ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଚର୍ଚ୍ଚା ସାଉଣ୍ଟିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ୫୮ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇ ଚର୍ଚ୍ଚାର ପରିଧିକୁ ଅସିଥିବା ବିଧାୟକ ଚଳିତ ମାଟ୍ରିକ ପରୀକ୍ଷାରେ ୭୨ ପ୍ରତିଶତ ରଖିଛନ୍ତି।

ଚଳିତ ବର୍ଷ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ଜରିଆରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ ପରୀକ୍ଷା ଦେଇଥିଲେ। ମୋଟ ୫୦୦ ନମ୍ବରରୁ ବିଧାୟକ ରଖିଛନ୍ତି ୩୬୪ ନମ୍ବର। ଏହା ମୋଟ ନମ୍ବରର ୭୨.୮ ପ୍ରତିଶତ। ବିଧାୟକ ବି ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫୁଲବାଣୀ ନିକଟ ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ବିଧାୟକ।

୧୯୭୮ ମସିହାରେ ବିଧାୟକ ଅଙ୍ଗଦ କହଁର ଫୁଲବାଣୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ। କିନ୍ତୁ ପାରିବାରିକ ଓ ଅର୍ଥିକ ସମସ୍ୟା କାରଣରୁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇ ବିଭିନ୍ନ ପଦ ପଦବୀରେ ରହିଥିଲେ। ତେଣୁ ଇଚ୍ଛା ଥିଲେ ବି ସେ ମାଟ୍ରିକ ପରୀକ୍ଷା ଦେଇପାରିନଥିଲେ। 

ବୟସ୍କଙ୍କ ପାଇଁ ରାଜ୍ୟରେ ଆରମ୍ଭ ହୋଇଥିବା ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ଜରିଆରେ ସେ ପରୀକ୍ଷା ଦେବାକୁ ଚଳିତ ବର୍ଷ ଫର୍ମ ଫିଲଅପ କରିଥିଲେ। ବିଧାୟକଙ୍କ ସହ ତାଙ୍କ ବାଲ୍ୟ ବନ୍ଧୁ ତଥା ଲୁଇସିଂ ପଞ୍ଚାୟତର ସରପଞ୍ଚ ସୁଦର୍ଶନ କହଁର ମଧ୍ୟ ପରୀକ୍ଷା ଦେଇଥିଲେ। ସେ ମୋଟ ୨୯୭ ନମ୍ବର ରଖି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୬୮ ବର୍ଷ ବୟସରେ ସୁଦର୍ଶନ କହଁର ପରୀକ୍ଷା ଦେଇଛନ୍ତି।

ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଧାୟକଙ୍କ ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Tags: #Education #MatricResult #MatricExam #PhulbaniMLA

Comment