ଓଡ଼ିଶାଲାଇଭ୍ ବ୍ୟୁରୋ

ବୟସ ମାତ୍ର ଏକ ଆକଳନ। ଓ୍ଵାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନସିପରେ ସିନିଅର ସିଟିଜେନ କାଟାଗୋରିରେ ୧୦୦ ମିଟର ରେସରେ ଗୋଲ୍ଡ ମେଡାଲ ଜିତି ଏହି କଥାଟିକୁ ସାବ୍ୟସ୍ତ କରି ଦେଖାଇଛନ୍ତି ଦିଲ୍ଲୀ ନଜଫଗଡ଼ ମାଲିକପୁର ଗ୍ରାମର ୯୪ ବର୍ଷିୟ ଭଗଓ୍ଵାନୀ ଦେବୀ ଡାଗର।

ବୃଦ୍ଧା ବୟସରେ ଟ୍ରାକ୍ ସୁଟ, ସ୍ପୋର୍ଟସ ସୁଜ ଏବଂ ବେକରେ ତିନି ତିନିଟି ମେଡାଲ। ମଙ୍ଗଳବାର ଦିନ ଦିଲ୍ଲୀ ଏୟାରପୋର୍ଟଠାରେ ଭଗଓ୍ଵାନୀ ଦେବୀଙ୍କୁ ଦେଖି ‘ଚକଦେ ଇଣ୍ଡିଆ’, ‘ଚକଦେ ଇଣ୍ଡିଆ’ ଧ୍ଵନୀରେ କମ୍ପୁଥିଲା ଏୟାରପୋର୍ଟ। ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ପୁରା ତାଜୁବ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ଏହି ବୃଦ୍ଧା, ଯାହାଙ୍କ ପାଇଁ ରୋଷଣୀର ଆୟୋଜନ କରାଯାଇଛି।

ପରେ ଜଣାପଡ଼ିଲା ବୃଦ୍ଧା ଜଣକ ହେଉଛନ୍ତି ଦିଲ୍ଲୀ ନଜଫଗଡ଼ ମାଲିକପୁର ଗ୍ରାମର ଭଗଓ୍ଵାନୀ ଦେବୀ। ଯିଏ ଓ୍ଵାର୍ଲ୍ଡ ମାଷ୍ଟରର୍ସ ଆଥଲେଟିକ୍ସ ଚାମ୍ପିୟନସିପରେ ସିନିଅର ସିଟିଜେନ କାଟାଗୋରିରେ ୧୦୦ ମିଟର ରେସରେ ଗୋଲ୍ଡ ମେଡାଲ ଜିତିଛନ୍ତି। ଏହା ସହିତ ସେ ସଟଫୁଟରେ ମଧ୍ୟ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି। ଯେଉଁ ବୟସରେ ବୃଦ୍ଧ ବୃଦ୍ଧା ଶେଜରୁ ଉଠିବାକୁ ସମର୍ଥ ହୁଅନ୍ତିନାହିଁ, ସେହି ବୟସରେ ୧୦୦ ମିଟର ଦୌଡ଼ରେ ଗୋଲ୍ଡ ମେଡାଲ ହାସଲ କରିବା ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଫିନଲ୍ୟାଣ୍ଡର ଟେମ୍ପରେଠାରେ ଓ୍ଵାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନସିପରେ ଭଗଓ୍ଵାନୀ ଦେବୀ ୧୦୦ ମିଟର ସ୍ପିଣ୍ଟର ଇଭେଣ୍ଟରେ କାମଲ କରିଥିଲେ। ସେ ୨୪.୭୪ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ଗୋଲ୍ଡ ମେଡାଲ ଜିତିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହା ସହିତ ସଟଫୁଟରେ ମଧ୍ୟ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ। ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଭଗଓ୍ଵାନୀ ଦେବୀ। ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

୬ ମାସର ପରିଶ୍ରମ ଦେଲା ଅନ୍ତର୍ଜାତୀୟ ପରିଚୟ

ଭଗଓ୍ଵାନୀ ଦେବୀ ଡାଗରଙ୍କର ଏହି ସଫଳତା ପଛରେ ତାଙ୍କ ନାତି ବିକାଶ ଡାଗରଙ୍କର ହାତ ରହିଛି। ମାତ୍ର ୬ ମାସ ପରିଶ୍ରମ ଯୋଗୁଁ ଭଗଓ୍ଵାନୀ ଦେବୀ ଏହି ସଫଳତା ହାସଲ କରିଥିବା କହିଛନ୍ତି ବିକାଶ ଡାଗର। ବିକାଶ ଏକ ଲୁହାର ବଲଟିଏ ଭଗଓ୍ଵାନୀ ଦେବୀଙ୍କ ହାତରେ ଧରେଇ ଏହାକୁ ଉଠାଇ ଫିଙ୍ଗିବାକୁ ଉତ୍ସହିତ କରିଥିଲେ। ପିଲାଟି ଦିନରୁ ଖେଳ ପ୍ରତି ଆଗ୍ରହ ରହିଥିବା ଭଗଓ୍ଵାନୀ ଦେବୀ ଅତି ସହଜରେ ଏହି କାମକୁ କରିପାରିଥିଲେ।

