା। ଅତ୍ୟଧିକ ସ୍ୱ-ପ୍ରୀତି ଗୋଟିଏ ଓଷଦ ନଥିବା ରୋଗରେ ପରିଣତ ହୋଇ ନିଜକୁ ଖାଏ। ସ୍ଥିର ଜଳରେ ଆକାଶର ଛାଇ ପଡ଼େ। ଧିର ସ୍ଥିର ମନ ନିଷ୍ପତ୍ତି ନେବା ପାଇଁ ସହଜ। ଅସ୍ଥିରିଆ ମନ ତରଙ୍ଗାୟିତ ଜଳରେ ପ୍ରତିବିମ୍ବ ଭଳି। ପିଲା ବେଳର ଶୁଣା କଥା ସବୁ ମନେପଡ଼େ।
ଭିନ୍ନ ଫୁଲ ସଜ୍ଜା
ଜଙ୍ଗଲର ସିଂହଟିଏ ପଶୁମାନଙ୍କୁ ଶିକାର ହେବାର ଆତଙ୍କ ଦଉଡ଼ରେ ବହୁପ୍ରାଣୀ ମୃତାହତ ହେଲେ। ମେଳି ହୋଇ ସିଂହକୁ ପ୍ରସ୍ତାବ ଦେଲେ ପ୍ରତିଦିନ ଗୋଟିଏ ପଶୁ ଆସିବ ତାଙ୍କ ପାଇଁ। ସେ ଭୋଜନ କରିବେ। ନ ହେଲେ ହୁଏତ ଜଙ୍ଗଲ ଜନ୍ତୁହୀନ ହେବ। ସେ ଖାଇବେ କଣ? ସିଂହ ବୁଝିଗଲା। ପାଳି କରି ଗୋଟିଏ ଗୋଟିଏ ପଶୁ ଆସିଲେ। ଦିନେ ପଡ଼ିଲା ଗୋଟେ ଠେକୁଆର ପାଳି। ମରିବି ତ ନିଶ୍ଚେ। ଟିକେ ଶୋଇପଡ଼େ ବୋଲି ସେଢୁଳେଇ ପଡ଼ିଲା। ଡେରିରେ ଆସି ପହଞ୍ଚିବାରେ ଭୋକିଲା ସିଂହ ତାକୁ ଦେଖି ଗର୍ଜନ କଲା। ଆଗ ଗୋଡ଼ ଯୋଡ଼ି ଠେକୁଆ କହିଲା – ଛାମୁଁ ଜଙ୍ଗଲରେ ଆଉ ଗୋଟେ ସିଂହ ମତେ ଅଟକେଇଲା। ମୁଁ ନେହୁରା ହେଇ ଆପଣଙ୍କର ଆଜିର ଖାଦ୍ୟ ବୋଲି ବହୁତ ବୁଝେଇ ଶୁଝେଇ ଆସିଛି। ମତେ ଭୋଜନ କରନ୍ତୁ। ସିଂହ ତା’କୁ ଖାଇବ କ’ଣ? ଆଗ ସେ ଆର ସିଂହ ପାଖକୁ ଯିବାକୁ ଚାହିଁଲା।
ଠେକୁଆ ଆଜ୍ଞାଧିନ ପରି ବାଟ କଢ଼େଇଲା। ଗୋଟେ ପୁରୁଣା ବାମ୍ପି ପାଖରେ କହିଲା – ଆଜ୍ଞା ହୁଜୁର, ଏଇ ଭିତରେ। ସିଂହ ଝପଟି ଦେଖନ୍ତେ – ନିଜର ଛାଇ ଦେଖି ଆହୁରି କ୍ରୋଧିତ ହେଲା। ଗର୍ଜନ ଛାଡ଼ିଲା। ଗର୍ଜନର ପ୍ରତିଧ୍ୱନି ତାକୁ ସତେ ଯୁଦ୍ଧର ଆହ୍ୱାନ କଲା। ସେ ଲମ୍ପ ଦେଲା। ତା’ପରେ ସିଂହ ବାମ୍ପି ଭିତରେ। ଠେକୁଆର ତାକ୍ ଧିନାଧିନ୍ ନାଚ।
