ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରଜରାଜନଗରରେ ପୁଣି ଜନତାଙ୍କ ଭରସା ଜିତିବାରେ ସଫଳ ହୋଇଛି ବିଜେଡି। ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। କଂଗ୍ରେସ ଏଠାରେ ଦ୍ଵିତୀୟ ସ୍ଥାନକୁ ଆସିଛି। ଏହି ସଫଳତା ପରେ ଓଡ଼ିଶାରେ ପୁଣି କ୍ଷମତାକୁ ଆସିବାକୁ ଆଶା ବାନ୍ଧିଛି କଂଗ୍ରେସ।

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ହାସଲ ହୋଇଛି। ୬୫ ହଜାରରୁ ଊର୍ଦ୍ଧ୍ଵ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି। ଏବେ ବିଜେଡି ହାତକୁ ଯାଇଛି ବ୍ରଜରାଜନଗରର ଶାସନ ଭାର। ବିଜେଡି ସରକାରଙ୍କ ସ୍ଵଚ୍ଛ ଶାସନ ଏବଂ ବଳିଷ୍ଠ ନେତୃତ୍ଵ ଉପରେ ପୁଣି ଭରସା କରିଛନ୍ତି ବ୍ରଜରାଜନଗର ଜନତା। ବିଜେଡିକୁ ଏଠାରେ କେବଳ ବିଜୟ ହାସଲ ହୋଇନାହିଁ, ଭୋଟର ବ୍ୟବଧାନ ମଧ୍ୟ ବହୁତ ଅଧିକ ରହିଛି।

ଭୋଟ ଗଣତି ପୂର୍ବରୁ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା କାହାକୁ ମିଳିବ ବ୍ରଜରାଜନଗରର ଶାସନ ଭାର। କାହାକୁ ବାଛି ଜନତା? ୨୦ ରାଉଣ୍ଡର ଭୋଟ ଗଣତି ପରେ ସବୁ ଆଶଙ୍କା ଉପରୁ ପରଦା ହଟିଲା। ବ୍ରଜରାଜନଗରରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। ଅଳକା ମହାନ୍ତିଙ୍କର ପୂର୍ବରୁ ରାଜନୀତିରେ ଅଭିଜ୍ଞତା ନଥିଲେ ମଧ୍ୟ ବ୍ରଜରାଜନଗର ବାସୀ ତାଙ୍କୁ ନିଜର ନେତା ଭାବେ ବାଛିଛନ୍ତି।

ଗତ ୨୦୨୧ ଡିସେମ୍ବର ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କର ଦେହାନ୍ତି ହୋଇଥିଲା। ଏହା ପରଠାରୁ ବ୍ରଜରାଜନଗର ବିଧାନସଭା ଆସନ ଖାଲିପଡ଼ିଥିଲା। ଏହି ଆସନ ପୂରଣ କରିବା ନିମନ୍ତେ ଗତ ମେ’ ୩୧ ତାରିଖରେ ନିର୍ବାଚନ ହୋଇଥିଲା। ଏଥିରେ ମୋଟ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାବେଳେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ହୋଇଥିଲା ତ୍ରିମୁଖି ଲଢ଼େଇ। ତିନି ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକ ବ୍ରଜରାଜନଗରରେ ଡେରା ପକାଇବା ସହ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଶେଷରେ ବାଜି ମାରିଲା ବିଜେଡି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ମୋଟ ୯୩,୯୫୩ ଖଣ୍ଡ ଭୋଟ ପାଇ ବିଜେୟୀ ହେଲେ।

ଜିତିଲେ ଅଳକା ମହାନ୍ତି

ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲିପଡ଼ିଥିବା ଆସନ ଲାଗି ଉପନିର୍ବାଚନ ନିମନ୍ତେ ତାରିଖ ଘୋଷଣା ହୋଇଥିଲା। ଗତ ମେ’ ୯ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ। ବିଜେଡିର ପ୍ରାର୍ଥୀ ତାଲିକାରେ ଅନେକ ଆଶାୟୀ ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଳକାଙ୍କ ନାଁ ଘୋଷଣା କରିବାପରେ ସବୁ ଚର୍ଚ୍ଚା ଉପରେ ବିରାମ ଲାଗିଥିଲା।

