ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୩୦ ଜିଲ୍ଲା ପାଇଁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତିର ଦିନକ ପରେ ଶୁକ୍ରବାର ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କୁ ରାଜ୍ୟ, ଜିଲ୍ଲା ତଥା ଜୋନ୍ ସ୍ତରରେ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି। ଏନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୁବ କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱ ବଣ୍ଟନ ନେଇ ସୂଚନା ଦେଇଛନ୍ତି।

ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ତାଲିକା ଅନୁସାରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ବୈକୁଣ୍ଠ ନାଏକ, ଶୁଭେନ୍ଦୁ ମଙ୍ଗରାଜ ଓ ଧୃତି ରଞ୍ଜନ ମାର୍ଥାଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ଦଳର ଯୁବ ନେତ୍ରୀ ଏଲିନା ଦାଶଙ୍କୁ ପୂର୍ବ ପରି ମହାସଚିବ ଦାୟିତ୍ୱ ମିଳିଥିବା ବେଳେ ଜ୍ୟୋସ୍ନାମୟୀ ପରିଡ଼ା, ଡକ୍ଟର ସୁବାସ ଚନ୍ଦ୍ର ନାୟକ ଓ ମଣ୍ଟୁ ନାୟକଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ୱ ଦିଆଯାଇଛି।

ସେହିପରି ଦଳ ପକ୍ଷରୁ ଜୋନ ସ୍ତରରେ ସଭାପତି ନିଯୁକ୍ତ କରାଯାଇଛି। ଭୁବନେଶ୍ୱର ଜୋନ୍ ପାଇଁ ବିଜୟ କେତନ ସାହୁ, କଟକ ପାଇଁ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ପାଇଁ ନଚିକେତା ସ୍ୱାଇଁ, ବଲାଙ୍ଗିର ପାଇଁ ମଣିନ୍ଦ୍ର ମହାନ୍ତି, ସମ୍ବଲପୁର ପାଇଁ ଦେବାଶିଷ ପରିଡ଼ା, କୋରାପୁଟ ପାଇଁ ତାପସ ତ୍ରିପାଠୀ ଓ ବାଲେଶ୍ୱର ପାଇଁ ଜୟରାମ ଦାଶଙ୍କୁ ନିଯୁକ୍ତ କରାଯାଇଛି।

ଅନ୍ୟପଟେ ଜୋନ ସ୍ତରରେ ୧୩ ଜଣଙ୍କୁ ଉପସଭାପତି, ୪୬ ଜଣଙ୍କୁ ସାଧାରଣ ସମ୍ପାଦକ, ୬୩ ଜଣଙ୍କୁ ସମ୍ପାଦକ, ୨୩ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରିଛି ବିଜେଡ । ଏଥିସହ ୩୦ ଜିଲ୍ଲା ଓ ୫ ସହରରେ ବିଜୁ ଯୁବ ଜନତା ଦଳ ୩୫ ଜଣ ଜିଲ୍ଲା ସଭାପତି ନିଯୁକ୍ତ ହୋଇଛନ୍ତି।

Tags:#BJD #BYJD #naveenpattanaik #pranabprakash dash #odisha

Comment