ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁବ ଓଡ଼ିଆ ଉଦ୍ୟୋଗୀ ଅମୀୟ ସାମନ୍ତରାୟ। ଓଡ଼ିଶାର ଜଣେ ସଫଳ ଷ୍ଟାର୍ଟଅପ୍ ତାରକା। ନୟାଗଡ଼ର ଏକ ଛୋଟ ଗାଁ ବାସୁଦିଆରୁ ଏବେ ସେ ଷ୍ଟାର୍ଟଅପ୍ କମ୍ପାନି ‘ଫିନିକ୍ସ ରୋବୋଟିକ୍ସ’ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇପାରିଛନ୍ତି। ‘ବିଫଳତା ହିଁ ସଫଳତାର ଚାବିକାଠି’। ଏହି ଲୋକକଥା ଅମୀୟଙ୍କ କ୍ଷେତ୍ରରେ ସଫଳ ହୋଇଛି। ଇଞ୍ଜିନିୟରିଂ ପଢ଼ା ବେଳେ ଅମୀୟ ପ୍ରଥମଥର ଏକ ରୋବୋଟ ବନାଇଥିଲେ, ହେଲେ ତାହା କାମ କରି ନଥିଲା। କିନ୍ତୁ ଆଜି ଅମୀୟଙ୍କ କମ୍ପାନି ଅତ୍ୟାଧୁନିକ ମେସିନ୍ ପ୍ରସ୍ତୁତ ପାଇଁ ଷ୍ଟାର୍ଟଅପ୍ ଦୁନିଆରେ ନିଜର ସ୍ଵତନ୍ତ୍ର ନାଁ କରିପାରିଛି।

ପ୍ରଥମ ଚେଷ୍ଟାରେ ବିଫଳ ହୋଇଥିଲେ ଅମୀୟ

ରାଉରକେଲା ସ୍ଥିତ ଏନଆଇଟିରେ ଇଞ୍ଜିନିୟରିଂ ପଢ଼ିବା ସମୟରେ ସେଠାରେ ଥିବା ସାଇବର୍ଗ ରୋବୋଟିକ୍ସ ଲ୍ୟାବରେ ଅମୀୟ ସବୁବେଳେ କିଛି ନା କିଛି ଗବେଷଣା କରୁଥିଲେ। ଥରେ ସେ ଗୋଟିଏ ରୋବୋଟ ବନାଇବା ପାଇଁ ଭାବିଥିଲେ। ତିନି ରାତି ପରିଶ୍ରମ ପରେ ଶେଷରେ ଏକ ରୋବୋଟକୁ ସେ ବିକଶିତ ମଧ୍ୟ କରିଥିଲେ। ହେଲେ ତାହା କାମ କରି ନଥିଲା। କିନ୍ତୁ ପ୍ରଥମ ଚେଷ୍ଟାର ଏହି ଅନୁଭୂତିରୁ ପରବର୍ତ୍ତୀ ସମୟରେ ଅମୀୟ ଫିନିକ୍ସ ରୋବୋଟିକ୍ସର ପରିକଳ୍ପନା କରିପାରିଥିଲେ।“ତିନି ରାତି ଅନିଦ୍ରା ରହି ମୁଁ ଏକ ଲାଇନ ଫଲୋ ରୋବୋଟ ତିଆରି କରିଥିଲି। ହେଲେ ତାହା ଚାଲି ନଥିଲା। କିନ୍ତୁ ମୁଁ ଖୁସି ଥିଲି, କାହିଁକି ନା ମୁଁ ଗୋଟେ ରୋବୋଟ ବନାଇ ପାରିଛି। ସେତେବେଳେ ମୋର ଗ୍ରାଜୁଏସନର ପ୍ରଥମ ବର୍ଷ ଥିଲା। ତେଣୁ ମୁଁ ପ୍ରଥମ ବିଫଳତାକୁ ଆଗାମୀ ସଫଳତାର ଆରମ୍ଭ ଭାବେ ସ୍ଥିର କରି ଆଗକୁ ବଢ଼ିଥିଲି ଏବଂ ପରେ ସଫଳତା ବି ପାଇଥିଲି। ଏହି ମନୋଭାବ ମୋତେ ଭବିଷ୍ୟତରେ ନିଜର ଗୋଟିଏ ସଂସ୍ଥା ଗଢ଼ିବା ପାଇଁ ଉତ୍ସାହ ଯୋଗାଇଥିଲା”, କହିଛନ୍ତି ଅମୀୟ ସାମନ୍ତରାୟ।

‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ରେ ଏକ ସାକ୍ଷାତକାର ଦେଇ ଅମୀୟ ସାମନ୍ତରାୟ ତାଙ୍କ ଜୀବନର ଏହି କାହାଣୀ ବିଷୟରେ କହିଛନ୍ତି। ‘ଓଡ଼ିଶାଲାଇଭ୍‌’ ୟୁଟ୍ୟୁବ ଚାନେଲରେ ଅମୀୟ ସାମନ୍ତରାୟଙ୍କ ସମ୍ପୂର୍ଣ୍ଣ ସାକ୍ଷାତକାର ଦେଖିପାରିବେ।

Tags: #AmiyaSamantaray #PhoenixRobotix #StartupStory #Odisha #StartupOdisha #ଅମୀୟସାମନ୍ତରାୟ #ଷ୍ଟାର୍ଟଅପଷ୍ଟୋରି

LEAVE A REPLY

Please enter your comment!
Please enter your name here