ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁନ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଖୁବଶୀଘ୍ର ବିଧାନସଭାର ନୂଆ ମୁଖିଆ ପଦ ସମ୍ଭାଳିବେ। ବାଚସ୍ପତି ନିର୍ବାଚନ ଲାଗି ଶୁକ୍ରବାର, ଜୁନ ୧୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଜେଡି ପକ୍ଷରୁ ବିକ୍ରମ କେଶରୀ ଆରୁଖ ବାଚସ୍ପତି ନିର୍ବାଚନ ଲାଗି ବିଧିବଦ୍ଧ ଭାବେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଧାନସଭା ସଚିବଙ୍କ ନିକଟରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥିପତ୍ର ଦାଖଲ ପରେ ବିଜେଡିର ବାଚସ୍ପତି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦଳ ପକ୍ଷରୁ ତାଙ୍କୁ ବାଚସ୍ପତି ପ୍ରାର୍ଥୀ କରାଯାଇଥିବାରୁ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ ଓଡ଼ିଶା ବିଧାନସଭାର ଯେଉଁ ପରମ୍ପରା ଏବଂ ଗାରିମା ରହିଛି ତାକୁ ବଜାୟ ରଖିବାକୁ ନିଶ୍ଚିତ ଭାବେ ଚେଷ୍ଟା କରିବେ ବୋଲି କହିଛନ୍ତି। 

ଗତ ୪ ତାରିଖରେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦବୀରୁ ଇସ୍ତଫା ଦେବା ସହ ୨୦ ଜଣ ମନ୍ତ୍ରୀ ସାମୁହିକ ଭାବେ ଇସ୍ତଫା ଦେଇଥିଲେ। ଏହି ତାଲିକାରେ ରହିଥିଲେ ବିକ୍ରିମ କେଶରୀ ଆରୁଖ। କିନ୍ତୁ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରେ ବାଚସ୍ପତି ପଦବୀ ଖାଲିପଡ଼ିଥିବାରୁ ଆସନ୍ତା ଜୁନ ୧୩ ତାରିଖରେ ନିର୍ବାଚନ ହେବ। ବିରୋଧୀଙ୍କ ପାଖରେ ସଂଖ୍ୟା ନଥିବାରୁ ବିଜେଡି ପ୍ରାର୍ଥୀ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

Tags: #Politics #OdishaPolitics #Election #SpeakerElection #Assembly #Nomination #FileNomination #BJD #BJP #Congress #BikramKeshariArukh

Comment