ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରରେ ରାଜନୈତିକ ଅସ୍ଥିରତା। ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ। ମେଣ୍ଟ ଭାଙ୍ଗିବା ପରେ ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର। ରାଜ୍ୟପାଳଙ୍କୁ ସାକ୍ଷାତ କରି ମଙ୍ଗଳବାର ଦିନ ନୀତିଶ କୁମାର ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ବିହାର ରାଜନୀତିରେ ଏକ ମାସ ହେବ ଲାଗି ରହିଥିବା ଦ୍ଵନ୍ଦ୍ଵ ଦୂର ହୋଇଛି। ଏବେ ନୂଆ ସରକାର ଗଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି ନୀତିଶ କୁମାର। ବିଜେପି ହାତ ଛାଡ଼ି ପୁଣି ଆର୍‌ଜେଡିକୁ ସାଥୀ କହିଛନ୍ତି ସେ। ଏବେ ନୂଆ ରୂପରେ ନୂଆ ମେଣ୍ଟ ଗଠନ ହେବ ବୋଲି ଜେଡିୟୁ ନେତା ଉପେନ୍ଦ୍ର କୁଶୱା କହିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ସହ ନୀତିଶ କୁମାର କହିଛନ୍ତି ତାଙ୍କ ପାଖରେ ୧୬୦ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଇସ୍ତଫା ଦେବା ପରେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ସମସ୍ତଙ୍କର ଇଚ୍ଛା ଥିଲା ବିଜେପି ଛାଡ଼ିବାକୁ। ସମସ୍ତ ବିଧାୟକ ଏବଂ ସାଂସଦମାନଙ୍କ ନିଷ୍ପତ୍ତି କ୍ରମେ ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ଅନ୍ୟପଟେ ମନ୍ତ୍ରିମଣ୍ଡଳରେ ଥିବା ୧୬ ଜଣ ବିଜେପି ମନ୍ତ୍ରୀ ଇସ୍ତଫା ଦେବେ ନାହିଁ ବୋଲି ଅଡ଼ି ବସିଛନ୍ତି।

ବିହାରରେ ଗତ ବିଧାନସଭା ନିର୍ବାଚନରେ ୨୪୩ ଆସନ ମଧ୍ୟରୁ ୧୨୭ଟି ଆସନରେ ବିଜୟୀ ହୋଇଥିଲା ଏନ୍‌ଡିଏ। ଜେଡିୟୁକୁ ୪୫ ଏବଂ ବିଜେପିକୁ ୭୭ଟି ଆସନରେ ବିଜୟ ହାସଲ ହୋଇଥିଲା। ଏନ୍‌ଡିଏର ଅନ୍ୟ ସହଯୋଗୀଙ୍କୁ ୫ଟି ଆସନ ମିଳିଥିଲା। କମ୍ ଆସନ ପାଇଥିଲେ ମଧ୍ୟ ନୀତିଶ କୁମାରଙ୍କୁ ବିଜେପି ବିହାରର ମୁଖ୍ୟମନ୍ତ୍ରୀ କରିଥିଲା।

Tags: #Politics #BiharPolitics #NitishKumar #BiharCM #Resigns

Comment