ଡକ୍ଟର ଫକୀର ମୋହନ ନାହାକTelevision Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ଗଉଣିଏ ଧାନରୁ ସବୁଠୁ ଭଲ ଗୋଟିଏ ଧାନ ବାଛିବା ଯାହା, ଶହ ଶହ ଟେଲିଭିଜନ ଷ୍ଟୋରି ଭିତରୁ ଗୋଟିଏ ଶ୍ରେଷ୍ଠ ଷ୍ଟୋରି ବାଛିବା ସେଇଆ। କିନ୍ତୁ ଯଦି ସେ କାମଟି ହୋଇଯାଏ, ତାହେଲେ ତାର ପ୍ରଭାବ କେତେ ସୁଦୂରପ୍ରସାରୀ ହୋଇପାରେ, ତାହା କେବଳ ଅନୁଭବୀ ହିଁ ଜାଣିପାରିବ।

ଈଟିଭିର ଓଡ଼ିଆ, ଗୁଜରାଟୀ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ବିହାର ଚାନେଲ ପ୍ରସାରଣ ଆରମ୍ଭ ହେବା ପରେ ସମ୍ପୃକ୍ତ ନେଟୱର୍କର ଚାନେଲ ସଂଖ୍ୟା ପହଞ୍ଚିଥିଲା ୧୨ରେ। ବିଭିନ୍ନ ଭାରତୀୟ ଭାଷାର ୧୨ଟି ଚାନେଲ ଗୋଟିଏ ଛାତ ତଳେ ଅପରେଟ୍ କରିବା ସେ ସମୟର ସବୁଠୁ ବଡ଼ ଉପଲବ୍ଧି। ତେବେ ଚିନ୍ତା କରନ୍ତୁ, ବିଭିନ୍ନ ଭାଷାରେ ପ୍ରସାରିତ ଏହି ଚାନେଲଗୁଡ଼ିକ ନିଜ ନିଜ ଭାଷାଭାଷୀ ଅଞ୍ଚଳରୁ କେତେ ସଂଖ୍ୟାରେ ଷ୍ଟୋରି ଦୈନିକ ପ୍ରସ୍ତୁତ କରୁଥିବେ। ବିଭିନ୍ନ ରିପୋର୍ଟର, ବ୍ୟୁରୋ ଏବଂ ଷ୍ଟ୍ରିଙ୍ଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଷ୍ଟୋରି (ଖବର) ସଂଖ୍ୟା ପ୍ରତିଦିନ ଦୁଇ ଶହ ଟପୁଥିଲା। ଏହିଭଳି ଭାବେ ହିସାବ କଲେ ୧୨ଟି ଚାନେଲରେ ପ୍ରାୟ ୨୪ ଶହ ଷ୍ଟୋରି ପ୍ରସ୍ତୁତ ହେଉଥିଲା।

ସେହିଭଳି ବିଭିନ୍ନ ନ୍ୟୁଜ୍ ଏଜେନସି ଯେମିତିକି ଏପିଟିଏନ୍ (ଆସୋସିଏଟେଡ୍ ପ୍ରେସ୍ ଟେଲିଭିଜନ୍ ନ୍ୟୁଜ୍), ରଏଟର୍ସ, ଏଏନ୍ଆଇ (ଏସିଆନ୍ ନ୍ୟୁଜ୍ ଇଣ୍ଟରନାସନାଲ) ଏବଂ ପିଟିଆ (ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ)ରୁ ମିଳୁଥିବା ଷ୍ଟୋରି ସଂଖ୍ୟା ଦୈନିକ ହଜାରେ ଛୁଉଁଥିଲା।

ଏଭଳି ସ୍ଥଳେ ଗୋଟିଏ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହେଉଥିବା ଯେ କୌଣସି ଗୋଟିଏ ଭଲ ଷ୍ଟୋରି, ଯାହାର ଖବର ମୂଲ୍ୟ ରହିଛି, ସେହିଭଳି ଏକ ଷ୍ଟୋରି କେମିତି ଅନ୍ୟ ଭାଷାଭାଷୀ ଚାନେଲ ନିଜ ଭାଷାରେ ନେଇ ପାରିବେ ଏବଂ ଏହାଦ୍ୱାରା ଗୋଟିଏ ଆଞ୍ଚଳିକ ଭାଷାର ଚାନେଲରେ ପ୍ରସ୍ତୁତ ଷ୍ଟୋରି ଦେଶର ଅନ୍ୟ ଭାଗରେ ଥିବା ଅନ୍ୟ ଭାଷାଭାଷୀଙ୍କ ନିକଟକୁ ସେମାନଙ୍କ ଭାଷାରେ ପହଞ୍ଚି ପାରିଲେ, ସମ୍ପୃକ୍ତ ଷ୍ଟୋରିକୁ ପ୍ରସ୍ତୁତ କରିଥିବା ସାମ୍ବାଦିକ ବା ରିପୋର୍ଟରଙ୍କ କାର୍ଯ୍ୟ ବହୁ ଦର୍ଶକଙ୍କ ନିକଟରେ ପହଞ୍ଚିପାରିବ ଏବଂ ଗ୍ରହଣୀୟ ହୋଇପାରିବ ତାହା ଥିଲା ଏକ ଚାଲେଞ୍ଜ।

