ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୩୧ ତାରିଖ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ମଙ୍ଗଳବାର ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛି ବିଜେଡି। ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଶୀର୍ଷରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ଏଥର ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସହ ଦଳର ୮ ଜଣ ଟାଣୁଆ ମନ୍ତ୍ରୀ ମଧ୍ୟ ପ୍ରଚାର କରିବେ। କେବଳ ସେତିକି ନୁହେଁ ବଛବଛା ବିଧାୟକ ଏବଂ ଟାଣୁଆ ନେତାଙ୍କୁ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଦାୟିତ୍ଵ ଦିଆଯାଇଛି।

ଷ୍ଟାର ପ୍ରଚାରକମାନେ ପାଳି କରି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟରଙ୍କୁ ଆକୃଷ୍ଟ କରିବେ। ବିଜେଡି ପକ୍ଷରୁ ଆଜି ପ୍ରକାଶ ପାଇଥିବା ୪୦ ଜଣିଆର ଷ୍ଟାର ପ୍ରଚାରକ ତାଲିକାରେ ଆଗରେ ରହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହା ସହିତ ଏହି ତାଲିକାରେ ରହିଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସମୀର ରଞ୍ଜନ ଦାସ, ନବ କିଶୋର ଦାସ, ସୁଶାନ୍ତ ସିଂ, ଟୁକୁନି ସାହୁ ଏବଂ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ପ୍ରଥମଥର ପାଇଁ ବିଜେପୁର ବିଧାୟିକା ରୀତା ସାହୁଙ୍କୁ ଦିଆଯାଇଛି ପ୍ରଚାର ଦାୟିତ୍ଵ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ କୁମାର ଦାସବର୍ମା, ଚନ୍ଦ୍ର ସାରଥୀ ବେହେରା, ପୁଷ୍ପେନ୍ଦ୍ର ସିଂ ଦେଓ, ସୁବାସ ସିଂ, କଳିକେଶ ନାରାୟଣ ସିଂ ଦେଓ, ସ୍ନେହାଙ୍ଗିନୀ ଛୁରିଆ, ସସ୍ମିତ ପାତ୍ର, ସୁଜିତ କୁମାର, ମୁଜିବୁଲ୍ଲା ଖାନ, ରୋହିତ ପୂଜାରୀ, ପ୍ରୀତି ରଞ୍ଜନ ଘଡ଼େଇ, ଦେବେଶ ଆଚାର୍ଯ୍ୟ, ରାଜେନ୍ଦ୍ର ଢୋଲକିଆ, ରୀତା ସାହୁ, ପ୍ରଶାନ୍ତ ବେହେରା, ନୀଳକଣ୍ଠ ପ୍ରଧାନ, ସରୋଜ ମେହେର, ବିକ୍ରମ ପଣ୍ଡା, ଲତିକା ପ୍ରଧାନ, ପ୍ରଦୀପ କୁମାର ଦିସାରୀ, କିଶୋର ଚନ୍ଦ୍ର ନାୟକ, ଆକାଶ ଦାସନାୟକ, ଅରିନ୍ଦମ ରାୟ, ଯୋଗେଶ ସିଂ, ସୌଭାଗ୍ୟ ନାୟକ ଏବଂ ବୈକୁଣ୍ଠ ନାୟକ।

ନିର୍ବାଚନ ପ୍ରଚାରରେ ଏବେ କମ୍ପିବ ବ୍ରଜରାଜନଗର। ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳଗୁଡ଼ିକ ପକ୍ଷରୁ ଜୋରସୋର ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରଚାର ମଇଦାନରେ କେଉଁ ଦଳ ଭୋଟରଙ୍କୁ ଆକୃଷ୍ଟ କରି ବିଜୟ ହାସଲ କରିବ ଦେଖିବାକୁ ବାକି ରହିଛି।

Tags: #Election #OdishaElection #ByElection #BrajarajNagarByElection #Politics #OdishaPolitics #BJD #BJP #Congress

Comment