ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଶେଷରେ ଭୁଲ ମାଗିଲେ। ଅଧୀର ରଞ୍ଜନଙ୍କ ମନ୍ତବ୍ୟକୁ ନେଇ ସଂସଦ ଭିତରେ ଓ ବାହାରେ ପ୍ରବଳ ତମ୍ବିତୋଫାନ ହେବା ସହ ଚାରିଆଡ଼ୁ ସମାଲୋଚିତ ହେବା ପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମା ମାଗିଛନ୍ତି ଅଧୀର ରଞ୍ଜନ। ରାଷ୍ଟ୍ରପତି ତାଙ୍କୁ କ୍ଷମା କରିଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, “ମୁଁ ବଙ୍ଗାଳି, ମୋ ହିନ୍ଦୀ ଠିକ୍ ନଥିବାରୁ ଭୁଲରେ ଏମିତି ଶବ୍ଦ ମୋ ପାଟିରୁ ବାହାରି ଗଲା। ଏଥିପାଇଁ ମୁଁ ଅନୁତପ୍ତ”।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ “ରାଷ୍ଟ୍ରପତ୍ନୀ” ବୋଲି ସମ୍ବୋଧନ କରିଥିଲେ। ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଇଡିର ପଚରାଉଚୁରାକୁ ନେଇ ଶୁକ୍ରବାର ଦିନ ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ମନ୍ତବ୍ୟ ଦେବା ସମୟରେ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ନ କହି ରାଷ୍ଟ୍ରପତ୍ନୀ ଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ଉଠିଥିଲା ରାଜନୈତିକ ଝଡ଼।

ରାଷ୍ଟ୍ରପତିଙ୍କ ପ୍ରତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସଂସଦ ଭିତରେ ଏବଂ ବାହାରେ ଝଡ଼ ଉଠିଥିଲା। କେବଳ ସଂସଦ ନୁହେଁ ରାଜ୍ୟ ବିଧାନସଭାରେ ମଧ୍ୟ ପ୍ରବଳ ହଙ୍ଗାମା ହୋଇଥିଲା। କଂଗ୍ରେସକୁ ଆଦିବାସୀ ଓ ମହିଳା ବିରୋଧୀ କହି ଅଧୀର ରଞ୍ଜନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି।

ଚାରିଆଡୁ ସମାଲୋଚିତ ହେବା ପରେ ଶେଷରେ ରାଷ୍ଟ୍ରପତିଙ୍କୁ ଭୁଲ ମାଗିବେ ବୋଲି କହିଥିଲେ ଅଧୀର ରଞ୍ଜନ ଚୌଧୁରୀ। ସେ ଗୁରୁବାର ଦିନ କହିଥିଲେ, “ମୁଁ ମୋ ଭୁଲ ପାଇଁ ରାଷ୍ଟ୍ରପତିଙ୍କୁ ଭୁଲ ମାଗିବି। କିନ୍ତୁ ବିଜେପି ନୁହେଁ”।

ରାଷ୍ଟ୍ରପତିଙ୍କ ପାଇଁ ବିବାଦୀୟ ମନ୍ତବ୍ୟ ଦେବା ଘଟଣା ଅଧୀର ରଞ୍ଜନଙ୍କ ପାଇଁ ନୂଆ ନୁହେଁ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ ଶବ୍ଦ ପ୍ରୟୋଗ କରି ତୀବ୍ର ସମାଲୋଚିତ ହୋଇସାରିଛନ୍ତି ସେ।

ଗୁରୁବାର ଦିନ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଏବଂ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏହି ସମୟରେ ସୋସିଆ ଗାନ୍ଧୀ କହିଥିଲେ ଅଧୀର ରଞ୍ଜନ ନିଜ ଭୁଲ ପାଇଁ ରାଷ୍ଟ୍ରପତିଙ୍କୁ ଭୁଲ ମାଗି ସାରିଛନ୍ତି। ସୋନିଆ ଗାନ୍ଧୀ ଏହା କହୁଥିବାବେଳେ ଆଜି ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଭୁଲ ମାଗିଛନ୍ତି ଅଧୀର ରଞ୍ଜନ ଚୌଧୁରୀ।

Tags: #Politics #Controversy #CongressLeader #AdhirRanjanChoudhury #PresidentOfIndia #DraupadiMurmu

Comment