ଓଡ଼ିଶାଲାଇଭ୍ ବ୍ୟୁରୋ

school-3

ରାଜ୍ୟର ସମସ୍ତ ସ୍କୁଲ ୧୧ ଦିନର ଖରାଛୁଟି ପରେ ଆଜି, ଜୁନ ୧୭ ତାରିଖଠାରୁ ଖୋଲିଛି। ଶ୍ରେଣୀ ଗୃହରେ ବସି ପାଠପଢ଼ା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ। ସକାଳୁଆ ସ୍କୁଲ ବଦଳରେ ଆଜିଠାରୁ ଦିନ ୧୦ଟାରୁ ପାଠପଢ଼ା ଆରମ୍ଭ ହୋଇଛି। ଏବେ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ହେବ।

ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିବେ ଏବଂ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ସ୍କୁଲ ପରିସରରେ ରହିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ସ୍ୱାଭାବିକ ଭାବେ କ୍ଲାସ୍ ଚାଲିବା ନେଇ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଏକାଡେମିକ୍ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷା ବର୍ଷ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ସାରିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି। 

ଶତପ୍ରତିଶତ ପାଠ୍ୟଖସଡ଼ା ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜ ନିଜ ସ୍କୁଲର ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ ଓ ପାଠପଢ଼ା ସମୟ ସମ୍ପର୍କରେ ଆଲୋଚନା କରି ବିଦ୍ୟାର୍ଥୀମାନେ କିଭଳି ସଠିକ୍ ଭାବେ ପାଠପଢ଼ିବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ।

ପୂର୍ବରୁ ଖରା ଛୁଟି ୫୦ ଦିନର ଥିବାବେଳେ ଚଳିତ ବର୍ଷ ମାତ୍ର ୧୧ ଦିନ ଖରାଛୁଟି ଦିଆଯାଇଥିଲା। ଗତ ଦୁଇ ବର୍ଷ ଧରି କୋଭିଡ ମହାମାରୀ ଯୋଗୁଁ ପିଲାମାନଙ୍କ ପାଠପଢ଼ା ବ୍ୟାହତ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଛୁଟି ସମୟ ସୀମାକୁ ସୀମତି କରାଯାଇଥିଲା।

Tags: #Education #School #Study #Students #ClassRoom

Comment