ଭଗଓ୍ଵାନୀ ଦେବୀଙ୍କର ଆଗ୍ରହକୁ ଦେଖି ତାଙ୍କୁ ଆହୁରି ଉତ୍ସହିତ କରିଥିଲେ ବିକାଶ। ଏହା ପରେ ନିଜ ନାତି ସହ ଅଭ୍ୟାସ କରିବା ପାଇଁ ଷ୍ଟାଡିୟମ ଯିବାକୁ ଲାଗିଲେ। ଭଗଓ୍ଵାନୀ ଦେବୀଙ୍କର ଖେଳ ପ୍ରତି ଆଗ୍ରହକୁ ଦେଖି ବିକାଶ ବିଭିନ୍ନ ପ୍ରତିଯୋଗିତାରରେ ନାଁ ଲେଖାଉଥିଲେ। ଗତ ମେ’ ମାସରେ ଦିଲ୍ଲୀ ଷ୍ଟେଟ ମାଷ୍ଟର୍ସ ଚାମ୍ପିୟନସିପରେ ଅଂଶ ଗ୍ରହଣ କରି ଗୋଲ୍ଡ ମେଡାଲ ହାସଲ କରିଥିଲେ ଭଗଓ୍ଵାନୀ ଦେବୀ। ଏହା ପରେ ଫିନଲ୍ୟାଣ୍ଡରେ ଓ୍ଵାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନସିପରେ ସାମିଲ ହେବାକୁ ସୁଯୋଗ ମିଳିଥିଲା।

ମାତ୍ର ୨୯ ବର୍ଷ ବୟସରେ ସ୍ୱାମୀଙ୍କୁ ହରାଇଥିଲେ

ପିଲାଦିନେ କବାଡ଼ି ଖେଳୁଥିଲେ ଭଗଓ୍ଵାନୀ ଦେବୀ। ପରେ ପରିସ୍ଥିତି ଚାପରେ ପଡ଼ି ସେ କବାଡ଼ି ଠାରୁ ଦୂରେଇ ଯାଇଥିଲେ। ବିବାହ କରି ଘର ସଂସାର କଲେ। ସ୍ୱାମୀ, ପୁଅ ଓ ଝିଅକୁ ନେଇ ବେଶ୍ ହସଖୁସୀରେ ଚାଲିଥିଲା ତାଙ୍କ ସଂସାର। କିନ୍ତୁ ହଠାତ୍ ତାଙ୍କ ଜୀବନରେ ଝଡ଼ ଦେଖାଦେଲା। ମାତ୍ର ୨୯ ବର୍ଷ ବୟସରେ ସ୍ୱାମୀ ବିଜୟ ଡାଗରଙ୍କୁ ହରାଇଥିଲେ ଭଗଓ୍ଵାନୀ ଦେବୀ। ଏହା ପରେ ତାଙ୍କର ୧୧ ବର୍ଷର ଝିଅ ମଧ୍ୟ ଆରପାରିକୁ ଯାଇଥିଲା। ତାଙ୍କର ଏକ ମାତ୍ର ସାହାରା ଥିଲେ ପୁଅ ହାୱା ଡାଗର। ପୁଅକୁ ବଡ଼ କରିବାକୁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା।

ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି। ଭଗଓ୍ଵାନୀ ଦେବୀଙ୍କର ଦୁଇ ନାତି ବିକାଶ ଏବଂ ବିନିତ ଉଭୟ ଶିକ୍ଷକତା କରନ୍ତି। ବିକାଶ ଡାଗର ଜଣେ ଅନ୍ତର୍ଜାତୀୟ ପାରା ଆଥଲେଟ୍। ସେ ରାଜୀବ ଗାନ୍ଧୀ କ୍ରୀଡ଼ା ପୁରସ୍କାର ମଧ୍ୟ ପାଇଛନ୍ତି।

Tags: #Sports #BhagwantiDeviDagar #WorldMastersAthleticsChampionship #India #GoldMedal

Comment