ଅଳକା ମହାନ୍ତି ହେଉଛନ୍ତି ବ୍ରଜରାଜନଗରର ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ। ବିଜେଡିର ପୁରୁଣା ପରମ୍ପରା ଅନୁଯାୟୀ ଅଳକାଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା। ପ୍ରାର୍ଥୀ ହେବା ପରେ ସ୍ଵାମୀଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିବେ ବୋଲି କହିଥିଲେ ଅଳକା ମହାନ୍ତି। ସେ କହିଥିଲେ ତାଙ୍କ ସ୍ଵାମୀ କିଶୋର ମହାନ୍ତି ବ୍ରଜରାଜନଗର ଏବଂ ବ୍ରଜରାଜନଗର ବାସିନ୍ଦାଙ୍କ ବିକାଶ ପାଇଁ ଅନେକ ସ୍ଵପ୍ନ ଦେଖିଥିଲେ। ସେଗୁଡ଼ିକ ମଧ୍ୟରୁ କିଛି ପୂରଣ ହୋଇଥିବାବେଳେ ଅନେକ ବାକି ରହିଯାଇଛି। ନିର୍ବାଚନ ଜିତିଲେ ସ୍ଵାମୀଙ୍କର ସ୍ଵପ୍ନ ପୂରଣ କରିବା ଉପରେ ଗୁରୁତ୍ଵ ଦେବେ ବୋଲି ସେ କହିଛନ୍ତି।

ଏବେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବିଜୟୀ ହେବା ପରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପୁଣି ସେହି ପୁରୁଣା କଥାକୁ ଦୋହରାଇଛନ୍ତି। ତାଙ୍କ ଉପରେ ଭରସା କରିଥିବାରୁ ସେ ବ୍ରଜରାଜନଗର ଜନତାଙ୍କୁ ଧନ୍ୟବାଦ ଦେବା ସହ ସ୍ଵାମୀଙ୍କ ଅଧୁରା ସ୍ଵପ୍ନ ପୂରଣ କରିବେ ବୋଲି କହିଥିଲେ।

ଦ୍ଵିତୀୟରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ

ବିଭିନ୍ନ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନିରାଶଜନକ ରହିଥିବାବେଳେ ୨୦୨୨ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିଛି। ଏହି ଉପନିର୍ବାଚନରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ। ଏହି ଫଳାଫଳ ପରେ ଓଡ଼ିଶାରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବା ନେଇ ଆଶା ବାନ୍ଧିଛି। ନିକଟରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପୂର୍ବରୁ ଓଡ଼ିଶା ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ଵ ନେଇଥିଲେ। କଂଗ୍ରେସର ଏହି ପରିବର୍ତ୍ତନ ପାଇଁ ତାଙ୍କ ନେତୃତ୍ଵକୁ ଶ୍ରେୟ ଦେଉଛି ଦଳ।

କେବଳ ସେତିକି ନୁହେଁ କିଶୋର ପଟେଲ ପ୍ରାର୍ଥୀ ହେବା ପରେ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଥିଲା। ମାଳମାଳ ନେତା, ମନ୍ତ୍ରୀ, ଯୁବନେତା ଏବଂ ଦଳୀୟ କର୍ମୀମାନେ ବ୍ରଜରାଜନଗରରେ ପହଞ୍ଚି ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିଲେ। ଘରକୁ ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ। ପୂର୍ବରୁ ଏହିପରି କେବେ ହୋଇନଥିଲା, ଏତେ ସଂଖ୍ୟାରେ ନେତା ମନ୍ତ୍ରୀ କୌଣସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ପୂର୍ବରୁ ଦେଖିବାକୁ ମିଳିନଥିଲା।

