ଓଡ଼ିଶାଲାଇଭ୍ ବ୍ୟୁରୋ

କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଶୁକ୍ରବାର ସକାଳ ୮ରୁ ଭୋଟ ଗଣତି ଆରମ୍ଭ ହୋଇଛି। ଝାରୁସୁଗୁଡ଼ା ଇଂଜିନିୟରିଂ ସ୍କୁଲରେ ଚାଲିଛି ଗଣତି। ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ୨୦ଟି ରାଉଣ୍ଡରେ ଭୋଟ ଗଣତି ଶେଷ ହେବ। ଭୋଟ ଗଣତି ପାଇଁ ପ୍ରତି ଟେବୁଲରେ ୩ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆଗରେ ରହିଛି ବିଜେଡି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଚତୁର୍ଥ ରାଉଣ୍ଡ ଭୋଟ ଗଣତିରେ ୨୦,୮୨୦ ଖଣ୍ଡ ଭୋଟ ମିଳିଥିବାବେଳେ ଦ୍ୱିତୀୟରେ ରହିଛନ୍ତି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା। ତାଙ୍କୁ ୫,୨୬୦ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୩,୫୬୦ ଖଣ୍ଡ ଭୋଟ ମିଳିଛି।

ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୩,୫୮୯ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧,୧୪୪ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୧,୦୧୪ ଖଣ୍ଡ ଭୋଟ ମିଳିଥିଲା। ସେହିପରି ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଅଳକା ମହାନ୍ତିଙ୍କୁ ୫,୫୧୫ ଖଣ୍ଡ ଭୋଟ ମିଳିଥିବାବେଳେ ରାଧାରାଣୀ ପଣ୍ଡାଙ୍କୁ ୧,୪୭୯ ଖଣ୍ଡ ଏବଂ କିଶୋର ପଟେଲଙ୍କୁ ୬୮୫ ଖଣ୍ଡ ଭୋଟ ମିଳିଛି।

ତୃତୀୟ ରାଉଣ୍ଡରେ ବିଜେଡିକୁ ୫,୭୮୫ ଖଣ୍ଡ, ବିଜେପିକୁ, ୧,୨୧୮ ଖଣ୍ଡ ଏବଂ କଂଗ୍ରେସକୁ ୯୭୮ ଖଣ୍ଡ ଭୋଟ ମିଳିଛି। ବର୍ତ୍ତମାନ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ଚାଲିଛି। ଚତୁର୍ଥ ରାଉଣ୍ଡରେ ହଠାତ୍ ବିଜେଡିର ସଂଖ୍ୟା ବୃଦ୍ଧି ହୋଇଛି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୨୦,୮୨୦ ଖଣ୍ଡ ଭୋଟ ହାତେଇ ସବୁଠାରୁ ଆଗରେ ରହିଛନ୍ତି। ବିଜେଡି ପଛରେ ରହିଛନ୍ତି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା, ତାଙ୍କୁ ମିଳିଛି ୫,୨୬୦ ଖଣ୍ଡ ଭୋଟ। କଂଗ୍ରେସ ଯେଉଁ ଆକଳନ ଲଗାଇଥିବା କିଶୋର ପଟେଲଙ୍କୁ ନେଇ ତାହା ଟିକେ ନିରାଶଜନକ ହୋଇଛି। ୩,୫୬୦ ଖଣ୍ଡ ଭୋଟ ପାଇ ପଛରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ।

Tags: #Politics #Election #ByElection #BrajarajnagarByElection #VoteCounting

Comment