ଏଇ ଯେମିତି, କର୍ଣ୍ଣାଟକର ମହୀଶୂରରେ ଅନୁଷ୍ଠିତ ବିଶ୍ୱବିଖ୍ୟାତ ଦଶହରା ପର୍ବ କେବଳ କନ୍ନଡ଼ ଚାନେଲ ନିଜ ଦର୍ଶକଙ୍କ ପାଇଁ ପ୍ରସ୍ତୁତ କରୁଥିଲା ବେଳେ, ଏହାକୁ ଯଦି ଅନ୍ୟ ଭାଷାଭାଷୀମାନେ ନିଜ ବୁଲେଟିନରେ ନିଅନ୍ତି, ତାହେଲେ ସେହି ନିର୍ଦ୍ଦିଷ୍ଟ ସ୍ଥାନର ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଦେଶର ଅନ୍ୟାନ୍ୟ ଭାଗର ଲୋକମାନେ ଅତି ବିସ୍ତୃତ ଭାବେ ଜାଣିବାର ସୁଯୋଗ ପାଇପାରିବେ।

ତେଣୁ ଗୋଟିଏ ଭାଷାର ଷ୍ଟୋରି ଯେମିତି ଅନ୍ୟ ଭାଷାର ଚାନେଲ ନିଜ ବୁଲେଟିନରେ ନେଇ ପାରିବେ, ସେଥିପାଇଁ ଈଟିଭି ନେଟୱର୍କରେ ପ୍ରତିଷ୍ଠା ହୋଇଥିଲା ଗୋଟିଏ ସ୍ୱତନ୍ତ୍ର ନାସନାଲ କୋର ଡେସ୍କ। ଏଥିରେ ନେଟୱର୍କରେ ଥିବା ସମସ୍ତ ଭାଷାର ଚାନେଲର ପ୍ରତିନିଧିମାନେ କାମ କରୁଥିଲେ। ବିଶେଷକରି ସମ୍ପୃକ୍ତ ଆଞ୍ଚଳିକ ଭାଷା ଚାନେଲର ସମ୍ପାଦକ ବା ନ୍ୟୁଜ୍ ସଂଯୋଜକ ନିଜ ଚାନେଲରୁ ଜଣେ କିମ୍ବା ଦୁଇ ଜଣ କପି ଏଡିଟରଙ୍କୁ ନାସନାଲ ଡେସ୍କ ପାଇଁ ମନୋନୀତ କରି ପଠାନ୍ତି। ତେବେ ଯିଏ ବି ସେହି ଡେସ୍କକୁ ଯାଆନ୍ତୁ ନା କାହିଁକି, ମୂଳତଃ ସମ୍ପୃକ୍ତ କପି ଏଡିଟରଙ୍କ ନିଜ ଆଞ୍ଚଳିକ ଭାଷା ସହିତ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଦକ୍ଷତା ଥିବା ନିହାତି ଦରକାର।