ବୁଦ୍ଧି ଯାହାର ବଳ ତାହାର
କୁକୁର ଟିଏ କଟା ଛେଳିର ହାଡ଼ ଖଣ୍ଡେ ପାଇ ସାଥି କୁକୁରଙ୍କ ଦୂରକୁ ଯାଇ ସହଜରେ ଖାଇବ ବୋଲି ପାଣି ଧାର ଟିଏ ପାରି ହେବାକୁ ଚାହିଁଲା। କଟା ତାଳ ଗଛ ଗଡ଼ ଉପରେ ପାରିହେଉଛି ନିଜର ଛାଇ ପାଣିରେ ଦେଖିଲା। ତ୍ରାହି ନାହିଁ। ଭୁକିବା ମାତ୍ରେ ଦାନ୍ତରେ ଚାପିଲା ଖାଦ୍ୟ ପାଣିରେ ପଡ଼ିଲା। ତା’ ସାଙ୍ଗରେ ସେ ନିଜେ ପାଣିରେ ପଡ଼ି ସୁଅରେ ଭାସିଲା। ପହଁରିବାକୁ ଚେଷ୍ଟା କଲା ହେଲେ ସୁଅ ଶକ୍ତି ଆଗରେ ହାର ମାନିଲା। ନିଜର ବଳକୁ ଆକଳନ କରିବା ବଡ଼ କଷ୍ଟ। ନିଜେ ହିଁ ସବୁଠୁ ବଳଶାଳୀ, ଏଇ ଭାବଟି ନିଜ ଭିତରେ ଅଙ୍କୁରିଲେ ବହୁ ଅସୁବିଧା ଉପୁଜେ। ପରାଜୟ କବଳିତ କରେ। ନ ହାରିବାର ଥାଇ ବି ହାରି ଯାଏ।
ଗୁରୁ ପ୍ରତିମ ଚନ୍ଦ୍ରଶେଖର ରଥଙ୍କର ନିର୍ଦ୍ଦେଶଟିଏ ଅନ୍ତରେ ଜୀବନ୍ତ। ସମୁଦ୍ରରେ ନାଉରୀ ନାଆ ବାହୁଛି। ନିଜର ବଳିଷ୍ଠ ବାହୁ ଉପରେ ଅଗାଧ ବିଶ୍ୱାସ। ଯୁଆଡ଼େ ଚାହିଁବ, ସିଆଡ଼େ ଯିବ। ସମୁଦ୍ର ତା’ର। ସେ ସମୁଦ୍ରର। ଦିନେ ନାଆ ବାହିଲା ବେଳକୁ ସେ ଲକ୍ଷ୍ୟ, କଲା ସେ ଯୁଆଡ଼େ ନାଆ ଚଳେଇବାକୁ ଚାହୁଁଛି ନାଆ ସିଆଡ଼େ ଯାଉନି। ନାଆ ଚାଲିଛି ଅନ୍ୟ ଆଡ଼େ। ଭାବିଲା ବୋଧେ ପବନ ନାଆକୁ ଟାଣି ନେଉଛି। ନାଆରେ ତଲେଇ ପବନର ବଳରେ ନାଆକୁ ନେଇ ଯାଉଛି। ତା’ପରେ ଅନୁଭବ କଲା – ନା’ତ। ପବନ ବି ବହୁଛି ଗୋଟିଏ ଦିଗକୁ, ନାଆ ଅନ୍ୟ ଦିଗରେ। ସେ ତା’ପରେ ଜାଣି ପାରିଲା, ସମୁଦ୍ରରେ ଜୁଆର ଆସିଛି।
ସମୁଦ୍ର ମଝିରେ ନାଉରୀ
