ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ନିଜ ନିଜ ଦଳର ହେଭିଓ୍ଵେଟ। ବିଜେପି ପାଇଁ ପ୍ରଚାର କରିବାକୁ ମଙ୍ଗଳବାର ଦିନ ମଇଦାନରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିବାବେଳେ ଶାସକ ବିଜେଡି ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ବିଭିନ୍ନ ପ୍ରସଂଗ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଦାଦନ ସମସ୍ୟା, ଆୟୁଷ୍ମାନ ଏବଂ ମହାନଦୀ ପ୍ରସଂଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର।

ସେ କହିଛନ୍ତି ବିଜେଡି ସରକାର ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଛନ୍ତି। କିନ୍ତୁ ରାଜ୍ୟବାସୀଙ୍କ ସୁବିଧା କଥା ଚିନ୍ତା କରୁନାହାନ୍ତି। ରାଜ୍ୟରେ ନିଯୁକ୍ତି ସୁଯୋଗ ନଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ। କେବଳ ସେତିକି ନୁହେଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ’ ଯୋଜନାକୁ ସରକାର ଜାଣିଶୁଣି ଲାଗୁ କରୁନାହାନ୍ତି। ପିସି ନଦେଲେ କୌଣସି କାମ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର।

ଏହି ଅବସରରେ ମହାନଦୀ ପ୍ରସଙ୍ଗ ବି ଉଠାଇଥିଲେ ସେ। ୫ ବର୍ଷ ତଳେ ଏହି ପ୍ରସଂଗ ନେଇ ଯେଉଁମାନେ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। ସେମାନେ ଏବେ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବର୍ତ୍ତମାନ ସରକାର ପରିବର୍ତ୍ତନର ସମୟ ଆସିଯାଇଛି ବୋଲି ସେ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିର ରମ୍ପେଲା, ଦଳଗାଁ, ଚାରପାଲି, ଅଢ଼ାପରା ଓ ବାଗମୁଣ୍ଡାଠାରେ ବିଜେପି ବିଧାୟିକା ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରିବା ସହ ଲଖନପୁରଠାରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗ ଦେଇଥିଲେ।

କେବଳ ବିଜେପି ନୁହେଁ କଂଗ୍ରେସ ଏବଂ ବିଜେଡି ପକ୍ଷରୁ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନିମନ୍ତେ ଷ୍ଟାର ପ୍ରଚାରକମାନେ ଗ୍ରାଉଣ୍ଡରେ ଆରମ୍ଭ କରିଛନ୍ତି କଡ଼ା କସରତ। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆପଣେଇବାକୁ ଲାଗିଛନ୍ତି ନୂଆ ନୂଆ ରଣନୀତି।

Tags: #Politics #OdishaPolitics #Election #ByElection #BrajarajNagarByElection #BJD #BJP #Congress

Comment