ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ଖୁସିର ଦିନ କେବେ ଆସିବ ତାକୁ ଅପେକ୍ଷା କଲେ ଖୁସି ମିଳେନି। ବରଂ ଛୋଟ ଛୋଟ ଖୁସି ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଡ଼େ। ଆଜି ମୋ ସ୍ୱାମୀ ସରୋଜଙ୍କ ଜନ୍ମଦିନ ଅବସରରେ ଏମିତି ଖୁସିର ମୁହୂର୍ତ୍ତ ସୃଷ୍ଟି କରି ଆମକୁ ଏକ ସ୍ୱତନ୍ତ୍ର ଅନୁଭୂତି ଦେଇଥିବାରୁ ମୁଁ ଓଡ଼ିଶାଲାଇଭ୍‌ ଟିମକୁ ଧନ୍ୟବାଦ ଦେଉଛି’’, ଓଡ଼ିଶାଲାଇଭ୍‌କୁ ଏକ ସାକ୍ଷାତାକାର ଦେବା ପାଇଁ ଆସିବା ଅବସରରେ ଏଭଳି କହିଛନ୍ତି ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳ।

ଦୀର୍ଘ ୧୪ ବର୍ଷ ପରେ ପ୍ରମୋଦିନୀ ରାଉଳଙ୍କ ଉପରେ ଏସିଡ ଆକ୍ରମଣ କରିଥିବା ଦୋଷୀଙ୍କୁ ନିକଟରେ ଆଜୀବନ ଜେଲ ଦଣ୍ଡ ମିଳିଛି। ତେଣୁ ନ୍ୟାୟ ପାଇଥିବା ପ୍ରମୋଦିନୀଙ୍କ ସହ ଖୋଲାଖୋଲି କଥା ହେବା ସହ ତାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଓଡ଼ିଶାଲାଇଭ୍‌ ଚାହିଁଥିଲା। ତେଣୁ ଶନିବାର ପ୍ରମୋଦିନୀ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେବା ପାଇଁ ଓଡ଼ିଶାଲାଇଭ୍‌ ଷ୍ଟୁଡିଓକୁ ଆସିଥିଲେ।

ଏହି ଅବସରରେ ଜଣାପଡ଼ିଥିଲା ଯେ ଆଜି ପ୍ରମୋଦିନୀଙ୍କ ସ୍ୱାମୀ ସରୋଜ ସାହୁଙ୍କ ଜନ୍ମଦିନ। ତେଣୁ ଏହି ଦିନଟିକୁ ସେମାନଙ୍କ ପାଇଁ ଆଉ ଟିକେ ସ୍ପେଶାଲ କରିବାକୁ ଓଡ଼ିଶାଲାଇଭ୍‌ ଟିମ୍‌ ଚେଷ୍ଟା କରିଥିଲା। ଓଡ଼ିଶାଲାଇଭ୍‌, ଓଡ଼ିଶାପ୍ଲସ୍‌ ଓ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସର ସମସ୍ତ କର୍ମଚାରୀଙ୍କ ଗହଣରେ କେକ୍‌ କଟାଯାଇଥିଲା। ଏହି ଅବସରରେ ଓଡ଼ିଶାଲାଇଭ୍‌ର ସିଇଓ ନୀଳାମ୍ବର ରଥ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ଖୁବଶୀଘ୍ର ପ୍ରମୋଦିନୀଙ୍କ ସ୍ଵତନ୍ତ୍ର ସାକ୍ଷାତକାର ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ ଚ୍ୟାନେଲ, ଫେସ୍‌ବୁକ୍ ଏବଂ ଓଡ଼ିଶାଲାଇଭ୍‌ର ଅନ୍ୟାନ୍ୟ ସୋସିଆଲ ଚ୍ୟାନେଲରେ ପ୍ରସାରିତ ହେବ।

Tags: #AcidAttackSurvival #PramodiniRoul #SarojSahoo #BirthDayCelebration

Comment