ନାଆ ଜୁଆରିଆ ସମୁଦ୍ରର ଅଧିନ। ବାହୁବଳ ଯଦି ୧୦, ପବନର ବଳ ୩୦ ହେଲେ ଜୁଆରର ବଳ ୬୦ ଜୁଆର ବିପକ୍ଷରେ ବାହୁବଳ ଦେଖେଇଲେ କ’ଣ ହେବ? ଖାଲି ସମୁଦ୍ରର ନାଉରୀର କଥା ନୁହେଁ। ଏକଥା ବିଭିନ୍ନ ଜାଗାରେ ପ୍ରଯୁଜ୍ୟ। ବାହୁ ବଳରେ ମହାବଳୀ ମଣି ଜୁଆର ବିପକ୍ଷରେ ଲଢ଼ିଲେ, ଧର୍ମ ସଂସ୍ଥାପନାର ଜୁଆରରେ ଦୁର୍ଯ୍ୟୋଧନ ଲଢ଼ିବା ଭଳି ଅବସ୍ଥା। ଅନେକ ଉଦାହରଣ ମନକୁ ଆସିବ। ବେଳେବେଳେ ଶଗଡ଼ିଆ ରୈକ୍ୟ ଗୁରୁପଣରେ ମହୀୟାନ ତ କେତେବେଳେ ହାଡିପ୍ପା।
ମୂଷାର ବଳ ବେଶୀ ନା ହାତୀର। ପାହାଡ଼ ସେପାରେ ଯିଏ ପ୍ରଥମେ ପହଞ୍ଚିବ ତା’ର ବଳ ବେଶୀ। ହାତୀ ନିଜ ଶକ୍ତି ପ୍ରୟୋଗ କରି ବଡ଼ କଷ୍ଟରେ ପାହାଡ଼ ଚଢ଼ିଲା। ମୂଷା ଡାକିଲା ତା’ର ସମସ୍ତ ସାଥିଙ୍କୁ। ସେମାନେ ପାହାଡ଼ରେ ଏ ପଟୁ ସେପଟ ଯାଏ ସୁଡ଼ଙ୍ଗ କରିଦେଲେ। ମୂଷା ହାତୀ ପହଞ୍ଚିବାର ବହୁ ପୂର୍ବରୁ ଜିତିବା ସ୍ଥାନରେ ପହଞ୍ଚିଲା। ବ୍ୟକ୍ତି ବଳଠୁ ସଂଘ ବଳ ଅଧିକା। ପିମ୍ପୁଡ଼ିଟିଏ ବି ହାତୀକୁ, ତା’ ଶୁଣ୍ଢରେ କି କାନରେ ପଶି ହାତୀକୁ ପାଗଳ କରିଦେଇ ପାରେ। ନକଲି ହାତୀଟିଏର ଭ୍ରମରେ ହାତୀ ଖାଲରେ ପଡ଼ିପାରେ। ବୁଦ୍ଧିର ବଳ ବାହୁ ବଳଠୁଁ ବେଶୀ। ହେଲେ ଅତି ବୁଦ୍ଧିଆ ମଣିଲେ କଥା ସରିଲା। ସବ୍ ଜାନତା ପଣରେ ପରୀକ୍ଷାରେ ପ୍ରଶ୍ନ ଗୋଟିଏ ଉତ୍ତର ଆଉ କିଛି। ତାଳ ମେଳ ରହେନି। ଚକ ଘୁରୁଛି। କେତେବେଳେ କିଏ କେଉଁଠି ବସିବ ଅଜଣା। କୁହାହେଲା ପରି ‘ଆଜି ଯେ ରାଜନ୍ଦ୍ରାସନେ, କାଲି ସେ ଫକିର’। ତେଣୁ ଆଜିର ମୋହରେ ତୋଡ଼ ଦେଖେଇ କେତେ କିଏ ନେଡ଼ି ଗୁଡ଼ କହୁଣୀକୁ ବୋହିଲା ପରେ ଚେତିଛନ୍ତି। ହେଲେ ସେତେ ବେଳକୁ ଆଉ କି ଥାଏ! ଉତୁରିଲା କ୍ଷୀର ଆଉ କ’ଣ, ଡେକ୍ଚିକୁ ଫେରିବ, ନା ସର୍ଲିଗଲା ଦହି ଗିନାକୁ ନେଉଟେଇ ହେବ!
