ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ବୁଧବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀମାନେ ବିଶାଳ ଶୋଭାଯାତ୍ରାରେ ବାହାରି ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଏବଂ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଦଳୀୟ କର୍ମୀଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କଲେ ଅଳକା ମହାନ୍ତି

ଶହ ଶହ ଦଳୀୟ କର୍ମୀଙ୍କ ଗହଣରେ ବିଶାଳ ଶୋଭାଯାତ୍ରାରେ ପାର୍ଥିପତ୍ର ଦାଖଲ କରିବାକୁ ବାହାରିଥିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। ଦଳର ବରିଷ୍ଠ ନେତା ଏବଂ ମନ୍ତ୍ରୀଙ୍କୁ ସାଙ୍ଗରେ ଧରି ବିଜେଡିର ପୂର୍ବତନ ବିଧାୟକ ଦିବଙ୍ଗତ ନେତା କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଆଜି ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ଅବସରରେ ଅଳକା ମହାନ୍ତିଙ୍କ ସହିତ ସ୍ଵାସ୍ଥ୍ୟମନ୍ତ୍ରୀ ନବୀକିଶୋର ଦାସ, ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ରୋହିତ ପୂଜାରୀ, ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଝାରସୁଗୁଡ଼ା ପର୍ଯ୍ୟବେକ୍ଷକ କଟକ ମେୟର ସୁବାସ ସିଂଙ୍କ ସମେତ ଅନେକ ହେଭିଓ୍ଵେଟ ନେତା ଉପସ୍ଥିତ ଥିଲେ।

ନିର୍ବାଚନ ଜିତିବା ପରେ ସ୍ଵାମୀଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିବାକୁ ଗୁରୁତ୍ଵ ଦେବେ ବୋଲି ଅଳକା ମହାନ୍ତି କହିଥିଲେ। ଦଳୀୟ କର୍ମୀ ଏବଂ ବ୍ରଜରାଜନଗର ବାସିନ୍ଦାଙ୍କ ସହଯୋଗ ବିନା ନିର୍ବାଚନ ବୈତରଣୀ ପାର ହେବା ଅସମ୍ଭବ ବୋଲି ଏହି ଅବରସରେ କହିଥିଲେ ବିଜେଡି ପ୍ରାର୍ଥୀ। ନିର୍ବାଚନରେ ବିଜୟ ହାସଲ କରିବା ପରେ ସେ ନିଜ ଅଞ୍ଚଳ ଏବଂ ଅଞ୍ଚଳବାସୀଙ୍କ ବିକାଶ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।

ତୁଙ୍ଗ ନେତାଙ୍କ ଉପସ୍ଥିତିରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପ୍ରାର୍ଥିପତ୍ର ଦାଖଲ

ଶତାଧିକ ଦଳୀୟ କର୍ମୀ, ସମର୍ଥକ ଏବଂ ଦଳର ବହୁ ତୁଙ୍ଗ ନେତାଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା। ବୁଧବାର ନାମାଙ୍କନ ଦାଖଲର ଶେଷ ଦିନରେ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଦଳୀୟ ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଦଳୀୟ ନେତା ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ରାଧାରାଣୀ ପଣ୍ଡା ପ୍ରାର୍ଥିପତ୍ର ଦାଖଲ କରିଥିଲେ। ରାଧାରାଣୀ ପଣ୍ଡା ପୂର୍ବରୁ ବ୍ରଜରାଜନଗର ବିଧାନସଭା ଆସନରେ ନିର୍ବାଚିତ ହୋଇସାରିଛନ୍ତି। ତାଙ୍କର ରାଜନୀତିରେ ବେଶ ଅଭିଜ୍ଞତା ରହିଛି। ପୁଣି ଥରେ ବିଧାୟକ ଆସନ ପାଇଁ ଆଶା ରଖିଛନ୍ତି ରାଧାରାଣୀ ପଣ୍ଡା।

କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ଦାଖଲ କଲେ ପାର୍ଥିପତ୍ର

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋରଚନ୍ଦ୍ର ପଟେଲ। ଦଳୀୟ କର୍ମୀ, ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ବାହାରି ସେ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ପ୍ରାର୍ଥିପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ବ୍ରଜରାଜନଗର କଂଗ୍ରେସର ଗଡ଼ ଥିଲା। ନିଜ ଗଡ଼ରେ କିଶୋର ପଟେଲ ଜିତିବାକୁ ଆଶା ରଖିଛନ୍ତି।

ବ୍ରଜରାଜନଗର ବିଧାୟକ ଥିବା କିଶୋର ମହାନ୍ତିଙ୍କର ଗତ ୨୦୨୧ ଡିସେମ୍ବର ମାସରେ ଦେହାନ୍ତ ହେବା ପରେ ଏହି ଆସନଟି ଖାଲିପଡ଼ିଥିଲା। ଏହି ଆସନ ପାଇଁ ମେ’ ୩୧ ତାରିଖରେ ଉପନିର୍ବାଚନ ଲାଗି ଗତ ମେ’ ୨ ତାରିଖରେ ଘୋଷଣା କରାଯାଇଥିଲା। ଉପନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ କସରତ ହୋଇ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିଲା।

ଆସନ୍ତା ମେ’ ୧୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୧୭ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ମେ’ ୩୧ ତାରିଖରେ ଭୋଟ ଗ୍ରହଣ ଏବଂ ଆସନ୍ତା ଜୁନ ୩ ତାରିଖରେ ଭୋଟ ଗଣତି କରାଯିବ। ଏଥର ନିର୍ବାଚନ ମୈଦାନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ତେବେ କିଏ ଭୋଟରଙ୍କୁ ଆକୃଷ୍ଟ କରି ଭରସା ଜିତିବ ଆଉ ବ୍ରଜରାଜନଗର ଉପନିର୍ବାଚନରେ ବିଜୟୀ ହେବ ତାହା ଦେଖିବାକୁ ବାକି ରହିଲା।

Tags: #Election #AssemblyElection #ByElection #BrajarajnagarByElection #Politics #Nomination #Candidates #FileNomination #OdishaPolitics #BJD #BJP #Congress

Comment