ସରୋଜ କୁମାର ମହାପାତ୍ର

ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ନବକଳେବର। ପଞ୍ଚମ ପାଳି ସରକାରର ତୃତୀୟ ବର୍ଷ ପୂରଣ ପରେ ନବୀନଙ୍କ ନୂଆ ଷ୍ଟାଇଲକୁ ନେଇ ଜୋରଦାର ଚର୍ଚ୍ଚା।

ଓଡ଼ିଶା ରାଜନୀତିକ ଇତିହାସରେ ଆଉ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ଶନିବାର ଦିନ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଏକକାଳୀନ ଭାବେ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତ ୨୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବିଜୁ ଜନତା ଦଳର ୨୨ ବର୍ଷର ଶାସନ କାଳ ଭିତରେ ଏଭଳି ଘଟଣା ପ୍ରଥମ ହୋଇଥିବାରୁ ଏହାକୁ ନବୀନଙ୍କ ନୂଆ ଷ୍ଟାଇଲ କୁହାଯାଉଛି। ତେବେ ଏହା ପଛରେ କ’ଣ ସଙ୍କେତ ରହିଛି ତାହା ଆସନ୍ତାକାଲି ଦିନ ୧୧ଟା ୩୦ରେ ଜଣାପଡ଼ିବ।

୨୦୧୯ରେ ଲଗାତାର ପଞ୍ଚମ ମଥର ପାଇଁ ସରକାର ଗଠନ କରିଥିଲା ବିଜେଡି। ନବୀନ ପଟ୍ଟନାୟକ ମଧ୍ୟ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୯ ମେ’ ୨୯ ତାରିଖରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରିବା ସହ ଅନ୍ୟ ୨୦ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ।

ଫାଇଲ ଫଟୋ

ଇତି ମଧ୍ୟରେ ନବୀନଙ୍କ ପଞ୍ଚମ ପାଳି ସରକାରକୁ ୩ ବର୍ଷ ପୂରଣ ହୋଇଛି। ଏହି ଅବଧି ଭିତରେ ସରକାର ଅନେକ ଘଟଣା ଦୁର୍ଘଟଣାକୁ ସାମ୍ନା କରିଛନ୍ତି। ତେଣୁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ନେଇ ଅନେକ ଦିନ ହେଲା ଚର୍ଚ୍ଚା ହୋଇ ଆସୁଥିଲା। ହେଲେ ବିଭିନ୍ନ କାରଣରୁ ତାହା ହୋଇପାରି ନଥିଲା।

ଗତ ମେ’ ୩ ତାରିଖରେ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିରୋଧୀ କଂଗ୍ରେସ ଏବଂ ବିଜେପି ଏହି ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବାରେ ଫେଲ୍‌ ମାରିଛନ୍ତି। ବ୍ରଜରାଜନଗର ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡି ଶିବିର ଉତ୍ସାହିତ ରହିଛି। ତେଣୁ ଏହି ଉପନିର୍ବାଚନ ଫଳ ଆସିବାର ଗୋଟିଏ ଦିନ ପରେ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

କୁହାଯାଉଛି ଯେ, ୪ ତାରିଖ ସକାଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ସମସ୍ତ ମନ୍ତ୍ରୀଙ୍କୁ ଫୋନ ଆସିଥିଲା ଏବଂ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆଧାରରେ ସମସ୍ତ ମନ୍ତ୍ରୀ ନିଜ ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ୨୦୨୪ରେ ହେବାକୁ ଥିବା ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର ହେବ ବୋଲି ଚର୍ଚ୍ଚା ହେଉଛି।

ନୂଆକରି ଗଠନ ହେବାକୁ ଥିବା ମନ୍ତ୍ରିମଣ୍ଡଳରେ କେଉଁମାନେ ସାମିଲ ହେବେ ତାହା ଜଣାପଡ଼ି ନାହିଁ। ତେବେ କେତେକ ଯୁବ ଚେହେରା ଏବଂ ଦକ୍ଷତା ଥିବା ବିଧାୟକଙ୍କୁ ନବୀନ ତାଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

୨୨ ବର୍ଷର ଶାସନକାଳ ଭିତରେ ନବୀନ ବିଭିନ୍ନ ସମୟରେ ଅନେକ ଥର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ନୂଆ ଚେହେରାଙ୍କୁ ସାମିଲ କରିବା ସହିତ ପୁରୁଖା ନେତାଙ୍କୁ ବିଦା କରିଛନ୍ତି। ହେଲେ ଚଳିତ ପଞ୍ଚମ ପାଳି ସରକାରର ତୃତୀୟ ବର୍ଷରେ ହେଉଥିବା ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ନବୀନ ସମସ୍ତଙ୍କୁ ଚକିତ କଲା ଭଳି ନିଷ୍ପତ୍ତି ନେଇଛନ୍ତି।

୨୦୨୪ ବିଧାନସଭା ନିର୍ବାଚନରେ କିପରି ବିଜେଡି ଆହୁରି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଏବେଠୁ ଜୋରଦାର ପ୍ରସ୍ତୁତି କରାଯାଉଛି। ସେଥିପାଇଁ ଦଳର ଯୁବ ନେତା ଏବଂ ନୂଆ ମୁହଁମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଉଛି।

୨୦୧୯ ବିଧାନସଭା ନିର୍ବାଚନରେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଦଳ ଯୁବକମାନଙ୍କୁ ଟିକେଟ ଦେଇଥିଲା। ସେହିପରି ଏହା ପରେ ହୋଇଥିବା ବିଭିନ୍ନ ଉପନିର୍ବାଚନରେ ମଧ୍ୟ ବିଜେଡି ଯୁବ ଚେହେରାମାନଙ୍କୁ ଟିକେଟ ଦେଇଥିଲା। ସେମାନେ ବିଜୟୀ ହୋଇ ବିଧାନସଭାକୁ ଆସିଛନ୍ତି। ଏବେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ମଧ୍ୟ ନୂଆ ମୁହଁଙ୍କୁ ଦଳ ଅଗ୍ରାଧିକାର ଦେଇଛି। ତେଣୁ ୨୦୨୪ ନିର୍ବାଚନ ପାଇଁ ଦଳକୁ ଆହୁରି ସଙ୍ଗଠିତ କରିବା ଲାଗି ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ଗୁରୁତ୍ୱ ଦିଆଯାଉଛି।

ସବୁଠୁ ବଡ଼ କଥା ହେଉଛି, ନବୀନ ସବୁବେଳେ ଆଶ୍ଚର୍ଯ୍ୟ କଲା ଭଳି ନିଷ୍ପତ୍ତି ନିଅନ୍ତି। ରାଜ୍ୟସଭା ହେଉ କି ଲୋକସଭା ଏବଂ ବିଧାନସଭା ନିର୍ବାଚନ – ସବୁଠି ନବୀନ ସମସ୍ତଙ୍କୁ ଚମକେଇଲା ଭଳି ନିଷ୍ପତ୍ତି ନେଇ ରାଜନୀତି କରିଡ଼ରରେ ଚର୍ଚ୍ଚାର ଖୋରାକ ସୃଷ୍ଟି କରନ୍ତି। ତେବେ ଆସନ୍ତା ୫ ତାରିଖରେ ଯେଉଁ ନୂଆ ମନ୍ତ୍ରିମଣ୍ଡଳ ଗଠନ ହେଉଛି ସେଥିରେ ନବୀନ କାହାକୁ ରଖୁଛନ୍ତି ଏବଂ କାହାକୁ ବିଦା କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

Tags: #Politics #OdishaPolitics #CMOdisha #NaveenPatnaik #Ministers #Resigns

Comment