ଏହି ଡେସ୍କ, ନେଟୱର୍କର ପ୍ରମୁଖ ବ୍ୟୁରୋ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ସହିତ ନିୟମିତ  ଯୋଗାଯୋଗ ରଖିବା ସହ ଏକ ସର୍ବସାଧାରଣ ଡାକବାଜି ଯନ୍ତ୍ର ( ପବ୍ଲିକ୍ ଆନାଉନସ୍ଟ ସିଷ୍ଟମ ସହାୟତାରେ)ସହାୟତାରେ ପ୍ରତିଟି ନ୍ୟୁଜ୍ ଡେସ୍କକୁ ଖବର ସମ୍ପର୍କରେ ସତର୍କ କରାଇ ଦେଉଥିଲା। ଏହା ବ୍ୟତୀତ ବିଭିନ୍ନ ସମୟରେ ଏହି ସବୁ ଆଞ୍ଚଳିକ ଟିଭି ଚାନେଲରୁ ପ୍ରସ୍ତୁତ ହୋଇଥିବା ଭାବସମ୍ବେଦୀ, ଗୁରୁତ୍ୱପୂର୍ଣ୍ଣ ଏବଂ ମାନବାଗ୍ରହୀ (ହ୍ୟୁମାନ ଇଣ୍ଟେରେଷ୍ଟ) ଷ୍ଟୋରିକୁ ନାସନାଲ ଡେସ୍କରେ ଥିବା କପି ଏଡିଟର ଏବଂ ଅନ୍ୟ ସଦସ୍ୟମାନେ ତୁରନ୍ତ ଇଂରାଜୀରେ ଭାଷାନ୍ତର କରି ସେହି କପିଟିକୁ ନେଟୱର୍କର ଅନ୍ୟ ଭାଷାଭାଷୀ ଚାନେଲକଙ୍କୁ ଦେଇଥାନ୍ତି।

ଏହି ନାସନାଲ ଡେସ୍କ ପ୍ରତିଷ୍ଠା ହେଲା ବେଳେ ଏଥିରେ ସବୁ ଭାଷାଭାଷୀ ଚାନେଲର ସଦସ୍ୟମାନେ ସାମିଲ ହୋଇଥିଲା ବେଳେ ଓଡ଼ିଆ ଭାଷା ପାଇଁ ଦୁଇ ଜଣ କପି ଏଡିଟର ସ୍ୱତନ୍ତ୍ର ଭାବେ ସାକ୍ଷାତକାର ପରୀକ୍ଷା ଦେଇ ନାସନାଲ କୋର ଡେସ୍କ ପାଇଁ ନିଯୁକ୍ତ ହୋଇଥିଲେ। କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଏବଂ ବିଶ୍ୱନାଥ ପ୍ରହରାଜ ରାଜଗୁରୁ ନାସନାଲ କୋର ଡେସ୍କ ପାଇଁ ନିଯୁକ୍ତ ହୋଇଥିବା ପ୍ରଥମ ଦୁଇ କର୍ମଚାରୀ। ପରବର୍ତ୍ତୀ ସମୟରେ ଈଟିଭି ଓଡ଼ିଆ ପକ୍ଷରୁ ଶ୍ୱେତ ସୁନ୍ଦର ସାମନ୍ତରା, ଶୁଭାକର ପଟ୍ଟନାୟକ, ବ୍ୟୋମକେଶ ବିଶ୍ୱାଳ, ବିଜନ କୁମାର ମହାପାତ୍ର ପ୍ରମୁଖ ନାସନାଲ କୋର ଡେସ୍କରେ କାମ କରିଛନ୍ତି।

ତେବେ ଗୋଟିଏ ଭାଷାର ଷ୍ଟୋରି ଅନ୍ୟ ଏକ ଭାଷାର ଚାନେଲ କାହିଁକି ନେବେ ଏବଂ କିଭଳି ନେବେ ସେ ଦିଗରେ ଚିନ୍ତା କରିବା ଦରକାର। ସେଥିପାଇଁ ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କ ଚାହିଁବା ମୁତାବକ ଆରମ୍ଭ ହୋଇଥିଲା ପ୍ରତିଦିନର ବେଷ୍ଟ ଷ୍ଟୋରି ପ୍ରତିଯୋଗିତା। ପ୍ରତିଟି ଚାନେଲ ନିଜ ନିଜ ଭାଷାରେ ପ୍ରସ୍ତୁତ କରିଥିବା ସମସ୍ତ ଷ୍ଟୋରି ମଧ୍ୟରୁ ସେହି ଦିନର (ପ୍ରସାରଣ ପାଇଁ ଉଦ୍ଦିଷ୍ଟ) ଶ୍ରେଷ୍ଠ ଷ୍ଟୋରି ବାଛି, ତାକୁ ପ୍ରତିଯୋଗିତାରେ ସାମିଲ କରିବା ପାଇଁ ସେ ଅନୁରୋଧ ପ୍ରକାଶ କରନ୍ତି। ବିଭିନ୍ନ ନ୍ୟୁଜ୍ ଡେସ୍କର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ଗଠିତ ଏକ କମିଟି ଏହି ଷ୍ଟୋରି ଗୁଡ଼ିକୁ ନିୟମିତ ଦେଖି, ତାର ମୂଲ୍ୟାୟନ କରନ୍ତି। ଆଉ ପୂରା ନେଟୱର୍କ ପାଇଁ ବାଛି ବାଛି ଷ୍ଟୋରି ଉପସ୍ଥାପନ କରନ୍ତି। ଯାହା ଫଳରେ ଗୋଟିଏ ନିର୍ଦ୍ଦିଷ୍ଟ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ଖବର ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମାରେଖା ମଧ୍ୟରେ ଆବଦ୍ଧ ନ ହୋଇ ଅନ୍ୟ ଭାଷାଭାଷୀଙ୍କ ନିକଟରେ ସୁରୁଖୁରୁରେ ପହଞ୍ଚି ପାରୁଥିଲା।

