ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ଭାରତକୁ ସଫଳତା ମିଳିଛି। ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ଜିତିଛନ୍ତି ସୁଧୀର। ପାରା ପାୱାରଲିଫ୍ଟିଂ ପୁରୁଷ ବର୍ଗରେ ସେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନଙ୍କ ପ୍ରଦର୍ଶନ ଦମଦାର ରହିଛି। ସପ୍ତମ ଦିନରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ। ଏହା ସହିତ ଲଙ୍ଗ ଜମ୍ପର ଶ୍ରୀଶଙ୍କର ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ଦୁଇ ପଦକକୁ ମିଶାଇ ଭାରତକୁ ୭ ଦିନରେ ୨୦ଟି ପଦକ ହାସଲ ହୋଇଛି। ଏଥିରେ ୬ଟି ସ୍ୱର୍ଣ୍ଣ ପଦକ ରହିଛି।

ପାରା ପାୱାରଲିଫ୍ଟିଂରେ ସୁଧୀର ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚନା କରିଛନ୍ତି। ପ୍ରଥମ ଥର ପାରା ପାୱାରଲିଫ୍ଟିଂରେ ସୁଧୀର ଭାରତ ପାଇଁ ସ୍ୱର୍ଣ୍ଣ ଆଣିଛନ୍ତି। ସୁଧୀର ପ୍ରଥମ ପ୍ରୟାସରେ ୨୦୮ କେଜି ଭାରୋତ୍ତଳନ କରିଥିଲେ। ଦ୍ୱିତୀୟ ପ୍ରୟାସରେ ୨୧୨ କେଜି ଭାର ଉଠାଇ ସ୍ୱର୍ଣ୍ଣ ପଦକ ଜିତିବା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ। ଏହି ବର୍ଗରେ ନାଇଜେରିଆର ଇକେଚୁକବୁ କ୍ରିଷ୍ଟିୟନ ଉବିଚୁକଭୁ ରୌପ୍ୟ ଏବଂ ସ୍କଟଲ୍ୟାଣ୍ଡର ମିକି ୟୁଲି କାଂସ୍ୟ ପଦକ ଜିତିଛନ୍ତି। ୨୭ ବର୍ଷୀୟ ସୁଧୀର ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିଲେ।

Tags: #Sports #Games #CommonwealthGames2022 #ParaPowerLifting

Comment