ଓଡ଼ିଶାଲାଇଭ୍ ବ୍ୟୁରୋ

(କିଶୋର ମହାପାତ୍ର , ନୟାଗଡ଼ ରୁରାଲ): ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପାରାଢ଼ିପି ପଞ୍ଚାୟତ ଥୁଆବାରୀ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ସହିଦ କଣ୍ଡୁରି ପରିଡ଼ାଙ୍କ ପରିବାର। ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଣ୍ଡୁରି ପରିଡ଼ା ଡେଲାଙ୍ଗଠାରେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ସେଠାରୁ ଫେରି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶ୍ରୀଧର ଦାଶଙ୍କ ସହ ଦେଖାହେବା ପରେ କଷ୍ଟି ଡାକୁଆ ଏବଂ ଗ୍ରାମର ୬୦ ପରିବାରଙ୍କୁ ଏକତ୍ରିତ କରି ଇଂରେଜମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ।

ବିଗତ ଦିନରେ ଇଂରେଜ ସରକାରଙ୍କ ନିଦ ହଜେଇ ଦେଇଥିବା ଏହି ସ୍ବାଧୀନତା ସଂଗ୍ରାମୀ କଣ୍ଡୁରି ପରିଡ଼ାଙ୍କ ପରିବାର ଆଜି ଦୁଃଖ କଷ୍ଟରେ କାଳାତିପାତ କରିଛନ୍ତି। ବହୁ ନେତା ମନ୍ତ୍ରୀ ଆସି ତାଙ୍କ ପରିବାରକୁ ଭେଟୁଛନ୍ତି। ସଭା ସମିତି ହେଲେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଲୋଡ଼ା ଯାଉଛି ଏବଂ ମଞ୍ଚରେ ସମ୍ମାନିତ ମଧ୍ୟ କରାଯାଉଛି। କିନ୍ତୁ ସଭା ସମିତି ପରେ ସମସ୍ତେ ଭୁଲି ଯାଉଛନ୍ତି ଏହି ପରିବାରକୁ। ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ପାଇଁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅନେକ ପ୍ରତିଶ୍ରୁତି ମିଳୁଛି, କିନ୍ତୁ ପୂରଣ ହୋଇପାରୁ ନାହିଁ।

ଆଜିବି ବିପଦ ସଙ୍କୁଳ ଘରେ ଜୀବନ ଅତିବାହିତ କରୁଛନ୍ତି ସ୍ବର୍ଗତ ସଂଗ୍ରାମୀଙ୍କ ପରିବାର ସଦସ୍ୟ। ସବୁ ଯୋଜନାରୁ ଏହି ପରିବାର ଆଜି ପର୍ଯ୍ୟନ୍ତ ବଞ୍ଚିତ ହୋଇ ରହିଛନ୍ତି। ଘର ଖଣ୍ଡେ ପାଇଁ ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଘର ଖଣ୍ଡେ ଯୋଗାଇ ଦେଉ ନାହିଁ ପ୍ରଶାସନ। ସହୀଦ କଣ୍ଡୁରି ପରିଡ଼ାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିଲେ ମଧ୍ୟ ଅର୍ଥାଭାବରୁ ପ୍ରତିମୂର୍ତ୍ତିଟି ସ୍ଥାପନ ହୋଇପାରୁ ନଥିବା ପ୍ରକାଶ କରିଛନ୍ତି ପରିବାର ସଦସ୍ୟ ଶଙ୍କର୍ଷଣ ପରିଡ଼ା। ସରକାର ସହୀଦ ସ୍ବାଧୀନତା ସଂଗ୍ରାମୀ ପରିବାରକୁ ସାହାୟତା ଯୋଗାଇ ଦେବା ଲାଗି ଗ୍ରାମବାସୀ ଦାବି କରିଛନ୍ତି।

Tags: #Nayagarh #FreedomFighter #Family #NoGovtFacilities

Comment