ଦର୍ପଣେ ସୁର ସୁନ୍ଦରୀ
କହିଲା କଥା ସବୁ ସେମିତିକା। ଗଣ୍ଠି ପଡ଼ିଥାଏ ଯେ ପଡ଼ିଥାଏ କେତେ କଣ ବଦଳିଯାଏ, ହେଲେ ସେଇ କଥା ପଦକ ଯେମିତି ମେରି ଖୁଣ୍ଟି। ସର ଆଉ ଧନୁକୁ ନ ଫେରିଲା ପରି କଥା। କଥା ତୁଣ୍ଡରୁ ଖସିଲେ ଆଉ ତୁଣ୍ଡକୁ ଫେରେନି।
ସ୍କୁଲ ପଢ଼ିଲା ବେଳର କଥା। ସ୍କାଉଟ କ୍ୟାମ୍ପରେ ଯିବାକୁ ହେଲା ବାଳ କାଟି। ଦୟା ନଦୀରେ ଅଳ୍ପ ପାଣି। ସେ ଭିତରେ ଚାଲି ଚାଲି ନଈ ପାରି। ଏଇ ନଦୀ କାଳେ ଦିନେ ରକ୍ତ ନଦୀ ପାଲଟିଥିଲା ଅଶୋକଙ୍କ ପାଇଁ। ଚଣ୍ଡା ଶୋକ ଧର୍ମା ଶୋକ ହେଲେ। ଅଶୋକଙ୍କ ସାଙ୍ଗେ ଲଢ଼ିଥିବା ସେ କଳିଙ୍ଗ ରାଜ କିଏ? ଆଜିବି ଉତ୍ତର ମିଳିନି। ଖୋଜା ବି ସରିନି। ଭାବୁ ଭାବୁ ନଈ ପାରି। ପଠାରେ କାକୁଡ଼ି, ତରଭୁଜ, ବାଇଗଣ କେତେ କ’ଣ ଚାଷ।
ବାଳକାଟି ସ୍କୁଲରେ ପହଞ୍ଚିଲା ପରେ ଆମ ଦାୟିତ୍ୱରେ ଥିବା ସାର୍ ଜାଗା ବାଣ୍ଟି ଦେଲେ। ଆମେ ଲାଗିପଡ଼ିଲୁ ସଫାସୁତର କରିବାରେ। ହାଲିଆରୁ ରାତିରେ ଜୋର୍ ନିଜ। ସକାଳୁ ଉଠି ନିତ୍ୟକର୍ମ ସାରି ସ୍କୁଲ ବାରଣ୍ଡାରୁ ପଡ଼ିଆ ପର୍ଯ୍ୟନ୍ତ ସଫେଇ। ସାର୍ ଆମର ରାଗିପାଚି ଖାଲି ଗର୍ଜନ କରୁଥାନ୍ତି। ବିନା ଦୋଷରେ ଦଣ୍ଡ। କାରଣ ଖୋଜିଲା ବେଳକୁ ତାଙ୍କୁ ଆଜି ଭଲ ଚା’ କପେ ମିଳିନି। ତେଣୁ ସକାଳର ନିତ୍ୟକର୍ମ ବିଗିଡ଼ିଚି। ମନ ବିଗିଡ଼ିଚି। ମୋ ମନକୁ ଆସିଲା – ଆରେ, କପେ ଚା’ ଖାଲି ନିଜର ନୁହେଁ, ବହୁତ ଲୋକଙ୍କର ଦିନଟିଏ ବିପର୍ଯ୍ୟସ୍ତ କରିପାରେ। ସେଇ ଅନୁଭୂତି ଆଜି ଯାଏ ଚା’ ଅଭ୍ୟାସଠାରୁ ଦୂରେଇ ରଖିଛି।
ସାଙ୍ଗଟିଏର ଭାଇ ବାହାଘର। ବରଯାତ୍ରୀ ଯିବାର ଥାଏ। ସାଙ୍ଗଟି ଗୋଟିଏ ଅନ୍ଧାରିଆ କଣକୁ ଡାକି କହିଲା – ନେ ଢୋକେ ପି ଦେ। ନିଶା ହେଲେ ବଢ଼ିଆ ଲାଗିବ। ମୁଁ କହିଲି – ମୁଁ ତ ଏମିତି ମାତାଲ୍। ମୋତେ ଏ ନିଶା ପାଣି କ’ଣ ଲୋଡା? ମୁଁ ବଢ଼ିଆରେ ଅଛି। ଆଉ ଥରେ ମତେ ନିଶା ଚଖେଇବାର ଜିଦ୍ ନେଇ ଜଣେ ମୋ ସାଙ୍ଗେ ଲାଗିପଡ଼ିଲେ। ମୁଁ କହିଲି- ଆଗ ଗୀତଟିଏ ଶୁଣ ତା’ପରେ ଦେଖିବା। ଗୀତ ଶୁଣିଲା ପରେ ସେ ନିଜର ଗିଲାସର ରଙ୍ଗ ପାଣି ତକ ଢାଳି ଦେଲେ। ମୋ ପାଇଁ ଶୁଭ ମନାସିଲେ। ଏମିତି ଅନେକ ଘଟଣା।
