ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଜାବର ପ୍ରସିଦ୍ଧ ଗାୟକ ଦଲେର ମେହନ୍ଦିଙ୍କୁ ଝଟକ୍। ୧୮ ବର୍ଷ ତଳର ମାନବ ଚାଲାଣ ମାମଲାରେ ଦଲେର ମେହନ୍ଦିଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ପଞ୍ଜାବ ପଟିଆଲା କୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଦଲେର ମେହନ୍ଦିଙ୍କୁ ଗିରଫ କରାଯାଇଛି।

ଗାୟକ ଦଲେର ମେହନ୍ଦିଙ୍କୁ ମାନବ ଚାଲାଣ ଅଭିଯୋଗରେ ୨୦୧୮ ମସିହାରେ ଦୁଇ ବର୍ଷର ଜେଲ ଦଣ୍ଡାଦେଶ ଦିଆଯାଇଥିଲା। ତେବେ ସେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଗୁରୁବାର ଦିନ ଶୁଣାଣି ସମୟରେ ପଞ୍ଜାବ ପଟିଆଲ କୋର୍ଟ ଦଲେର ମେହନ୍ଦିଙ୍କ ଦୁଇବର୍ଷର ଜେଲ ଦଣ୍ଡାଦେଶକୁ କାୟମ ରଖିଥିଲେ। କୋର୍ଟଙ୍କ ଶୁଣାଣି ପରେ ଦଲେର ମେହନ୍ଦିଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ଚେକଅପ୍ ପାଇଁ ଡାକ୍ତରଖାନା ନିଆଯାଇଛି।

କ’ଣ ଥିଲା ପୂରା ଘଟଣା?

ଲୋକଙ୍କୁ ବେଆଇନ ଭାବେ ବିଦେଶ ପଠାଉଥିବା ନେଇ ୨୦୦୩ ମସିହାରେ ଦଲେର ମେହନ୍ଦିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କେବଳ ଦଲେର ମେହନ୍ଦି ନୁହନ୍ତି ତାଙ୍କ ଭାଇଙ୍କ ବିରୋଧରେ ମୋଟ ୩୫ଟି ମାମଲା ରୁଜୁ ହୋଇଥିଲା। ଲୋକଙ୍କୁ ବିଦେଶ ପଠାଇବା ପାଇଁ ଦଲେର ମେହନ୍ଦି ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ୧୯୯୮ ମସିହାରୁ ୧୯୯୯ ମସିହା ମଧ୍ୟରେ ଦଲେର ମେହନ୍ଦି ଅତି କମ୍‌ରେ ୧୦ ଜଣଙ୍କୁ ବେଆଇନ ଭାବେ ଫ୍ରାନ୍ସିସକୋ ଏବଂ ନ୍ୟୁ ଜର୍ସି ପଠାଇଥିବା କୁହାଯାଉଛି। ଏହା ପରେ ଦଲେର ମେହନ୍ଦି ଏବଂ ତାଙ୍କ ଦିବଙ୍ଗତ ଭାଇ ସମସେର ସିଂଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

୨୦୦୬ ମସିହାରେ ଦଲେର ମେହନ୍ଦିଙ୍କ ଦିଲ୍ଲୀସ୍ଥିତ କନାଟ ପ୍ଲେସ ଅଫିସରେ ଚଢ଼ଉ କରାଯାଇ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଏବଂ ଅର୍ଥ ଜବତ କରାଯାଇଥିଲା। ୨୦୧୮ ମସିହାରେ ପଞ୍ଜାବ ପଟିଆଲା କୋର୍ଟ ଦଲେର ମେହନ୍ଦିଙ୍କୁ ମାନବ ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ। କିନ୍ତୁ ଦଲେର ମେହନ୍ଦିଙ୍କୁ ଜାମିନ ମିଳିଥିଲା। ଆଜି ଏହି ମାମଲା ବିଚାର କରି ରାୟ ଦେଇଛନ୍ତି ଅଦାଲତ।

Tags: #Panjab #PatialaCourt #Jail #HumanTrafficking #Arrest #DilerMehndi

Comment