ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହାୟତାରେ ଅନୁସୂଚିତ ଜାତି, ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ତିନି ଦିନିଆ ୧୧ତମ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ୨୦୨୨। ଗୁରୁବାର ଭୁବନେଶ୍ଵରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଏହାକୁ ଉଦ୍‌ଘାଟନ କରିଛନ୍ତି। ପ୍ରଥମ ସନ୍ଧ୍ୟାରେ ଭାରତର ବିଭିନ୍ନ ପ୍ରଦେଶରୁ ଆସିଥିବା ୯ଟି ଜନଜାତି କଳାକାରମାନଙ୍କ ଦ୍ଵାରା ୧୦ଟି ପାରମ୍ପରିକ ନୃତ୍ୟ ପରିବେଷଣ ହୋଇଛି।  ପ୍ରଥମ ସନ୍ଧ୍ୟାରେ ପ୍ରଥମ ନୃତ୍ୟ ଥିଲା ଗୁଜରାଟ କୁନୁବି ଜନଜାତିଙ୍କ ଡାଙ୍ଗି ନୃତ୍ୟ। ସମରକଳା ଉପରେ ଆଧାରିତ ଏହି ନୃତ୍ୟରେ ଦୁଲୁକିଥିଲା ରବୀନ୍ଦ୍ର ମଣ୍ଡପର ମଞ୍ଚ। କିଛି ସମୟ ଲାଗି ମଞ୍ଚରେ ରଣକ୍ଷେତ୍ରର ଭ୍ରମ ସୃଷ୍ଟି ହୋଇଥିଲା। ପରେ ପରେ ମଣିପୁର ରଙ୍ଗମେଇ ଜନଜାତିର ମେଟିଙ୍ଗ ନୃତ୍ୟ, ଓଡ଼ିଶା ଦୁରୁଆ ଜନଜାତିଙ୍କ ବିରଲି ନୃତ୍ୟ ବେଶ୍ ଆକର୍ଷଣୀୟ ଥିଲା।ସେହିଭଳି ଆସାମ ତିଓ୍ଵା ଓ ବୋଡ଼ୋ ଜନଜାତିଙ୍କ ବିହୁ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ପରେ ପରେ ରାଜସ୍ଥାନ ଭିଲମିନା ଜନଜାତିଙ୍କ କଚ୍ଚିଘୋଡ଼ି ନୃତ୍ୟ,  ହିମାଚଳ ପ୍ରଦେଶ ଗଦି ଜନଜାତିଙ୍କ ଦଣ୍ଡାରସ ନୃତ୍ୟ, ଓଡ଼ିଶା କୋୟା ଜନଜାତିଙ୍କ ବିଜାପାଣ୍ଡୁ ନୃତ୍ୟ, ସିକିମ୍‌ ସେର୍‌ପା ଜନଜାତିଙ୍କ ନ୍ୟାୟୁଙ୍ଗ-ମା-କାପୁ ନୃତ୍ୟ, ଉତ୍ତରପ୍ରଦେଶ ଗଣ୍ଡ ଜନଜାତିଙ୍କ ସଇଲା ନୃତ୍ୟ ଓ ଗୋଆ ଭେଲିପ୍‌ ଜନଜାତିଙ୍କ ଚୌରାଙ୍ଗ ନୃତ୍ୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ଯୁଗ୍ମ ସଚିବ ନଓ୍ଵଲ୍‌ଜିତ୍‌ କପୁର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଅନୁସୂଚିତ ଜାତି, ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଖିଳ ବିହାରୀ ଓତା ପ୍ରଥମେ ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଶେଷରେ ବିଭାଗୀୟ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଧନ୍ୟବାଦ ଦେଇଥିଲେ।

Tags: #TribalDanceFestival #SCSTRTI #Tribal #Odisha #ଜନଜାତି #ଜନଜାତିନୃତ୍ୟମହୋତ୍ସବ

Comment