ଓଡ଼ିଶାଲାଇଭ୍ ବ୍ୟୁରୋ

ସାମାନ୍ୟ ବଚସାରୁ ଦୁଇ ଜଣଙ୍କୁ ହତ୍ୟା କରାଯାଇଛି। ଏହି ଅଭାବନୀୟ କାଣ୍ଡ ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଞ୍ଚଳରେ। ମୃତକ ଦୁଇଜଣ ହେଲେ ଝଡ଼ିଗୁଡ଼ା ଗ୍ରାମର ଦେବେନ୍ଦ୍ର ଜାନୀ ଏବଂ ପୂର୍ଣ୍ଣ ନାୟକ।

ମିଳିଥିବା ସୂଚନା ଅନୁସାରେ ଚଇତି ପରବ ବେଣ୍ଟ ଉତ୍ସବ ପାଳନ ସମୟରେ ସିନ୍ଧିପାର ଗାଁର ଯୁବକ ଏବଂ ଝଡ଼ିଗୁଡ଼ା ଗ୍ରାମର ଯୁବକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ସାମାନ୍ୟ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା।

ସିନ୍ଧିପାର ଗାଁର ଯୁବକମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଝଡ଼ିଗୁଡ଼ା ଗ୍ରାମର ଦେବେନ୍ଦ୍ର ଜାନୀ ଏବଂ ପୂର୍ଣ୍ଣ ନାୟକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଝଡ଼ିଗୁଡ଼ାର ସୋମନାଥ ଦାମିଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣାର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ଦାମନଯୋଡି ଥାନା ଅଧିକାରୀ ଗୌରହରି ସାହୁ ନିଜ ଟିମ ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିନ୍ଧିପାର ଗ୍ରାମର କିଛି ଯୁବକଙ୍କୁ ଥାନା ଅଧିକାରୀ ଅଟକ ରଖି ପଚରା ଉଚରା କରୁଛନ୍ତି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବା ଜଣାପଡ଼ିଛି।

Tags: #Murder #DoubleMurder #Koraput #Damanjodi

Comment