ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ। ଜିଲ୍ଲାର ସବୁ ରାସ୍ତା ପହଞ୍ଚିଛି ମା’ ତାରାତାରିଣୀଙ୍କ ପୀଠରେ। ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡ଼ରେ ଥିବା ମା’ଙ୍କ ଆସ୍ଥାନକୁ। ଗଞ୍ଜାମର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ପୀଠର ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ବୁଧବାର ପ୍ରତିଷ୍ଠା ଉତ୍ସବ ପାଳନ ହେଉଛି। ପବିତ୍ର ମନ୍ତ୍ରଧ୍ଵନୀ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ଗତ ୫ ଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବ ଆଜି ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମା’ ତାରାତାରିଣୀ ପୀଠରେ ପହଞ୍ଚି ଯୋଡ଼ହସ୍ତରେ ପ୍ରଣାମ କରି ମା’ଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ଙ୍କର ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଓଡ଼ିଶା ଦେବଭୂମି। ଓଡ଼ିଶାରେ ଶକ୍ତି ପୂଜାର ପରମ୍ପରା ବହୁ ପ୍ରାଚୀନ। । ଓଡିଶାର ଗାଁ ଗାଁରେ ମା’ଙ୍କର ପୂଜା ଅନାଦି କାଳରୁ ଚାଲିଆସୁଛି। ମା’ ତାରାତାରିଣୀ ହେଉଛନ୍ତି ଗଞ୍ଜାମର ଇଷ୍ଟ ଦେବୀ। ଗଞ୍ଜାମବାସୀଙ୍କ ସୁଖଦୁଃଖରେ ଆମେ ମା’ଙ୍କ ଶରଣ ନେଇଥାଉ”।

ମା’ ତାରାତାରିଣୀଙ୍କ ମନ୍ଦିରର ନୂଆ ରୂପକୁ ଓଡ଼ିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ଶିଳ୍ପୀ ଓ କାରିଗରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ମନ୍ଦିରର ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଜଣାଇଥିଲେ।

ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ପ୍ରତିଷ୍ଠା ଉତ୍ସବରେ ପୂରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର, ମା’ ସମଲେଶ୍ୱରୀ ମନ୍ଦିର, କେନ୍ଦ୍ରାପଡ଼ା ଶ୍ରୀ ବଳଦେବ ଜୀଉ ମନ୍ଦିର ସମତେ ରାଜ୍ୟର ବିଭିନ୍ନ ମନ୍ଦିରର ସେବାୟତମାନେ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି।

ଏହି ଭବ୍ୟ ମନ୍ଦିର ନିର୍ମାଣରେ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ସ୍ଵର୍ଗତ ରଘୁନାଥ ମହାପାତ୍ରଙ୍କର ବିଶେଷ ଅବଦାନ ରହିଥିବାରୁ ଏହି ଅବସରରେ ତାଙ୍କ ନାତି ସ୍ମିତେଶ ମହାପାତ୍ରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଅନ୍ୟତମ ସ୍ଥପତି ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ବ୍ରହ୍ମପୁରଠାରୁ ୩୦ କିଲୋମିଟର ଦୂରରେ ଋଶିକୂଲ୍ୟା ନଦୀ କୂଳରେ ମା’ ତାରାତାରିଣୀଙ୍କ ପୀଠ ଏକ ପ୍ରସିଦ୍ଧ ଶକ୍ତିସ୍ଥଳ। କୁମାରୀ ପାହାଡ଼ର ସର୍ବୋଚ୍ଚ ଶିଖରରେ ପୂଜା ପାଆନ୍ତି ଦୁଇ ଦେବୀ ମା’ ତାରା ଓ ତାରିଣୀ। ଏହି ପୀଠକୁ ଏକ ନୂଆ କଳେବର ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଆଜି ସାକାର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ମନ୍ଦିର ରୂପାନ୍ତରର ଭୂମି ପୂଜନ କରାଯାଇଥିଲା। ପୂର୍ବରୁ ଭକ୍ତମାନେ ଅନେକ ପାହାଚ ଚଢ଼ି ମା’ଙ୍କ ଦର୍ଶନ ପାଇଁ ଯାଉଥିଲେ। ଏବେ ରୋପଓ୍ଵେ ସହ ପୀଠକୁ ସୁନ୍ଦର ରାସ୍ତା ମଧ୍ୟ ନିର୍ମାଣ ହୋଇଛି।

ଆୟୋଜିତ କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାରା ତାରିଣୀ ମନ୍ଦିରର ରୂପାନ୍ତର ସମ୍ପର୍କରେ କହିଥିଲେ। ଏଥିରେ ମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଏବଂ ଜିଲ୍ଲାପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ଭକ୍ତମାନଙ୍କ ପାଇଁ ମନ୍ଦିର ପରିସରରେ ଏକ ମନୋଜ୍ଞ ପରିବେଶ ସୃଷ୍ଟି ହୋଇଛି। ପ୍ରସାଦ ସେବନ ଗୃହ, ଦୀପ ପ୍ରଜ୍ଜ୍ଵଳନ ସ୍ଥାନ, ବାଖ୍ୟାନ କେନ୍ଦ୍ର, ମୁଣ୍ଡନ କେନ୍ଦ୍ର, ବିଶ୍ରାମସ୍ଥଳ, ସେଣ୍ଟ୍ରାଲ ପ୍ଲାଜା ଓ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା ଆଦି ନୂତନ ସୁବିଧା ସହିତ ସ୍ଵଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି। ପାହାଚ ଶ୍ରେଣୀ, ରୋପ୍‌ ୱେ ଏବଂ ନୂତନ ସଡ଼କ ସହିତ ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି। ଏହା ସହିତ ନଦୀ କୂଳ ସଡ଼କକୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଛି। ଏଠାରୁ ଋଷିକୂଲ୍ୟା ନଦୀର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପର୍ଯ୍ୟଟକମାନଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିଛି। ଏ ସମସ୍ତ ବ୍ୟବସ୍ଥା ପାଇଁ ୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି।

ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତ ୧୭ ତାରିଖ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ୫-ଟି ସଚିବ ଭି କେ ପାଣ୍ଡିଆନ ପୀଠ ପରିଦର୍ଶନ କରି ଆୟୋଜନ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସେବାୟତ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ମଧ୍ୟ ଉଭୟ ଆଲୋଚନା କରିଥିଲେ। ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ଵାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ ଏବଂ ପରିମଳକୁ ଗୁରୁତ୍ଵ ଦିଆଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯଜ୍ଞର ସମସ୍ତ କାମ ତଦାରଖ କରୁଛନ୍ତି।

Tags: #MaaTaraTariniPitha #PratisthaUtsav #CMOdisha #NaveenPatnaik

Comment