ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ। ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ନୂଆ ମେଣ୍ଟ ସହ ବିହାରରେ ପୁଣି ସରକାର ଗଢ଼ିଛନ୍ତି ନୀତିଶ କୁମାର। ନୀତିଶଙ୍କ ଅଷ୍ଟମ ଇନିଂସରେ କ’ଣ ରହିବ ରଣନୀତି ତା’ ଉପରେ ସମସ୍ତଙ୍କ ନଜର।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିଜେପି ମଧ୍ୟରେ କିଛିଦିନ ହେଲା ଛକାପଞ୍ଝା ଲାଗି ରହିଥିଲା। ଏହାକୁ ନେଇ ବିହାର ରାଜନୀତିରେ ଉଷ୍ମତା ଦେଖାଦେବା ପରେ ନୀତିଶ କୁମାର ଏନଡିଏ ସହ ସମ୍ପର୍କ ତୁଟାଇ ପୁଣି ଆରଜେଡି ସହ ମିଶିବେ ବୋଲି ପୂର୍ବାନୁମାନ କରାଯାଉଥିଲା। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସବୁ କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ନୀତିଶ କୁମାର।

ଗୋଟିଏ ଦିନରେ ସବୁ ଓଲଟ ପାଲଟ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଆଉ ପରଦିନ ସେହି ପଦବୀ ପାଇଁ ଶପଥ ଗ୍ରହଣ। ଏହା କେବଳ ରାଜନୀତିରେ ହିଁ ସମ୍ଭବ ହୋଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଏନଡିଏ ଛାଡ଼ିଲେ, ଆରଜେଡିରେ ମିଶିଲେ

ଏନଡିଏ ସହ ସହ ମନୋମାଳିନ୍ୟ ଯୋଗୁଁ କିଛି ଦିନ ହେଲା ବିଜେପିର ସବୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମଠାରୁ ଦୂରେଇ ରହୁଥିଲେ ନୀତିଶ କୁମାର। ଏମିତି କି ସେ ଏନଡିଏରୁ ଓହରି ଆରଜେଡି ସହ ମିଶି ପୁଣି ଥରେ ସରକାର ଗଠନ କରିବେ ବୋଲି ପୂର୍ବାନୁମାନ କରାଯାଉଥିଲା। ଯାହା ଆଜି ବାସ୍ତବର ରୂପ ନେଇଛି। ଆରଜେଡି-କଂଗ୍ରେସ ସମେତ ମୋଟ ୭ଟି ଦଳର ସହଯୋଗରେ ନୂଆ ସରକାର ଗଢ଼ିଛନ୍ତି ନୀତିଶ କୁମାର।

ନୀତିଶ କୁମାର ଆଜି ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ପରେ ପରେ ବିହାର ଉପମୁଖ୍ୟମନ୍ତ୍ରୀ ଭାବେ ତେଜସ୍ଵୀ ଯାଦବ ଶପଥ ନେଇଥିଲେ।

ବିଜେପି ସହିତ ମେଣ୍ଟ ଭାଙ୍ଗି ୨୦୧୫ ଶୈଳୀରେ ସରକାର ଗଢ଼ିଛନ୍ତି ନୀତିଶ କୁମାର। ନୀତିଶଙ୍କର ବାରମ୍ବାର ଦଳ ପରିବର୍ତ୍ତନକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ଆଗରୁ ବି ଆରଜେଡି ସହ ମିଶି ସରକାର ଗଢ଼ିଥିଲେ ନୀତିଶ

ଆଜିକୁ ମିଶାଇ ୮ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର। ୨୦୦୦ ମସିହା ମାର୍ଚ୍ଚ ୩ରେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ନୀତିଶ କୁମାର। ଏହାପରେ ୨୦୦୫ ନଭେମ୍ବର ୨୪ ତାରିଖରୁ ୨୦୧୪ ମସିହା ମେ’ ୨୦ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗାଦିରେ ରହିଥିଲେ ସେ। ୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ି ଦେଇଥିଲେ ନୀତିଶ କୁମାର।