ନିକଟରେ ଘଟିଲା ଘଟଣା ଟିଏ। ଭାରି ମର୍ମସ୍ପର୍ଶୀ। ପୁଅଟିଏ ତା’ର ମାଆକୁ ଡାକି, କେହିନଥିବା ଘର ବାରଣ୍ଡାରେ କହିଲା – ମା’ ମୁଁ ତତେ ବହୁତ କଷ୍ଟ ଦେଲିଣି। ମୁଁ ଜାଣିନଥିଲି ଏ ନିଶା ଏମିତି ବୋଲି। ମତେ ସାଙ୍ଗଟିଏ ଏମିତି ଚଖେଇ ଦେଲା। ଏବେ ଏମିତି ଯେ ତା’ ବିନା ବଞ୍ଚିପାରୁନି। ନିଶା କମି ଗଲେ ପାଗଳ ଭଳି ଲାଗୁଚି। ତତେ ପଇସା ମାଗି ମାଗି ବିରକ୍ତ କରୁଛି। ତୁ ରାଗୁଚୁ ହେଲେ ପୁଣି କେଉଁଠୁ ଆଣି ଦେଉଛୁ। ମୁଁ ତୋ ଋଣ ଏ ଜନ୍ମରେ ଶୁଝି ପାରିବିନି। ହୁଏତ ଆର ଜନ୍ମରେ। ତୁ ମୋ ଝିଅ ହେବୁ। ତୁ ଯାହା ମାଗିବୁ ମୁଁ ବାପା ହେଇ, ତୋର ସବୁ ଅଳିଅର୍ଦ୍ଦଳି ପୂରଣ କରିବି। ସ୍ନେହମୟୀ ମାଆ ପାଗଳଟା କହି କଥା ଆଡ଼େଇ ଦେଲେ।
ପଦେ ପଦେ କଥା ଦର୍ପଣ ପାଲଟେ। ଶୁଣିଲା ବେଳେ ଗୋଟେ ଅର୍ଥ ପରେ ଆଉ କେତେ ଅର୍ଥ। ସଜେଇ ହେଲା ମୁହଁ ବାର ବାର ଦର୍ପଣରେ ମୁହଁ ପରଖେ। କେତେ ସଜ ହୁଏ। ହେଲେ କେହି ନ ପ୍ରଶଂସିଲେ ବା ଖୁଣିଦେଲେ ମନ ଭାଙ୍ଗିଯାଏ। ନୂଆ ନୂଆ ଅଳତା ଲଗେଇଥିବା ଝୀଅକୁ ଅଳତା କ’ଣ ବଙ୍କା ଲାଗିଛି କହିଲେ ସେ ଆସି ଗୋଡ଼ ଛାଟି ଅଳତା ଲିଭେଇବାକୁ ଜିଦ୍ କରେ। ଓଦା ପଥରରେ ପାଦ ଘଷେ। ମନକୁ ବାଧିଲା କଥା ପଦେ କେତେ ପ୍ରକାରେ ମଣିଷକୁ ଛନ୍ଦିବାକୁ ଚେଷ୍ଟା କରିଛି।
କେମିତି କେମିତି ପାରି ହେଇଯାଇଛି ଅନେକ ବାଧା। ଆଡ଼େଇ ହେଇ ଯାଇଛି ଅନେକ ଖରାପ ବାଟ, ଖରାପ ଅଭ୍ୟାସ। ଭାବିଲା ବେଳକୁ ଗପ ପରି ଲାଗୁଛି। କେତେ ଗୀତ ଲେଖା ହୋଇଛି। କେତେ କବିତା। କେତେ ଗଳ୍ପ, ନାଟକ, ଆତ୍ମ ଭାଷଣ। ସବୁ ଭିତରେ ନିଜ ଦୃଷ୍ଟିର, ସମାଜର ପ୍ରତିଛବି। କଷ୍ଟ ପଡ଼ିଲେ ନିଜ ସାଙ୍ଗେ କଥା ବାର୍ତ୍ତା। ମଉନରେ। ହସ ଅପାତ୍ରରେ ଦାନ କଲେ ବିପଦ। ଦୁଃଖ କାହାକୁ ଏମିତି କହିବାର ନୁହେଁ। ଲୁହ ଅପାତ୍ରରେ ଦାନ କରିବା ମନା।
(ଲେଖକ ହେଉଛନ୍ତି ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି। ମତାମତ ନିଜସ୍ୱ)
Tag: #Trunadapi #ProfSanjayKumarSatapathy #DarpanaDekha #ପ୍ରଫେସରସଞ୍ଜୟକୁମାରଶତପଥୀ #ତୃଣାଦପି