ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ କମନୱେଲଥ୍ ଗେମ୍ସରେ ଭାରତକୁ ପଦକ ଉପରେ ପଦକ ମିଳିବାକୁ ଲାଗିଛି। ଆଜି ଜୁଡ଼ୋରେ ତୁଲିକା ମାନ ରୌପ୍ୟ ପଦକ ଜିତିଛନ୍ତି। ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ସ୍କଟଲାଣ୍ଡର ସାରା ଆଡ଼ଲିଙ୍ଗଟନଙ୍କଠାରୁ ପରାଜୟ ବରଣ କରିବା ସହ ସ୍ୱର୍ଣ୍ଣ ଜିତିବା ସୁଯୋଗରୁ ବଞ୍ଚିତ ହୋଇଛନ୍ତି ତୁଲିକା। ଜୁଡୋରେ ଏହା ହେଉଛି ଭାରତର ତୃତୀୟ ପଦକ। ତୁଲିକାଙ୍କ ପୂର୍ବରୁ ଏଲ ସୁଶୀଲା ଦେବୀ ଏବଂ ବିଜୟ କୁମାର ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି।

କେବଳ ସେତିକି ନୁହେଁ ଭାରୋତ୍ତୋଳନରେ ମଧ୍ୟ କମାଲ କରି ଚାଲିଛନ୍ତି ଭାରତୀୟ ଖେଳାଳି। ପୁରୁଷ ୧୦୯ କିଲୋଗ୍ରାମ ବର୍ଗରେ ଲଭପ୍ରୀତ ସିଂହ ଏବଂ ୧୦୯ରୁ ଅଧିକ ବର୍ଗରେ କୁରଦୀପ ସିଂହ କାଂସ୍ୟ ପଦକ ଜିତିଛନ୍ତି। ଫଳରେ ଭାରୋତ୍ତୋଳନରେ ଭାରତର ପଦକ ସଂଖ୍ୟା ୯କୁ ବଢ଼ିଛି। ଏଥିରେ ରହିଛି ୩ଟି ସ୍ୱର୍ଣ୍ଣ ପଦକ।

କମନୱେଲଥ୍ ଗେମ୍ସରେ ଭାରତ ପାଇଁ ଜୁଡୋରେ ରୌପ୍ୟ ପଦକ ଜିତିଥିବା ତୁଲିକା ମାନ ମାତ୍ର ୨ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ। ବ୍ୟବସାୟିକ ଶତ୍ରୁତା କାରଣରୁ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଥିଲା। ମା’ ଦିଲ୍ଲୀ ପୋଲିସରେ ଏସଆଇ ଭାବେ କାମ କରନ୍ତି। ବ୍ୟସ୍ତତା ଯୋଗୁଁ ମା’ ତୁଲିକାଙ୍କୁ ଘର ନିକଟରେ ଥିବା ଏକ କ୍ଲବରେ ଭର୍ତ୍ତି କରିଥିଲେ। ସେହିଠାରେ ପରିଶ୍ରମ କରି ଆଜି ଏହି ସଫଳତା ମିଳିପାରିଥିବା ତୁଲିକା କୁହନ୍ତି।

ତୁଲିକା ମାନ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡର ସିଜନୀ ଏଣ୍ଡ୍ରୟୁଜକୁ ପରାଜିତ କରିଥିଲେ ଏବଂ ଫାଇନାଲରେ ନିଜ ସ୍ଥାନ ବଜାୟ ରଖିଥିଲେ। କିନ୍ତୁ ଫାଇନାଲରେ ଅଳ୍ପକେ ସ୍ୱର୍ଣ୍ଣ ପାଇବାରୁ ବଞ୍ଚିତ ହୋଇଥିଲେ।

Tags: #Sports #Games #Commonwealthgames #Winner #TulikaMaan

Comment