୨୦୧୫ ମସିହା ବିଧାନସଭା ନିର୍ବାଚନ ପରେ ଆରଜେଡି ଏବଂ ଅନ୍ୟ ଦଳ ସହ ମିଶି ମହାମେଣ୍ଟ ସରକାର ଗଢ଼ିଥିଲେ ନୀତିଶ କୁମାର। ପରେ କ୍ଷମତାକୁ ନେଇ ବିବାଦ ଦେଖାଦେବାରୁ ଆରଜେଡିଠାରୁ ଦୂରେଇ ଯାଇଥିଲେ ନୀତିଶ କୁମାର। ଏହା ପରେ ପୁଣି ବିଜେପିର ହାତ ଧରିଥିଲେ ସେ।। ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି-ଜେଡିୟୁ ମିଶ୍ରଣରେ ସରକାର ଗଢ଼ିଥିଲେ ନୀତିଶ କୁମାର। ୨୦ ମାସ ପରେ ବିଜେପିଠାରୁ ଅଲଗା ହୋଇ ପୁଣି ଆରଜେଡିରେ ମିଶି ବିହାର ରାଜନୀତିରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ନୀତିଶ କୁମାର।

ବିହାର ରାଜନୀତିରେ ଝଡ଼ ପଛର କାହାଣୀ

ସବୁ ଘଟଣା ପଛରେ ଗୋଟିଏ କାରଣ ରହିଛି। ବିହାର ରାଜନୀତିରେ ହୋଇଥିବା ପରିପର୍ତ୍ତନ ପଛରେ ମଧ୍ୟ କାରଣ ଅଛି। ତେବେ ଏହି କାରଣଟି କ’ଣ ଜାଣିବାକୁ ସାଧାରଣରେ ଉତ୍କଣ୍ଠା ଦେଖିବାକୁ ମିଳିଛି।

ପ୍ରାୟ ଏକ ମାସ ପୂର୍ବରୁ ବିହାର ରାଜନୈତିକ ପାଣିପାଗରେ ପରିବର୍ତ୍ତନ ଆରମ୍ଭ ହୋଇଥିଲା। ଗତ ଏକ ମାସର ଘଟଣାକ୍ରମକୁ ଦେଖିଲେ ନୀତିଶ କୁମାର ଓ ବିଜେପି ମଧ୍ୟରେ ଫାଟ ଆରମ୍ଭ ହୋଇଥିବା ବାରି ହୋଇପିଡ଼ିଥିଲା। ଏହି ସମୟ ମଧ୍ୟରେ ନୀତିଶ କୁମାର ଚାରି ଚାରି ଥର ବିଜେପିଠାରୁ ଦୂରତା ବଜାୟ ରଖିଥିଲେ। ଗତ ଜୁଲାଇ ମାସରେ ଦେଖିବାକୁ ମିଳିଥିଲା ପ୍ରଥମ ଘଟଣା। ଜୁଲାଇ ୧୭ ତାରିଖରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାମିଲ ହୋଇନଥିଲେ ନୀତିଶ କୁମାର। ‘ହରଘର ତ୍ରିରଙ୍ଗା’କୁ ନେଇ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରିଥିବା ବୈଠକରେ ମଧ୍ୟ ନୀତିଶ କୁମାର ନଥିଲେ। ଏହା ପରେ ଜୁଲାଇ ୨୨ ତାରିଖରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟକାଳୀନ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ଥିଲେ ମଧ୍ୟ ସେ ଯୋଗ ଦେଇନଥିଲେ।

କେବଳ ସେତିକି ନୁହେଁ ଜୁଲାଇ ୨୫ ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସେ ଯୋଗ ଦେଇନଥିଲେ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ  କଥା ହେଲା ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିତି ଆୟୋଗ ବୈଠକରେ ମଧ୍ୟ ନୀତିଶ କୁମାରଙ୍କୁ ଦେଖିବାକୁ ମିଳିନଥିଲା।

ବିଜେପିଠାରୁ କାହିଁକି ଦୂରେଇଲେ?

ନୀତିଶ କୁମାର ବିଜେପିଠାରୁ ଦୂରେଇବାର କାରଣ ଆରସିପି ସିଂ ବୋଲି କହାଯାଉଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଜେଡିୟୁର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରସିପି ସିଂହଙ୍କୁ ଶନିବାର ଦିନ ଦଳ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ସ୍ପଷ୍ଟୀକରଣ ମଗା ଯାଇଥିଲା। ଏହାପରେ ସେ ଦଳର ପ୍ରାଥମିକ ସଦସ୍ୟତା ଛାଡ଼ି ଦେଇଥିଲେ। ନୀତିଶ କୁମାରଙ୍କ ଅନିଚ୍ଛା ସତ୍ତ୍ଵେ ଆରସିପି ସିଂଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯାଇଥିଲା।

