ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ୧୬ତମ ସ୍ଥାନରେ ରହିଛି। ଏହା ସହିତ ଓଡ଼ିଶାରେ ଏକ ନମ୍ବର ସ୍ଥାନ ପାଇଛି ‘ସୋଆ’। ଶୁକ୍ରବାର ଦିନ ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ନାସନାଲ୍ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ରାଙ୍କିଙ୍ଗସ-୨୦୨୨ରେ ‘ସୋଆ’ ଓଡ଼ିଶାର ଏକ ନମ୍ବର ସ୍ଥାନରେ ରହିଥିବାବେଳେ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ୧୬ତମ ସ୍ଥାନ ହାସଲ କରିପାରିଛି।

ଗତ ବର୍ଷ ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗସର ବିଶ୍ୱବିଦ୍ୟାଳୟ କାଟାଗୋରିରେ ଜାତୀୟ ସ୍ତରରେ ‘ସୋଆ’ ବିଂଶତମ ସ୍ଥାନରେ ଥିଲା। ଚଳିତ ବର୍ଷ ‘ସୋଆ’ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଦେଶର ଷୋଡ଼ଶ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ହୋଇପାରିଛି।

‘ସୋଆ’ ୪ଟି କାଟାଗୋରିରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦୁଇଟି କାଟାଗୋରିରେ ଦେଶର ୧୦ଟି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଥିଲା ‘ସୋଆ’। ‘ସୋଆ’ର ଦୁଇଟି ଅନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ (ଫାକଲ୍ଟି ଅଫ୍ ଡେଣ୍ଟାଲ ସାଇନ୍ସେସ୍‌) ଏବଂ ‘ସୋଆ’ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌) ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନୀତ ହୋଇଛି।

୧୫ ବର୍ଷ ତଳେ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଷ୍ଟାଟସ୍ ପାଇଥିବା ‘ସୋଆ’ ଚଳିତ ଏନ୍‌ଆଇଆର୍‌ଏଫ୍ -୨୦୨୨ ତାଲିକାରେ ସମ୍ପୂର୍ଣ୍ଣ କାଟାଗୋରିରେ ୩୦ ତମ ସ୍ଥାନରେ ରହିଥିଲା। ୨୦୨୧ରେ ଏହି କାଟାଗୋରିରେ ୩୭ତମ ସ୍ଥାନରେ ରହିଥିଲା ‘ସୋଆ’। ମେଡିକାଲ ସାଇନ୍ସେସରେ ୧୮ତମ, ଇଞ୍ଜିନିୟରିଂରେ ୨୭ତମ ଏବଂ ଡେଣ୍ଟାଲ ସାଇନ୍ସେସରେ ଦଶମ ସ୍ଥାନରେ ରହିଛି। ସେହିପରି ପ୍ରଥମ ଥର ପାଇଁ ଏହି ରାଙ୍କିଙ୍ଗରେ ପ୍ରବେଶ କରିଥିବା ସୋଆର ଫାକଲ୍ଟି ଅଫ୍ ଲ’ ଦେଶରେ ନବମ ସ୍ଥାନ ହାସଲ ରହିଥିବାବେଳେ ରିସର୍ଚ୍ଚ କାଟାଗୋରିରେ ୪୫ତମ ସ୍ଥାନରେ ରହିଛି।

ନାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରେଡିଟେସନ୍ କାଉନସିଲ୍ (ନାକ୍‌) ‘ସୋଆ’ ବିଶ୍ୱବିଦ୍ୟାଳୟକୁ ମୋଟ ୪ ସ୍କୋରରୁ ୩.୮୮ ସିଜିପିଏ ସହ ସର୍ବାଧିକ A++ ଗ୍ରେଡ୍‌ର ସ୍ୱୀକୃତି ପ୍ରଦାନ କରିଛି।

୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ ଆରମ୍ଭ କରାଯାଇଥିବାବେଳେ ୭ ବର୍ଷ ଧରି ନୂଆ ବିଶ୍ୱବିଦ୍ୟାଳୟ ଭାବେ ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଆସିଥିଲା ‘ସୋଆ’। ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ମଧ୍ୟ ନିଜ ସ୍ଥାନକୁ ବଜାୟ ରଖିପାରିଛି।  

ଏନ୍‌ଆଇଆର୍‌ଏଫ୍ -୨୦୨୧ରେ ସୋଆର ଫାକଲ୍ଟି ଅଫ୍ ମେଡିକାଲ ସାଇନ୍ସେସ, ଇନଷ୍ଟିଚ୍ୟୁଟ ଅଫ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ୍ ୨୧ତମ ସ୍ଥାନରେ ରହିଥିବାବେଳେ ଫାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ୩୨ତମ ସ୍ଥାନରେ ଏବଂ ଫାକଲ୍ଟି ଅଫ୍ ଡେଣ୍ଟାଲ ସାଇନ୍ସେସ, ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସେସ୍ (ଆଇଡିଏସ୍‌) ଚତୁର୍ଦ୍ଦଶ ସ୍ଥାନରେ ରହିଥିଲା।

ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ନିଜର ସ୍ଥିତି ଜାହିର କରିଥିବାବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସେସ ପୂର୍ବାଞ୍ଚଳରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ଫାକଲ୍ଟି ଅଫ୍ ଲ’ ପୂର୍ବାଞ୍ଚଳରେ ତୃତୀୟ ସ୍ଥାନ ହାସଲ କରିଛି।

ଏହି ଅବସରରେ ‘ସୋଆ’ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ନିଜର ଖୁସି ବ୍ୟକ୍ତ କରିବା ସହ ଏହି ସଫଳତା ପାଇଁ ଫାକଲ୍ଟି ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ନିରବଚ୍ଛିନ୍ନ ପରିଶ୍ରମ ଓ ଅଧ୍ୟବସାୟ ନିମନ୍ତେ ଉଚ୍ଚ ପ୍ରଶଂସା କରିଥିଲେ।

Tags: #Education #SOA #SikshaOAnusandhan #NIRF #National Institutional Ranking Framework

Comment