ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ
  • ସୁବର୍ଣ୍ଣରେଖା ଓ କରଞ୍ଜିଆ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ
  • ଉଭୟ ପ୍ରକଳ୍ପରେ ୨୭ ହଜାର ହେକ୍ଟରରୁ ଅଧିକ ଜମିକୁ ମିଳିବ ଜଳସେଚନ ସୁବିଧା
  • ଉପକୃତ ହେବେ ୨.୫ ଲକ୍ଷରୁ ଅଧିକ ଚାଷୀ
  • ଜନଜାତି ପିଲାମାନେ ନିଜ ଦକ୍ଷତା ବଳରେ ଆଜି ଦେଶ ବିଦେଶରେ ସୁନାମ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓ କରଞ୍ଜିଆ ଦେଓ ନଦୀ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହା ସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଜି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରସ୍ଥିତ ଟିକପଦାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଦୁଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଜନଜାତି ଭାଇଭଉଣୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଆଜି ସୁଫଳ ଦେବା ଆରମ୍ଭ କରିଛି। ଶିକ୍ଷା ଓ ରୋଜଗାର ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ବହୁତ ଆଗକୁ ଯାଇପାରିଛି। ଜନଜାତି ପିଲାମାନେ ଆଜି ସେମାନଙ୍କ ଦକ୍ଷତା ବଳରେ ଦେଶ ବିଦେଶରେ ସୁନାମ ଅର୍ଜନ କରିପାରୁଛନ୍ତି”।

ଆଜି ଲୋକାର୍ପିତ ଦୁଇଟି ପ୍ରକଳ୍ପ ମଧ୍ୟରୁ ସୁବର୍ଣ୍ଣରେଖା ପ୍ରକଳ୍ପ ଦ୍ଵାରା ମୟୁରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ୧୭,୧୨୧ ହେକ୍ଟର ଅତିରିକ୍ତ ଚାଷ ଜମିକୁ ଜଳସେଚନର ସୁବିଧା ମିଳିବ। ଏହା ଦ୍ଵାରା ଉଭୟ ଜିଲ୍ଲାର ୫୫ ହଜାର ଚାଷୀ ଉପକୃତ ହେବେ। ଏଥିପାଇଁ ୬୮୫ କୋଟି ଟଙ୍କା ବିନିଯୋଗ କରାଯାଇଛି।

ସୂଚନାଯୋଗ୍ୟ ଯେ ସୁବର୍ଣ୍ଣରେଖା ରାଜ୍ୟ ସରକାରଙ୍କ ଏକ ବୃହତ ଜଳସେଚନ ପ୍ରକଳ୍ପ। ଏହା ଦ୍ଵାରା ମୋଟ ୭୦ ହଜାର ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ପାଣି ସୁବିଧା କରାଯାଇପାରିଛି।

ସେହିପରି ଦେଓ ଜଳସେଚନ ପ୍ରକଳ୍ପ ଦ୍ଵାରା ମୟୁରଭଞ୍ଜର ପ୍ରାୟ ୧୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ। ଏହା ସହିତ ଏହା ଦ୍ଵାରା ୧୦୦ଟି ଗାଁର ୨ ଲକ୍ଷ ଲୋକ ଉପକୃତ ହେବେ। ଏଥିପାଇଁ କରଞ୍ଜିଆ ବ୍ଲକର ହାତୀବାରିଠାରେ ୮୨୩ କୋଟି ଟଙ୍କାରେ ଦେଓ ନଦୀ ଉପରେ ୧,୨୮୦ ମିଟର ଦୈର୍ଘ୍ୟର ଏକ ବନ୍ଧ ନିର୍ମାଣ କରାଯାଇଛି।

କୃଷି, ଶିକ୍ଷା, ସ୍ଵାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶ ଓ କଲ୍ୟାଣମୂଳକ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଆମର ସବୁ କାର୍ଯ୍ୟକ୍ରମ ଲୋକଙ୍କୁ ସଶକ୍ତ କରିଛି ଏବଂ ଲୋକଙ୍କ ଆଦର ଲାଭ କରିଛି।

୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, “ସ୍କୁଲଗୁଡ଼ିକର ରୂପାନ୍ତରଣ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି କରିଛି। ଯେତେବେଳେ ମୟୂରଭଞ୍ଜର ଗୋଟିଏ ପିଲାଟିଏ ଗାଁ ସ୍କୁଲରେ ବିଶ୍ଵସ୍ତରୀୟ ଶିକ୍ଷା ସୁବିଧା ପାଉଛି, ସେତେବେଳେ କେବଳ ସେ ପିଲା ନୁହେଁ ବା ଗାଁ ନୁହେଁ ବରଂ ସାରା ଓଡ଼ିଶା ଆଗକୁ ବଢ଼ବାର ଚିତ୍ର ସ୍ପଷ୍ଟ ହୋଇଥାଏ।”

ମୟୁରଭଞ୍ଜର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସାରା ଭାରତରେ ମୟୂରଭଞ୍ଜ ଏକ ସ୍ଵତନ୍ତ୍ର ପରିଚୟ ରହିଛି। ମୟୂରଭଞ୍ଜର ଜନଜାତି ଭାଇଭଉଣୀ ମାନଙ୍କର ଏକ ସମୃଦ୍ଧ ପରମ୍ପରା ରହିଛି। ସେ ଗୌରବକୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆହୁରି ବୃଦ୍ଧି କରିଛନ୍ତି। ତାଙ୍କ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ସେ କହିଥିଲେ।

ମୟୂରଭଞ୍ଜ ଜିଲ୍ଲାର ରାଜ୍ୟର ଏକ ବଡ଼ ତଥା ଗୁରୁତ୍ଵପୂର୍ଣ୍ଣ ଜିଲ୍ଲା ଏବଂ ରାଜ୍ୟର ବିକାଶର ଏହି ଜିଲ୍ଲାର ସ୍ଵତନ୍ତ୍ର ଅବଦାନ ରହିଛି ବୋଲି ସେ କହିଛନ୍ତି। ସମସ୍ତେ ମିଶି ଜିଲ୍ଲାର ଏବଂ ରାଜ୍ୟର ବିକାଶ ପାଇଁ ହାତ ମିଳାଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵନ କରିଛନ୍ତି

ଏହି କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ ପାତ୍ର, ମୋରଡ଼ା ବିଧାୟକ ରାଜକିଶୋର ଦାସ, ବାଙ୍ଗରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ମୟୂରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ପ୍ରମୁଖ ବକ୍ତବ୍ୟ ରଖି ମୟୁରଭଞ୍ଜର ଚାଷୀମାନଙ୍କ ପାଇଁ ଏହି ଦୁଇଟି ପ୍ରକଳ୍ପର ଗୁରୁତ୍ଵ ବିଷୟରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନୀତ ଭରଦ୍ଵାଜ, ୫-ଟି ସଚିବ ଭିକେ ପାଣ୍ଡିଆନ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ଏବଂ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Tags: #CMOdisha #NaveenPatnaik #Mayurbhanj #IrrigationProject

Comment