ଆରସିପି ସିଂଙ୍କୁ ନୀତିଶ କୁମାର ତୃତୀୟ ଥର ପାଇଁ ରାଜ୍ୟସଭାକୁ ନପଠାଇବାରୁ ତାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏହାପରେ ଆରସିପି ସିଂ ନୀତିଶ କୁମାରଙ୍କଠାରୁ ଦୂରେଇବାକୁ ଲାଗିଲେ। ଆରସିପି ସିଂଙ୍କୁ ବ୍ୟବହାର କରି ନୀତିଶ କୁମାରଙ୍କୁ ଦୁର୍ବଳ କରିବାକୁ ଯୋଜନା କରୁଥିଲା ବିଜେପି।  ତେଣୁ ସମୟ ଦେଖି ଆରସିପି ସିଂଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଣାଯାଇଥିଲା ଓ ତାଙ୍କୁ ଦଳରୁ ଇସ୍ତଫା ଦେବାକୁ ପଡ଼ିଲା ବୋଲି ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, କିଛି ଲୋକ ପୁଣି ଥରେ ବିହାରରେ ଚିରାଗ ପାସଓ୍ଵାନ ମଡେଲ ଆପଣାଇବାକୁ ଚାହୁଁଥିଲେ। ଏହି ଷଡ଼ଯନ୍ତ୍ର ବିଷୟରେ ଜାଣିଗଲେ ନୀତିଶ କୁମାର। ଆରସିପି ସିଂଙ୍କ ଶରୀର ଜେଡିୟୁରେ ଥିଲା ମଧ୍ୟ ତାଙ୍କ ମନ ଅନ୍ୟ କେଉଁଠାରେ ଥିଲା। ବିଜେପିଠାରୁ ନୀତିଶ କୁମାର ଦୂରେଇଯିବା ଏହି ସବୁ କାରଣ ବୋଲି ସେ କହିଥିଲେ।

୨୦୨୪ ଉପରେ ନୀତିଶଙ୍କ ନଜର

ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିରୋଧୀ ଦଳଗୁଡ଼ିକୁ ଏକାଠି ହେବାକୁ ଆହ୍ଵାନ କରିଛନ୍ତି ନୀତିଶ କୁମାର। ଏହା ସହ ଯେଉଁମାନେ ୨୦୧୪ରେ କ୍ଷମତାକୁ ଆସିଥିଲେ, ସେମାନେ ଆଗାମୀ ୨୦୨୪ରେ ପୁନର୍ବାର କ୍ଷମତାକୁ ଆସିବେ କି ବୋଲି ପ୍ରଶ୍ନ କରିଛନ୍ତି। ଆଗାମୀ ୨୦୨୪ ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବାକୁ ଆଜିଠାରୁ ସବୁ ବିରୋଧୀ ଦଳ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ନୀତିଶ କୁମାର।

ବିହାରରେ ଗତ ବିଧାନସଭା ନିର୍ବାଚନରେ ୨୪୩ ଆସନରୁ ଏନ୍‌ଡିଏ ୧୨୭ଟି ଆସନରେ ବିଜୟ ହାସଲ କରିଥିଲା। ଜେଡିୟୁକୁ ୪୫ଟି ଏବଂ ବିଜେପିକୁ ୭୭ଟି ଆସନ ମିଳିଥିଲା। ଏନଡିଏର ଅନ୍ୟ ସହଯୋଗୀଙ୍କୁ ୫ଟି ଆସନ ମିଳିଥିଲା। କମ୍ ଆସନ ପାଇଥିବା ସତ୍ତ୍ୱେ ନୀତିଶ କୁମାରଙ୍କୁ ବିହାରର ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି। ଏବେ ବିଜେପି ହାତ ଛାଡ଼ି ଆରଜେଡି-କଂଗ୍ରେସ ସମେତ ୭ଟି ଦଳସହ ମିଶି ମହାମେଣ୍ଟ ସରକାର ଗଢ଼ିଛନ୍ତି ନୀତିଶ କୁମାର। ବାରମ୍ବାର ଦଳ ପରିବର୍ତ୍ତନ କରୁଥିବା ନୀତିଶ କୁମାରଙ୍କ ଆଗାମୀ ରଣନୀତିକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

Tags: #Politics #BiharPolitics #CMBihar #NitishKumar #JDU #RJD #Congress #BJP

Comment