ଓଡ଼ିଶାଲାଇଭ୍ ବ୍ୟୁରୋ

‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ନିଆଁ ଜଳୁଛି। କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ତେଜିବାରେ ଲାଗିଛି। ସେନା ବାହିନୀରେ ନଯୁକ୍ତି ପାଇଁ ସରକାରଙ୍କ ଏହି ନୂଆ ଯୋଜନାକୁ ପ୍ରଥମେ ବିହାରରେ ବିରୋଧ କରାଯାଇଥିଲା। ଏହି ଆନ୍ଦୋଳନ ଉତ୍ତରପ୍ରଦେଶ, ହରିଆଣା, ହିମାଚଳପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦଦେଶ ଏବଂ ଦିଲ୍ଲୀକୁ ବ୍ୟାପିଥିବାବେଳେ ଏବେ ଓଡ଼ିଶାରେ ମଧ୍ୟ ଏହାକୁ ନେଇ ବିକ୍ଷୋଭ ଆରମ୍ଭ ହୋଇଛି।

‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ବିରୋଧ ଜୋରଦାର କରାଯାଇଛି। କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଆର୍ମି ଅଫିସ୍ ଆଗରେ ବିରୋଧ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରାଯାଇଥିଲା। କଟକ ରିଙ୍ଗ ରୋଡରେ ରାସ୍ତା ଅବରୋଧ ସମୟରେ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଲାଠିମାଡ଼ କରିଥିବା ସୂଚନା ମିଳିଛି।

ଗତ ମଙ୍ଗଳବାର, ଜୁନ ୧୪ ତାରିଖରେ ସଶସ୍ତ୍ର ସେନାର ଆଧୁନିକୀକରଣ ପାଇଁ ‘ଅଗ୍ନିପଥ’ ଯୋଜନା ଘୋଷଣା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏଥିପାଇଁ ଆଗାମୀ ୩ ମାସ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ୩ ସେନା ବାହିନୀରେ ‘ଅଗ୍ନିବୀ’ର ଭାବେ ଯୁବକ ଯୁବତୀ ନିଯୁକ୍ତି ପାଇବେ। ୪ ବର୍ଷ ପର୍ଯ୍ୟନ୍ତ ସେନାରେ ନିୟୋଜିତ ରହିବେ ଅଗ୍ନିବୀର। ତେବେ ୪ ବର୍ଷର ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି।

‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବିହାର ଏବଂ ଉତ୍ତର ପ୍ରଦେଶରେ ଆନ୍ଦୋଳନକାରୀ ଟ୍ରେନ୍ ଜାଳି ଦେଇଛନ୍ତି। ବିହାରର ବିଭିନ୍ନ ଷ୍ଟେସନରେ ଜୋରଦାର ପ୍ରତିବାଦ କରିବା ସହ ଆନ୍ଦୋଳନକାରୀମାନେ ଟ୍ରେନ୍‌ରେ ନିଆଁ ଲଗାଇବା ସହ ଷ୍ଟେସନରେ ଭଙ୍ଗାରୁଜା କରିଛନ୍ତି।

Tags: #AgnipathSceme #Agniveer #Employment #Protest #Violence

Comment