ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବ ଟି-୨୦ ମ୍ୟାଚ। ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କ ଆଗମନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ଶୁକ୍ରବାର, ଜୁନ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନେ। ଦିନ ୧ଟା ୫୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଖେଳାଳିମାନେ। ଦୁଇ ଟିମକୁ ସ୍ୱାଗତ କରିବା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ ହୋଟେଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଖେଳାଳିମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ଶଙ୍ଖନାଦ ସହ ଘୋଡ଼ାନାଚରେ ସେମାନଙ୍କୁ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଦୁଇଟି ବସ୍‌ରେ ଖେଳାଳିମାନଙ୍କୁ ବିମାନବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରର ଏକ ହୋଟେଲକୁ ନେବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ପୋଲିସ ପକ୍ଷରୁ କାରକେଡ୍ ରିହର୍ସାଲ କରାଯିବା ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଇଛି। 

ଗତ ଗୁରୁବାର ଜୁନ ୯ ତାରିଖରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଖୋଦ ବିମାନବନ୍ଦରକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ହୋଟେଲରେ ପହଞ୍ଚିବା ପରେ ଖେଳାଳିମାନେ ଆଜି ବିଶ୍ରାମ ନେବେ। ଆସନ୍ତାକାଲି, ଜୁନ ୧୧ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନେ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଅଭ୍ୟାସ କରିବେ। ଏଥିପାଇଁ ସମୟ ମଧ୍ୟ ସ୍ଥିର ହୋଇଛି।

ଦକ୍ଷିଣ ଆଫ୍ରିକାର ଖେଳାଳି ଦିନ ୧ଟାରୁ ୪ଟା ପର୍ଯ୍ୟନ୍ତ ଏବଂ ଭାରତୀୟ ଖେଳାଳି ସଂନ୍ଧ୍ୟା ୫ଟାରୁ ୮ ପର୍ଯ୍ୟନ୍ତ ଅଭ୍ୟାସ କରିବେ। ଏହା ପରେ ଉଭୟ ଦଳ ହୋଟେଲକୁ ଫେରିବେ। ଜୁନ ୧୨ ତାରିଖ ଅପରାହ୍ଣ ୩ଟାରେ ଖେଳାଳିମାନେ ବାରବାଟୀ ଅଭିମୁଖେ ବାହାରିବେ। ମ୍ୟାଚ୍ ଶେଷ ହେବା ପରେ ସେହିଦିନ ଅପରାହ୍ଣ ୪ଟା ୧୫ରେ ଖେଳାଳିମାନେ ଭୁବନେଶ୍ୱରରୁ ଭାଇଜାଗ୍ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

Tags: #Sports #Cricket #Player #Match #T20Match

Comment