କେବଳ ସେତିକି ନୁହେଁ, ଏହି ଭଳି ପ୍ରତିଯୋଗିତା ଫଳରେ ସମସ୍ତ ଆଞ୍ଚଳିକ ଭାଷାର ଚାନେଲରେ କାମ କରୁଥିବା କପି ଏଡିଟର, ରିପୋର୍ଟର, କ୍ୟାମେରାମେନ୍ ଏବଂ ଭଏସ ଓଭର ଆର୍ଟିଷ୍ଟଙ୍କ ମଧ୍ୟରେ ଏକ ଅଦୃଶ୍ୟ ପ୍ରତିଯୋଗିତା ଚାଲୁଥିଲା। କାରଣ ସମସ୍ତଙ୍କ ଉଦ୍ଦେଶ୍ୟ ଥିଲା ଏହି ପ୍ରତିଯୋଗିତାରେ ବେଷ୍ଟ ଷ୍ଟୋରି ପୁରସ୍କାର ପାଇବା। ଏଥିପାଇଁ ପ୍ରତିଦିନ ବେଷ୍ଟ ଷ୍ଟୋରି ଭାବେ ବିବେଚିତ ହେଉଥିବା ଷ୍ଟୋରିର ରିପୋର୍ଟର, କ୍ୟାମେରାମେନ, କପି ଏଡିଟର, ଭଏସ ଓଭର ଆର୍ଟିଷ୍ଟ ଏବଂ ଭିଜୁଆଲ ଏଡିଟରଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଉଥିଲା। ଭଲ ଏବଂ ଗୁଣାତ୍ମକ କାମ କରିବା ଦିଗରେ ଏହି ବେଷ୍ଟ ଷ୍ଟୋରି ପ୍ରତିଯୋଗିତା ଅନେକ ମାତ୍ରାରେ ସହାୟକ ଥିଲା। ପ୍ରତିଯୋଗିତା ଯୋଗୁଁ ଷ୍ଟୋରିଗୁଡ଼ିକର ଗୁଣାତ୍ମକ ବିକାଶ ଦିଗରେ କାମ କରାଯାଉଥିବା ଫଳରେ ଟେଲିଭିଜନ୍ ଇଣ୍ଡଷ୍ଟ୍ରିରେ ଏହା ସୃଷ୍ଟି କରିଥିଲା ଏକ ନୂଆ ଅଧ୍ୟାୟ।

୨୦୦୪ ମସିହା ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଦୀର୍ଘ ଦିନ ଯାଏଁ ଚାଲିଥିଲା। ପ୍ରତିମାସରେ ଈଟିଭି ସେକ୍ରେଟେରିଏଟରୁ ପ୍ରକାଶ ପାଉଥିଲା ଏକ ତାଲିକା, ଯେଉଁଥିରେ ଥିଲା ନେଟୱର୍କର କେଉଁ ଚାନେଲ କେତେ ସଂଖ୍ୟକ ବେଷ୍ଟ ଷ୍ଟୋରି ପୁରସ୍କାର ପାଇଛନ୍ତି ଏବଂ କେଉଁ ସ୍ଥାନରେ ଅଛନ୍ତି । ଏହା ସମସ୍ତଙ୍କ ମନରେ ଏକ ଖେଳୁଆଡ଼ ମନୋବୃତ୍ତି ସୃଷ୍ଟି କରିବା ସହ ଗୁଣାତ୍ମକ ଉନ୍ନତିରେ ହୋଇଥିଲା ଢେର ସହାୟକ।

Tags: #DrFakirMohanNahak #Television #ETvOdia

Comment