ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରର ୮ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଚାଷୀଙ୍କୁ ଉପହାର ଦେଇଛନ୍ତି। ପିଏମ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଏକାଦଶ କିସ୍ତି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି। ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨୧,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି ପ୍ରଧାନମନ୍ତ୍ରୀ। ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ଯାଇଛି।

ଯେଉଁ ଚାଷୀମାନେ ଦଶମ କିସ୍ତିର ଟଙ୍କା ପାଇନଥିଲେ ସେମାନଙ୍କୁ ଦଶମ ଏବଂ ଏକାଦଶ କିସ୍ତି ଟଙ୍କା ଏକା ସାଙ୍ଗରେ ମିଳିବ। ଯେଉଁମାନେ ରେଜିଷ୍ଟ୍ରେସନ କରିଥିବେ ସେମାନଙ୍କୁ ହିଁ ଏହି ଅର୍ଥ ମିଳିବ।

ଟଙ୍କା ଆସିନଥିଲେ କ’ଣ କରିବେ ଚାଷୀ?

ପିଏମ କିସାନ ସମ୍ମାନ ନିଧି ଯୋଜନା ବିଷୟରେ କୌଣସି ସୂଚନା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଏକ ହେଲପଲାଇନ ନମ୍ବର ଜାରି କରାଯାଇଛି। ଯଦି କୌଣସି ଚାଷୀଙ୍କ ବ୍ୟାଙ୍କ ଖାତାକୁ ପିଏମ କିସାନ ଟଙ୍କା ନଆସିଥିବ ସେମାନେ ଏହି ହେଲପ ଲାଇନ ନମ୍ବରର ସହାୟତା ନେଇପାରିବେ। ଜାରି କରାଯାଇଥିବା ନମ୍ବର ହେଉଛି ୧୫୫୨୬୧ ଏବଂ ୦୧୧ ୨୪୩୦୦୬୦୬।

କେମିତି ଯାଞ୍ଚ କରିବେ ପିଏମ୍ କିସାନ ସମ୍ମାନ ନିଧି ସ୍କିମ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିମଳାଠାରେ ନିଜ ସରକାରର ୮ ବର୍ଷ ପୂର୍ତ୍ତି ଅବସରରେ ଚାଷୀଙ୍କୁ ଏହି ଉପହାର ଦେଇଛନ୍ତି। ପ୍ରତି ଚାଷୀଙ୍କ ବ୍ୟାଙ୍କ ଖାତାରେ ୨ ହଜାର ଟଙ୍କା ଲେଖାଏଁ ଜମା କରାଯାଇଛି। ଚାଷୀମାନେ ନିଜ ନିଜର ଆକାଉଣ୍ଟ ଚେକ୍ କରି ଜାଣିପାରିବେ ସେମାନଙ୍କ ଖାତାକୁ ଟଙ୍କା ଆସିଛି କି ନାହିଁ।

ସର୍ବ ପ୍ରଥମେ ପିଏମ କିସାନର ଅଫିସିଆଲ ଓ୍ଵେବସାଇଟ ‘ଏଚଟିଟିପିଏସ://ପିଏମକେଆଇଏସଏନ.ଜିଓଭି.ଇନ’ କୁ ଯିବାକୁ ପଡ଼ିବ। ହୋମ ପେଜରେ ଫାର୍ମର କର୍ଣ୍ଣର ଅପସନ ଆସିବ। ଏହା ଉପରେ କ୍ଲିକ୍ କରିବା ପରେ ବେନିଫିସିଆରିଜ ଲିଷ୍ଟ ଉପରେ କ୍ଲିକ କରିବାକୁ ପଡ଼ିବ। ଏହା ପରେ ଡ୍ରପ ଡାଉନ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏଥିରେ ରାଜ୍ୟ, ଜିଲ୍ଲା, ଉପଜିଲ୍ଲା, ବ୍ଲକ ଏବଂ ଗାଁ ଅପସନ ସିଲେକ୍ଟ କରିବାକୁ ପଡ଼ିବ। ଏହା ପରେ ଗେଟ ରିପୋର୍ଟ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏହା ପରେ ସମସ୍ତ ତଥ୍ୟ ଚାଷୀଙ୍କୁ ମିଳିପାରିବ।

Tags: #Kishan #PMKisanSammanNiddhiScheme #BankAccount #Money

Comment