ଓଡ଼ିଶାଲାଇଭ୍ ବ୍ୟୁରୋ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩୧ ତାରିଖରେ ହେବାକୁ ଥିବା ଦ୍ଵାଦଶ ବୋର୍ଡର ଶେଷ ପରୀକ୍ଷା ଘୁଞ୍ଚିଛି। ମେ’ ୩୧ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ଆସନ୍ତା ଜୁନ ମାସ ୪ ତାରିଖରେ ହେବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ମେ’ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଥିବାରୁ ଦ୍ଵାଦଶ ବୋର୍ଡ ପରୀକ୍ଷା ଘୁଞ୍ଚା ଯାଇଥିବା ଜଣାପଡ଼ିଛି।

ଦ୍ଵାଦଶ ବୋର୍ଡ ପରୀକ୍ଷାର ଶେଷ ଦିନରେ କଳା ବିଭାଗର ଗଣିତ ଏବଂ ଗୃହ ବିଜ୍ଞାନ ପରୀକ୍ଷା ଦେଇଥାନ୍ତେ ଛାତ୍ରଛାତ୍ରୀ। ଏହା ସହିତ ବିଜ୍ଞାନ ବିଭାଗର ଗଣିତ ପରୀକ୍ଷା ମଧ୍ୟ ହୋଇଥାନ୍ତା। କିନ୍ତୁ ଆଗକୁ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଥିବାରୁ ଏହି ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। 

ଗତ ଏପ୍ରିଲ ୨୮ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଛି ଦ୍ଵାଦଶ ବୋର୍ଡ ପରୀକ୍ଷା। ଆସନ୍ତା ୩୧ ତାରିଖ ପରୀକ୍ଷାର ଶେଷ ଦିନ ଥିଲା। ଆସନ୍ତା ୩୧ ତାରିଖରେ ବ୍ରଜରାଜନଗରରେ ଉପନିର୍ବାଚନ ଥିବାରୁ ଏହା ଦ୍ଵାରା ସମ୍ପୃକ୍ତ ଅଞ୍ଚଳ ଛାତ୍ରଛାତ୍ରୀ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଥିବା କୁହାଯାଉଛି। କୋଭିଡ ଯୋଗୁଁ ଦୁଇ ବର୍ଷ ପରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଇଛନ୍ତି।

Tags: #Education #Examination #Plus2Exam #Odisha

Comment