ଏହି ଚେଷ୍ଟାର ଫଳ ମିଳିଛି ବୋଲି ଦଳ ପକ୍ଷରୁ କହାଯାଇଛି। କଂଗ୍ରେସର ଏଭଳି ପ୍ରଦର୍ଶନ ନିହାତି ରାଜ୍ୟ କଂଗ୍ରେସ ପାଇଁ କିଛି ମାତ୍ରାରେ ଆଶା ସଞ୍ଚାର କରିଛି।  ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲେ ବି ଭଲ ପ୍ରଦର୍ଶନ କରିପାରିନଥିଲା। ବିଜେଡିଠାରୁ ଭୋଟ ବ୍ୟବଧାନରେ ବହୁ ପଛରେ ରହିଥିଲା ବିଜେପି। ତେଣୁ କଂଗ୍ରେସ ପାଇଁ ଏହା ଏକ ସୁଯୋଗ ହୋଇପାରେ ବୋଲି କୁହାଯାଉଛି।

କାମ ଦେଲାନି ବିଜେପିର ଷ୍ଟାର ପ୍ରଚାର

ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଚର୍ଚ୍ଚା ଚାଲିଥିଲା। ରାଜ୍ୟର ମୁଖ୍ୟ ବିରୋଧୀ ଦାୟିତ୍ଵ ତୁଲାଉଥିବା ବିଜେପିର ପ୍ରାର୍ଥୀ ରାଧାରାଣୀ ପଣ୍ଡା ବିଜେୟୀ ହୋଇପାରନ୍ତି ବୋଲି ଆଲୋଚନା ହେଉଥିଲା। କାରଣ ସେ ପୂର୍ବରୁ ମଧ୍ୟ ବିଧାୟିକା ରହିସାରିଛନ୍ତି। ରାଜନୀତିରେ ତାଙ୍କର ବେଶ ଅଭିଜ୍ଞତା ରହିଛି। ତାଙ୍କ ପାଇଁ ପ୍ରଚାର କରିବାକୁ ଦଳର ତୁଙ୍ଗନେତା, ମନ୍ତ୍ରୀ, ବିଧାୟକ ଏବଂ କର୍ମୀମାନେ ସବୁପ୍ରକାର ଉଦ୍ୟମ କରିଥିଲେ        । ୪୦ ଜଣିଆ ଷ୍ଟାର ପ୍ରଚାରକ ବଜରାଜନଗରରେ ଡେରା ପକାଇ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ।

ସବୁଠାରୁ ବଡ଼ କଥା ହେଲା ବିଜେପିର ପୋଷ୍ଟର ବୟ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଚାର ମଇଦାନକୁ  ଓହ୍ଲାଇ ରାଧାରାଣୀ ପଣ୍ଡାଙ୍କ ଲାଗି ଭୋଟରଙ୍କୁ ଆକୃଷ୍ଟ କରିଥିଲେ। କିନ୍ତୁ ବିଜେପିର ଚେଷ୍ଟା ବିଜେଡି ସରକାରଙ୍କ ଲୋକପ୍ରିୟତା ଆଗରେ କାମ ଦେଲାନି।

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ଆଶା ଅନୁରୂପ ଫଳ ମିଳିପାରିଲା ନାହିଁ ବିଜେପିକୁ। ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଉପରେ ଆଶା ରଖି ପ୍ରାର୍ଥୀ କରିଥିଲା ଦଳ। ରାଧାରାଣୀଙ୍କର ରାଜନୀତିରେ ଭଲ ଅଭିଜ୍ଞତା ସହ ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବାରେ  ଗୁରୁତ୍ଵପୂର୍ଣ୍ଣ ଭୂମିକା ମଧ୍ୟ ରହିଛି।

ରାଧାରାଣୀ ପଣ୍ଡା ୨୦୧୪ ମସିହା ବ୍ରଜରାଜନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୯ ମସିହା ବିଧାନସଭା ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କଠାରୁ ପରାସ୍ତ ହୋଇଥିଲେ। ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଅନେକ ଆଶାୟୀ ରେସରେ ରହିଥିଲେ। କିନ୍ତୁ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ଯୋଗୁଁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରାଯିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହି ଅସନ୍ତୋଷ ଏହି ଉପନିର୍ବାଚନରେ ପ୍ରତିଫଳନ ହୋଇଥିବା ଚର୍ଚ୍ଚା ହେଉଛି।

Tags: #Election #Politics #ByElection #BrajarajnagarByElection #BJDwin

Comment