ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସାହିତ୍ୟ ଜଗତର ସୁନାମଧନ୍ୟ ଲେଖିକା ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କର ରବିବାର ପରଲୋକ ଘଟିଛି। ସୋମବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସ୍ୱର୍ଗତଙ୍କର କଟକ ସତୀଚଉରାଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିବା ସହ ତାଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

୮୫ ବର୍ଷ ବୟସରେ ବାଦାମବାଡ଼ିସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ପୁସ୍ତକ ରଚନା କରିଛନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି। କବିତା ଲେଖାରୁ ଆରମ୍ଭ ହୋଇଥିଲା ତାଙ୍କର ସାହିତ୍ୟ ଜୀବନ। ପ୍ରଥମେ ଜଣେ କବି ଏବଂ ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ପାଦ ଦେଇ ଗୋଟିଏ ପରେ ଗୋଟିଏ ସଫଳତା ପାଇଥିଲେ।

୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା ‘ତନ୍ଦ୍ରାହତ’ ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା। ଏହା ପରେ ତାଙ୍କର ପ୍ରଥମ ଗଳ୍ପ ‘ଗୋଟିଏ ରାତ୍ରୀର କାହାଣୀ’ ୧୯୫୭ ମସିହାରେ ଏକ ଖବରକାଗଜରେ ପ୍ରକାଶ ପାଇଥିଲା। ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କର ପ୍ରମୁଖ ପୁସ୍ତକଗୁଡ଼ିକ ମଧ୍ୟରେ ‘କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ’, ‘ପାଟଦେଇ’, ‘ବସ୍ତ୍ର ହରଣ’, ‘ଏକାକୀ ପରାଶର’, ‘ଆରୋହଣ’, ‘ଇଣ୍ଟରଭ୍ୟୁ’, ‘ନବ ତରଙ୍ଗ’ ଏବଂ ‘ଅନ୍ଧକାରର ଛାଇ’ ତଥା ‘ମଧ୍ୟାନ୍ତର’ ଆଦି ପାଠକଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଥିଲା। ତାଙ୍କ ଲିଖିତ ଉପନ୍ୟାସଗୁଡ଼ିକ ‘ସୀତାର ଶୋଣିତ’, ‘ମନସ୍ୱିନୀ’ ଏବଂ ‘କୁନ୍ତୀ କୁନ୍ତଳା ଶକୁନ୍ତଳା’ ପାଠକଙ୍କ ଢେର ପ୍ରଶଂସା ସାଉଣ୍ଟି ଥିଲା। 

କେନ୍ଦ୍ରାପଡ଼ା ନିକଟ ଚାନ୍ଦୋଳଠାରେ ୧୯୩୬ ମସିହା ନଭେମ୍ବର ୧୧ ତାରିଖରେ ତାଙ୍କର ଜନ୍ମ। ଅର୍ଥନୀତି ଅଧ୍ୟାପିକା ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ସେ। ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ତାଙ୍କୁ ୨୦୨୦ ମସିହାରେ ପ୍ରଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହା ସହିତ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନର ଅଧିକାରୀଣି ହୋଇଥିଲେ। ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଛି। ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି।

ବାଣୀକନ୍ୟା ବୀଣାପାଣି ମହାନ୍ତିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିବା ସହ ଓଡ଼ିଆ ସାହିତ୍ୟ ଜଗତ ପାଇଁ ତାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି କହିଛନ୍ତି। କେବଳ ଓଡ଼ିଆ ନୁହେଁ ଅନେକ ଭାଷାରେ ତାଙ୍କର ପୁସ୍ତକ ଅନୁବାଦିତ ହେବା ସହ ବେଶ ଲୋକପ୍ରିୟତା ହାସଲ କରିଛି। ତାଙ୍କ ପରିବାରକୁ ପ୍ରଧାମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ଵିଟ କରି ବୀଣାପାଣି ମହାନ୍ତିଙ୍କର ଦେହାନ୍ତ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ କାଳଜୟୀ ସୃଜନ ସୃଷ୍ଟି ପାଇଁ ପାଠକଙ୍କ ହୃଦୟରେ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସ୍ଵର୍ଗତଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଛନ୍ତି।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲା ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ରାଜ୍ୟପାଳ କହିଛନ୍ତି ଓଡ଼ିଆ ସହିତ୍ୟକୁ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ବହୁ ଭାବରେ ସମୃଦ୍ଧ କରିଛନ୍ତି ଏବଂ ତାଙ୍କର ସୃଷ୍ଟି ମାଧ୍ୟମରେ ସେ ଚିର ସ୍ମରଣୀୟ ହୋଇ ରହିବେ।

Tags: #PadmaShreeBinapaniMohanty #Literature #Poet #Death #Novelist #Writer

Comment