ଓଡ଼ିଶାଲାଇଭ୍ ବ୍ୟୁରୋ

ଯନ୍ତ୍ରଣାରେ ଛଟପଟ ହେଉଥିବା ଗୋଟିଏ ମାଙ୍କଡ଼ ନିଜେ ଚିକିତ୍ସାଳୟକୁ ଆସିଲା ଏବଂ ଚିକିତ୍ସିତ ହୋଇ ଭଲ ହେବା ପରେ ଆପେ ଆପେ ଚିକିତ୍ସାଳୟରୁ ଚାଲିଗଲା। ଏହାକୁ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏହି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି ଭୁବନେଶ୍ଵର ସୋଆ ସହରାଞ୍ଚଳ ପଶୁ ଚିକିତ୍ସାଳୟରେ। ପଶୁ ଚିକିତ୍ସାଳୟ ଉଦ୍‌ଘାଟନ ଦିନ ମାଙ୍କଡ଼ଟି ଆସିଥିଲା ପ୍ରଥମ ରୋଗୀ ହୋଇ।

ସୋଆ ସହରାଞ୍ଚଳ ପଶୁ ଚିକିତ୍ସାଳୟ ଉଦ୍‌ଘାଟନ ପାଇଁ ଏପ୍ରିଲ ୨୮ ତାରିଖରେ ପ୍ରସ୍ତୁତି ଚାଲିଥାଏ। ଚିକିତ୍ସାଳୟ ନିକଟରେ ଥିବା ଏକ ଗଛରୁ ମାଙ୍କଡ଼ଟିଏ ତଳକୁ ଖସି ଆସି ଗେଟ୍ ସମ୍ମୁଖରେ କିଛି ସମୟ ବସିଲା। ତା’ ପରେ ଚିକିତ୍ସାଳୟ ପରିସର ଭିତରକୁ ଚାଲି ଚାଲି ଗଲା। ସେଠାରେ ଉପସ୍ଥିତ ବ୍ୟକ୍ତିମାନେ ମାଙ୍କଡ଼ଟିକୁ ଦେଖି ଡରି ଯାଇଥିଲେ। କେହି କିଛି ବୁଝିବା ପୂର୍ବରୁ ମାଙ୍କଡ଼ଟି ଯାଇ ଏକ ଚୌକି ଉପରେ ବସିଲା।

ତାକୁ ଫଳ ଦିଆଯାଇଥିଲା କିନ୍ତୁ ମାଙ୍କଡ଼ଟି ଫଳ ଧରିନଥିଲା। ପଶୁ ଡାକ୍ତର ମାଙ୍କଡ଼ଟି ପାଖକୁ ଯିବାରୁ ସେ ଡାକ୍ତରଙ୍କ ହାତକୁ ଧରି କିଛି କହିବାକୁ ପ୍ରାୟସ କରିଥିଲା। ମାଙ୍କଡ଼ଟିର ଏହିପରି ବ୍ୟବହାର ଦେଖି ସେଠାରେ ଉପସ୍ଥିତ ସମସ୍ତେ ଚକିତ ହୋଇଯାଇଥିଲେ। କିଛି ସମୟ ପରେ ସୋଆର ପଶୁ ଚିକିତ୍ସକ ଟିମ୍ ଅନୁଧ୍ୟାନ କରିବା ପରେ ମାଙ୍କଡ଼ଟି ଅସୁସ୍ଥ ଥିବା ଜାଣିବାକୁ ପାଇଥିଲେ। ମାଙ୍କଡ଼ଟିର ଲିଙ୍ଗରେ କୌଣସି ସମସ୍ୟା ଯୋଗୁଁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲା। ପରେ ମାଙ୍କଡ଼ଟିର ଅସ୍ତ୍ରୋପଚାର କରାଯାଇଥିଲା। ମାଙ୍କଡ଼ଟି ସୁସ୍ଥ ହେବା ପରେ ଆପେ ଆପେ ଚିକିତ୍ସାଳୟରୁ ଚାଲିଯାଇଛି।

Tags: #Monkey #Hospital #Surgery #Doctor

Comment