ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ଫଳାଫଳ। ଏଥର ପାସ୍‌ହାର ରହିଛି ୯୦.୫୫ ପ୍ରତିଶତ। ବୁଧବାର ଦିନ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପୁସ୍ତିକା ଉନ୍ମୋଚନ କରି ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଭଲ ହୋଇଛି। ଚଳିତ ବର୍ଷ ମୋଟ ୮,୯୨୫ଟି ହାଇସ୍କୁଲର ୫,୭୧,୯୦୯ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଫର୍ମଫିଲପ କରିଥିଲେ। କିନ୍ତୁ ପରୀକ୍ଷା ଦେଇଥିଲେ ମୋଟ ୫,୨୬,୮୧୮ ଜଣ ଛାତ୍ରଛାତ୍ରୀ।

୨୦୨୨ ମାଟ୍ରିକ ପରୀକ୍ଷାରେ ପାସ୍ କରିଛନ୍ତି ମୋଟ ୫,୧୭,୮୪୭ ଜଣ ଛାତ୍ରଛାତ୍ରୀ। ମୋଟ ପାସ୍‌ହାର ରହିଛି ୯୦.୫୫ ପ୍ରତିଶତ। ଚଳିତ ମାଟ୍ରିକ ପରୀକ୍ଷାରେ ପାସ୍ ହାରରେ ଛାତ୍ରଙ୍କଠାରୁ ଆଗରେ ରହିଛନ୍ତି ଛାତ୍ରୀ। ଏଥର ମୋଟ ୨,୬୦,୯୭୦ ଜଣ ଛାତ୍ରୀ ପାସ୍ କରିଥିବାବେଳେ ୨,୫୬,୮୭୭ ଜଣ ଛାତ୍ର ପାସ୍ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୨.୩୭ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କର ରହିଛି ୮୮.୭୭ ପ୍ରତିଶତ।

ଏ-୧ରେ ୮,୧୧୯ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ଏ-୨ରେ ରହିଛନ୍ତି ୫୪,୮୮୯ ଜଣ। ସେହିପରି ବି-୧ରେ ୧,୨୦,୩୧୨ ଛାତ୍ରଛାତ୍ରୀ ରହିଥିବାବେଳେ ବି-୨ରେ ରହିଛନ୍ତି ୧,୪୨,୫୯୯ ଜଣ ଛାତ୍ରଛାତ୍ରୀ।

୧,୧୭୦ଟି ହାଇସ୍କୁଲର ରେଜଲ୍ଟ ଶତପ୍ରତିଶତ ହୋଇଥିବାବେଳେ ୩ଟି ସ୍କୁଲର ରେଜଲ୍ଟ ଶୂନ ରହିଛି। ଏହି ସ୍କୁଲଗୁଡ଼ିକ ମଧ୍ୟରେ ଦୁଇଟି ମାଲକାନଗିରି ଜିଲ୍ଲାର ଓ ଗୋଟିଏ ଅନୁଗୁଳ ଜିଲ୍ଲାର। ମାଲକାନଗିରିର ଗମେଣ୍ଟ ୟୁଜି ସ୍କୁଲ ଗୁରୁଡ଼ିର ଜଣେ ଓ କୋଟପାଲି ଜଣେ ଲେଖାଏଁ ପରୀକ୍ଷା ଦେଇଥିଲେ। ଏହା ସହିତ ଅନୁଗୁଳ ଜିଲ୍ଲାର ରେଙ୍ଗାଲି ଡ୍ୟାମସାଇଡ ଗାଲର୍ସ ହାଇସ୍କୁଲର ଦୁଇଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ଚଳିତ ମାଟ୍ରିକ ପରୀକ୍ଷାରେ ୮,୬୯୯ ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Tags: #Education #MatricExam #MatricResult

Comment