ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵିତୀୟ ପର୍ଯ୍ୟାୟର ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରିଛନ୍ତି। ପ୍ରଥମ ଏବଂ ଦ୍ଵିତୀୟ ଦୁଇଟି ପର୍ଯ୍ୟାୟରେ ମୋଟ ୩,୯୭୮ଟି ସ୍କୁଲର ରୂପାନ୍ତରଣ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧,୦୭୫ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୨,୯୦୬ଟି ସ୍କୁଲର ରୂପାନ୍ତରଣ କରାଯାଇଛି।

ସ୍କୁଲ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ରୂପାନ୍ତରଣ କେବଳ ସ୍କୁଲର କାୟାକଳ୍ପ ନୁହେଁ ବରଂ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ବିରାଟ ପରିବର୍ତ୍ତନ ଆଣିପାରିଛି। ପିଲାଙ୍କ ଆତ୍ମବିଶ୍ଵାସ ବଢ଼ିଛି। ସ୍କୁଲ ରୂପାନ୍ତର ବାସ୍ତବରେ ଓଡ଼ିଶାର ଭବିଷ୍ୟତର ରୂପାନ୍ତର ପାଇଁ ମୂଳଦୁଆ ପକାଇଛି ବୋଲି ସେ କହିଥିଲେ।

ରୂପାନ୍ତର ଯୋଗୁଁ ଏବେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରକୃତରେ ଏକ ଜ୍ଞାନ ମନ୍ଦିର ହୋଇପାରିଛି ବୋଲି ଏହି ଅବସରରେ ଛାତ୍ରଛାତ୍ରୀମାନେ କହିଥିଲେ। କୋରାପୁଟରୁ ନିବେଦିତା, ଗଜପତିରୁ ରେଶମା, ସମ୍ବଲପୁରରୁ ଆକୃତି ବଲାଙ୍ଗୀରରୁ ଅଞ୍ଜନେୟ ଏହଂ ଯାଜପୁରରୁ ମନୀଷା ପ୍ରମୁଖ ଛାତ୍ରଛାତ୍ରୀ ନିଜ ବ୍ୟକ୍ତବ୍ୟ ରଖି ସ୍କୁଲ ରୂପାନ୍ତର ସମ୍ପର୍କରେ ସେମାନଙ୍କର ଅନୁଭବ ବର୍ଣନା କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାର ୯୫ଟି ହାଇସ୍କୁଲ, ଗଜପତିର ୩୧ଟି, ସମ୍ବଲପୁରର ୪୦ଟି, ବଲାଙ୍ଗୀରର ୧୦୦ଟି ଓ ଯାଜପୁରର ୧୫୦ଟି ହାଇସ୍କୁଲ ଲୋକାର୍ପଣ କରିଛନ୍ତି। ଏହା ସହିତ ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ଶେଷ ହୋଇଛି। ସ୍କୁଲ ସମୟ ଛାତ୍ରଛାତ୍ରଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ସମୟ, ତେଣୁ ଏହି ସମୟର ସଦୁପୋଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପରାପର୍ଶ ଦେଇଥିଲେ। ପିଲାମାନଙ୍କୁ ୫-ଟି ମହତ୍ଵ ସମ୍ପର୍କରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଟେକ୍ନୋଲୋଜି, ଟିମୱାର୍କ, ଟାଇମ ଏବଂ ଟ୍ରାନ୍ସପରେନ୍ସ ପ୍ରୟୋଗରେ ରୂପାନ୍ତର ଆସେ।

ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଯାଇଛି। ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ପ୍ରମୁଖ ମିଳିମିଶି ଏହ ରୂପାନ୍ତର କାମରେ ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ରୋହିତ ପୂଜାରୀ, ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ରଘୁରାମ ପାଡ଼ାଲ ଓ ଜିଲ୍ଲା ପରିଷଦ ସଭାପତି ଜି ତିରୁପତି ରାଓ ପ୍ରମୁଖ ଉଦବୋଧନ ଦେଇ ସ୍କୁଲଗୁଡ଼ିକର ଅନୁକୂଳ ପରିବେଶ ପିଲା ଓ ଅଭିଭାବକମାନଙ୍କ ଭିତରେ ଭରସା ସୃଷ୍ଟି କରିଛି ବୋଲି କହିଥିଲେ।

୫-ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରି ଦୁଇଟି ପର୍ଯ୍ୟାୟରେ ୩,୯୮୧ଟି ହାଇସ୍କୁଲର ରୂପାନ୍ତରଣ ଶେଷ ହୋଇଥିବା ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ଵାଗତ ଭାଷଣ ଦେଇଥିବାବେଳେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #Education #School #HighSchool #HighSchoolTransformation

Comment