ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ତେଜିବାରେ ଲାଗିଛି। ତେଲେଙ୍ଗାନା ସ୍ଥିତ ସିକନ୍ଦରାବାଦ ରେଳଓ୍ଵେ ଷ୍ଟେସନରେ ଶୁକ୍ରବାର ସକାଳଠାରୁ ‘ଅଗ୍ନିପଥ’ ବିରୋଧି ଆନ୍ଦୋଳନ ଜାରି ରହିଛି। ଏହି ସମୟରେ କିଛି ଆନ୍ଦୋଳନକାରୀ ଟ୍ରେନରେ ନିଆଁ ଲଗାଇବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆନ୍ଦୋଳନକାରୀଙ୍କୁ କାବୁ କରିବାକୁ ଚେଷ୍ଟା କରିବା ସମୟରେ ଆନ୍ଦୋଳନକାରୀ ପୋଲିସ୍ ଉପରକୁ ଢ଼େଲାମାଡ଼ କରିଥିଲେ। ପରିସ୍ଥିତି ଅଣାୟତ ହେଉଥିବା ଦେଖି ପୋଲିସ୍ ଆାନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚାଳନା କରିଥିଲା।

ପୋଲିସ୍ ଗୁଳିମାଡ଼ରେ ଆନ୍ଦୋଳନରେ ସାମିଲ ଥିବା ଜଣେ ଯୁବକର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସିକନ୍ଦରାବାଦ ସ୍ଥିତ ଗାନ୍ଧୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଜଣେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସୂଚନା ଅନୁସାରେ “ଷ୍ଟେସନରେ ଅଗ୍ନିପଥ ବିରୋଧରେ ଅନ୍ଦୋଳନ କରୁଥିବା ଶହ ଶହ ଯୁବକ ଟ୍ରେନରେ ନିଆଁ ଲଗାଇବା ସହ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ଲାଠି ଚାର୍ଜ କରାଯିବା ସହ ଲୁହ ବୁହା ଗ୍ୟାସର ପ୍ରୟୋଗ କରାଯାଇଥିଲା। କିନ୍ତୁ ଆୟତ ହୋଇନଥିଲେ ଆନ୍ଦୋଳନକାରୀ। ଓଲଟା ପୋଲିସ୍ ଉପରକୁ ଢେଲା ପଥର ମାଡ଼ କରିଥିଲେ। ଏଥିରେ ଦୁଇ ଜଣ ପୋଲିସ୍ କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତେଣୁ ବାଧ୍ୟ ହୋଇ ଗୁଳି ଚାଳନା କରିବାକୁ ପଡ଼ିଲା”।

ମିଳିଥିବା ସୂଚନା ଅନୁସାରେ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା ଲାଗି ଜିଆରପି ପକ୍ଷରୁ ୧୫ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏଥିରେ ଜଣେ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ଆହତ ହୋଇଛନ୍ତି ପୋଲିସ୍ କର୍ମଚାରୀ।

‘ଅଗ୍ନିପଥ’ ନିଯୁକ୍ତିକୁ ନେଇ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକାରୀ ବିଭିନ୍ନ ଟ୍ରେନ ଏବଂ ଷ୍ଟେସନରେ ନିଆଁ ଲଗାଇଦେଇଥିବାରୁ ପ୍ରାୟ ୨୦୦ଟି ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। କେବଳ ଏତିକି ନୁହେଁ ୩୫ଟି ଟ୍ରେନ ବାତିଲ କରାଯାଇଥିବାବେଳେ ୧୩ଟି ଟ୍ରେନକୁ ସମୟିକ ଭାବେ ବନ୍ଦ ରଖାଯାଇଛି।

Tags: #Career #Employmet #Agnipath #Agniveeer #Protest #Policefaring #ManDead

Comment