ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ବର୍ଷ ହେଲା ଦରଦାମ ବୃଦ୍ଧି ଅଣାୟତ ସ୍ଥିତିରେ ଥିବାରୁ ବୁଧବାର ଦିନ ପୁଣି ରେପୋ ରେଟ ବୃଦ୍ଧି କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)। ଏବେ ଆହୁରି ମହଙ୍ଗା ହେବ ବ୍ୟାଙ୍କ ଋଣ। ଚଳିତ ବର୍ଷ ଲଗାତର ତୃତୀୟ ଥର ପାଇଁ ରେପୋ ରେଟ ବୃଦ୍ଧି ହୋଇଛି। ବର୍ତ୍ତମାନ ରେପୋ ରେଟ ୦.୫୦ ପ୍ରତିଶତ ବୃଦ୍ଧି କରାଯିବା ଦ୍ଵାରା ଏହା ୫.୪୦ ପ୍ରତିଶତରେ ପହଞ୍ଚିଛି। ଦେଶରେ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ରୋପୋ ରେଟରେ ବୃଦ୍ଧି କରାଯାଉଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ମେ’ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରେପୋ ରେଟ୍ ୧.୪୦ ପ୍ରତିଶତ ବୃଦ୍ଧି ପାଇଛି।

୪ ମାସରେ ତୃତୀୟ ଥର ବୃଦ୍ଧି

ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ସମିତି ବୈଠକ ଗତ ସୋମବାରଠାରୁ ବୁଧବାର ଦିନ ପର୍ଯ୍ୟନ୍ତ ହେବାର ଥିଲା। କିନ୍ତୁ କୌଣସି କାରଣରୁ ଏହା ହୋଇପାରିନଥିଲା। ଦର ବୃଦ୍ଧି ଉପରେ ନିୟନ୍ତ୍ରଣ କରିବା ଲାଗି ଗତ ମେ’ ମାସରେ ରେପୋ ରେଟ ବୃଦ୍ଧି କରିଥିଲା ରିଜର୍ଭ ବ୍ୟାଙ୍କ। ମେ’ ମାସରେ ରେପୋ ରେଟ ୦.୦୪ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଏହା ପରେ ଜୁନ ମାସରେ ମଧ୍ୟ ରେପୋ ରେଟ ବୃଦ୍ଧି ହୋଇଥିଲା। ଜୁନ ମାସରେ ରେପୋ ରେଟ ୦.୦୫ ପ୍ରତିଶତ ବୃଦ୍ଧି କରାଯାଇଥିଲା।

ଦୁଇ ବର୍ଷ ପରେ ଗତ ମେ’ ମାସରେ ରେପୋ ରେଟ ବୃଦ୍ଧି କରିଥିଲା ରିଜର୍ଭ ବ୍ୟାଙ୍କ। ଆଜି ପୁଣି ରେପୋ ରେଟ ୦.୦୫ ପ୍ରତିଶତ ବୃଦ୍ଧି କରାଯାଇଛି।

ଦର ବୃଦ୍ଧି ନିୟନ୍ତ୍ରଣ ବାହାରେ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସୂଚନା ଅନୁସାରେ ସାରା ବିଶ୍ୱରେ ଦରଦାମ ବୃଦ୍ଧି ରେକର୍ଡ ସ୍ତରରେ ପହଞ୍ଚିଛି। ଦେଶରେ ଲୋକଙ୍କୁ ଦରଦାମ ବୃଦ୍ଧି ଯୋଗୁଁ ଆର୍ଥିକ ସ୍ତରରେ ଅସୁବିଧା ଭୋଗିବାକୁ ପଡ଼ୁଛି। ସରକାର ଏବଂ ରିଜର୍ଭ ବ୍ୟାଙ୍କର ମିଳିତ ପ୍ରଚେଷ୍ଟାରେ ଏହି ସମସ୍ୟା ଧୀରେ ଧୀରେ ନିୟନ୍ତ୍ରଣକୁ ଆସିବାକୁ ଲାଗିଛି।

କୋଭିଡ ପରେ ଭାରତ ସହ ସାରା ବିଶ୍ୱରେ ଦରଦାମ ବୃଦ୍ଧି ଜନିତ ସମସ୍ୟା ସୃଷ୍ଟି ହୋଇଛି। ବିଶ୍ୱର ବଡ଼ ବଡ଼ ଦେଶ ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ଏପରି ସ୍ଥିତିରେ ନିଜ ଦେଶର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ଲାଗି ଆମେରିକା ଏବଂ ବ୍ରିଟେନ ଭଳି ପାଶ୍ଚାତ୍ୟ ଦେଶଗୁଡ଼ିକ ବ୍ୟାଙ୍କ ଋଣ ଉପରେ ସୁଧ ହାରରେ ବୃଦ୍ଧି କରିଥିବା ସେ କହିଛନ୍ତି।

Tags: #Bank #RBI #RepoRate #ReverseRepoRate #RBIGoverner #ShaktikanDas #RepoRateHike

Comment