ଓଡ଼ିଶାଲାଇଭ୍ ବ୍ୟୁରୋ

  • ୬ଟି ଉଚ୍ଚ ଶକ୍ତି ସମ୍ପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ଗୋଟିଏ ୨୨୦ କେଭି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ
  • ୪୫୦ କୋଟି ଟଙ୍କାର ପ୍ରକଳ୍ପ
  • ଲୋ-ଭୋଲ୍‌ଟେଜ ସମସ୍ୟା ଦୂର ପାଇଁ ଖର୍ଚ୍ଚ ହେବ ୧,୮୦୦ କୋଟି ଟଙ୍କା
  • ବିଦ୍ୟୁତ ଅପଚୟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ବିଦ୍ୟୁତ ହେଉଛି ବିକାଶର ଜୀବନରେଖା। ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜାରୁରୀ ହୋଇପଡ଼ିଛି। ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନ କରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଯୋଗେ ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସମ୍ପନ୍ନ ଗ୍ରୀଡ ସବଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନ ଉଦ୍‌ଘାଟନ କରିଛନ୍ତି। ଏହା ଦ୍ଵାରା ଲୋକଙ୍କୁ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ମିଳିପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ୬ଟି ଉଚ୍ଚଶକ୍ତି ସଂପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ଗୋଟିଏ ୨୨୦ କେଭି ଡବଲ ସର୍କିଟ ଟ୍ରାନ୍ସମିଶନ ଲାଇନ ପାଇଁ ୪୫୦ କୋଟି ଟଙ୍କା ବିନିଯୋଗ ହୋଇଛି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଏହି ନୂତନ ବ୍ୟବସ୍ଥା ଦ୍ଵାରା କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କେନ୍ଦୁଝର, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀ, ଛାତ୍ରଛାତ୍ରୀ ଏବଂ ମା’ ମାନେ ବିଶେଷ ଉପକୃତ ହେବେ। କ୍ଷୁଦ୍ର ଶିଳ୍ପ ଓ ଜଳସେଚନ ପ୍ରକଳ୍ପଗୁଡ଼ିକ ମଧ୍ୟ ଏଥିଯୋଗୁଁ ଲାଭବାନ ହୋଇପାରିବେ”।

ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୩,୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ‘ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଷ୍ଟ୍ରେଙ୍ଗଦେନିଂ ପ୍ରୋଜେକ୍ଟ’ ଆରମ୍ଭ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୩୦ଟି ୩୩/୧୧ କେଭି ସବ୍‌ଷ୍ଟେସନ କାର୍ଯ୍ୟକାରୀ କରାଯାଇଛି। ରାଜ୍ୟରେ ଲୋ-ଭୋଲ୍‌ଟେଜ ସମସ୍ୟା ଦୂର କରିବା ପାଇଁ ସରକାର ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ୧,୮୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। 

ଏହି କାର୍ଯ୍ୟକ୍ରମରେ ସମ୍ବଲପୁରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଖୋର୍ଦ୍ଧାରେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା, କଳାହାଣ୍ଡିରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କେନ୍ଦୁଝରରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏବଂ ରାୟଗଡ଼ା-ଗୁଣପୁରରେ ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ବିଦ୍ୟୁତ ଭିତ୍ତିଭୂମିର ବିକାଶ ଦ୍ଵାରା ରାଜ୍ୟର ବିକାଶ ପ୍ରକ୍ରିୟା ତ୍ଵରାନ୍ଵିତ ହୋଇପାରିଛି ବୋଲି ମତବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵକୁ ଉଚ୍ଚପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ  ଅଧିକାରୀମାନେ ଉପସ୍ଥିତ ଥିଲେ। ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସ୍ଵାଗତ ଭାଷଣ ଦେଇଥିଲେ। ଓପିଟିସିଏଲର ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #Electricity #PowerSupply #CMOdisha #NaveenPatnaik #InagurateSevenPowerProjects #HighPowerGridSubstations

Comment