ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ବଦଳରେ ରାଷ୍ଟ୍ରପତ୍ନୀ କହି ଅଡ଼ୁଆରେ ପଡ଼ିଛନ୍ତି କଂଗ୍ରେସର ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ସଫେଇ ଦେଇଛନ୍ତି ଅଧୀର ରଞ୍ଜନ। ସେ କହିଛନ୍ତି, “ମୁଁ ବଙ୍ଗାଳି ହୋଇଥିବାରୁ ମୋର ହିନ୍ଦୀ ଠିକ୍ ନୁହେଁ। ମୁଁ ଭୁଲରେ ରାଷ୍ଟ୍ରପତ୍ନୀ କହିଦେଇଛି, ରାଷ୍ଟପ୍ରତିଙ୍କୁ ମୁଁ ଭୁଲ ମାଗିବାକୁ ପ୍ରସ୍ତୁତ।“

ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଅସୋଭନୀୟ ମନ୍ତବ୍ୟ ଦେଇ ଏବେ ବିବାଦରେ ଫସିଛନ୍ତି କଂଗ୍ରେସର ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ସୂଚନା ଅନୁସାରେ ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଇଡିର ପଚରାଉଚୁରାକୁ ନେଇ ଶୁକ୍ରବାର ଦିନ ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ମନ୍ତବ୍ୟ ଦେବା ସମୟରେ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ନ କହି ରାଷ୍ଟ୍ରପତ୍ନୀ ଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ଏବେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ କଂଗ୍ରେସ ଉପରେ ବର୍ଷିଛି ବିଜେପି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନକୁ ନେଇ ଆଜି ସଂସଦରେ ବିଜେପି ସାଂସଦମାନେ ହଟ୍ଟଗୋଳ କରିଛନ୍ତି। ବିଜେପି ସାଂସଦମାନେ କଂଗ୍ରେସ ଉପରେ ବର୍ଷି ଥିବାବେଳେ ଏଥିପାଇଁ ସୋନିଆ ଗାନ୍ଧୀ ଭୁଲ ମାଗନ୍ତୁ ବୋଲି ଦାବି କରିଥିଲେ ବିଜେପି ନେତ୍ରୀ ସ୍ମୃତି ଇରାନୀ। ଏହାକୁ ନେଇ ସଂସଦ ଭିତରେ ସୋନିଆ ଗାନ୍ଧୀ ଓ ସ୍ମୃତି ଇରାନୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ,  ଉଭୟ ଦଳର ସାଂସଦମାନେ ଉଭୟଙ୍କୁ ସେମାନଙ୍କ ଆସନ ନିକଟକୁ ନେଇ ଯାଇଥିଲେ। ସଂସଦରେ ଏଭଳି ଘଟଣା ପରେ ସଂସଦକୁ ସ୍ଥଗିତ କରାଯାଇଥିଲା।

ଡୋଣ୍ଟ ଟକ୍ ଟୁ ମି: ସୋନିଆ ଗାନ୍ଧୀ

ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପି ସାଂସଦମାନେ ସଂସଦ ବାହାରେ ସୋନିଆ ଗାନ୍ଧୀଙ୍କ ଇସ୍ତଫା ଦାବି କରି ନାରାବାଜି କରିଥିଲେ। ଏତିକି ବେଳେ ସଂସଦ ଭିତରୁ ବାହାରୁ ଥିବା ସୋନିଆ ଗାନ୍ଧୀ ସାଂସଦ ରମାଦେବୀଙ୍କ ପାଖରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉପରେ ଦେଇଥିବା ବିବାଦୀୟ ବୟନ ପାଇଁ ଅଧୀର ରଞ୍ଜନ ଚୌଧୁରୀ କ୍ଷମା ମାଗିସାରିଥିବା କହିଥିଲେ। ଏହି ସମୟରେ ସ୍ମୃତି ଇରାନୀ କିଉି କହିବାକୁ ଉଦ୍ୟମ କରୁଥିବାବେଳେ ସୋନିଆ ଗାନ୍ଧୀ ତାଙ୍କୁ କହିଥିଲେ ‘ଡୋଣ୍ଟ ଟକ୍ ଟୁ ମି’। ଏହାପରେ ଉଭୟଙ୍କ ମଧ୍ୟରେ କିଛି ସମୟ ପର୍ଯ୍ୟନ୍ତ ଯୁକ୍ତି ଚାଲିଥିଲା।

ମୁଁ ବଙ୍ଗାଳି, ମୋ ହିନ୍ଦୀ ଠିକ୍ ନାହିଁ: ଅଧୀର ରଞ୍ଜନ ଚୌଧୁରୀ

କଂଗ୍ରେସ ବରିଷ୍ଠ ନେତା ଅଧୀର ରଞ୍ଜନଙ୍କ ବିବାଦୀୟ ବୟାନ ପରେ ସଫେଇ ଦେଇଛନ୍ତି ସେ। ସେ କହିଛନ୍ତି, “ମୁଁ ବଙ୍ଗାଳି, ମୋର ହିନ୍ଦୀ ଠିକ୍ ନାହିଁ। ଭୁଲରେ ମୋ ପାଟିରୁ ଏମିତି ବାହାରି ଗଲା। ମୁଁ ରାଷ୍ଟ୍ରପତିଙ୍କ ନିକଟକୁ ଯାଇ ଭୁଲ ମାଗିବି।“

ସେ ଆହୁରି କହିଥିଲେ ଯେ, ମୁଁ ଯଦି ଭୁଲ କରିଛି ମୁଁ ଭୁଲ ମାଗିବି। ମ୍ୟାଡାମ ସୋନିଆ ଗାନ୍ଧୀଙ୍କୁ ଏହି ବିବାଦ ଭିତରକୁ ଟାଣିବାକୁ ବିଜେପି ହୀନ ପ୍ରୟାସ ନକରୁ।

କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ ଏକ ବୟାନରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ। ଏହାକୁ ନେଇ ସେ ପରେ କ୍ଷମା ମାଗିଥିବା କଥା କହିଛନ୍ତି। ଏହି ଝଡ଼ ଏବେ ଥମିବାର ନାଁ ନେଉନାହିଁ।

Tags: #Politics #IndianPolitics #Controversy #ControversialStatement #Politician #AdhirRanjaChoudhuty #DraupadiMurmu

Comment